


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ପୋଷ୍ଟର୍ ଚିରା ଅଭିଯାନ ଆରମ୍ଭ ହୋଇ ଚାଲିଥିବା ବେଳେ ଛତ୍ରପୁର ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଏହି ଅଭିଯାନରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ସରକାରୀସ୍ତରରେ ପ୍ରୟାସ ଚାଲିଛି । ଏଥିରେ ସହରର ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ଲୋକମାନେ ମଧ୍ୟ ସାମିଲ ହେଉଥିବା ସୂଚନା ମିଳିଛି । ସହରର ପ୍ରମୁଖ ରାସ୍ତାକଡ଼ କାନ୍ଥ ଏବଂ ଅନ୍ୟାନ୍ୟ ସ୍ଥାନରେ ଲାଗିଥିବା ପୋଷ୍ଟର୍ ଚିରା ଅଭିଯାନ ଗତ କିଛି ଦିନ ହେବ ଆରମ୍ଭ ହୋଇଥିଲା । ଏ ନେଇ ଏକ ଟିମ୍ ‘ଟିମ୍ କ୍ଲିନ୍ ସିଟି’ ଗଠନ କରାଯାଇଛି । ତୃତୀୟ ସପ୍ତାହରେ ଏହି ଟିମ୍ ଷ୍ଟେସନ୍, ଟାଟା ବେଞ୍ଜ ଛକ, ହିଲ୍ପାଟଣା, ବିଜିପୁର, ପୁରୁଣା ବସ୍ଷ୍ଟାଣ୍ଡ, ଗିରି ରୋଡ଼ ସହ ଅନ୍ୟାନ୍ୟ ଅଞ୍ଚଳରୁ ପୋଷ୍ଟର୍ ଚିରାଯାଇଥିଲା । ତେବେ ରବିବାର ଏହି ଅଭିଯାନରେ ସାମିଲ୍ ହୋଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ । ପିଭିଏନ୍ରାଓ ପେଟ୍ରୋଲ୍ ପମ୍ପ ଛକଠାରେ ଜିଲାପାଳ କୁଲାଙ୍ଗେ କାନ୍ଥରୁ ପୋଷ୍ଟର୍ ଚିରୁଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ସହରକୁ ସୁନ୍ଦର ରଖିବା ପାଇଁ ସହରର ଭଲ ନାଗରିକମାନେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ପ୍ରଶଂସା ଯୋଗ୍ୟ । ଯେଉଁମାନେ ମନଇଚ୍ଛା ଏଣେତେଣେ ପୋଷ୍ଟର୍ ମାରୁଛନ୍ତି, ସେମାନଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସିନେମା ହଲ୍ଗୁଡ଼ିକୁ ପୋଷ୍ଟର୍ ନ ମାରିବା ପାଇଁ ବାରଣ କରାଯାଇ ଥିବା ବେଳେ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ପକ୍ଷରୁ ମରାଯାଉଥଇବା ପୋଷ୍ଟରକୁ ନୋଟିସ୍ ଦିଆଯିବ । ଏହାକୁ ନ ମାନିଲେ ଜରିମାନା ଆଦାୟ କରାଯିବ । କେବଳ ପୋଷ୍ଟର୍ ଚିରା ଅଭିଯାନରେ ସୀମିତ ନ ରହି, ଆଗାମୀ ଦିନରେ ପ୍ଲାଷ୍ଟିକ୍, ପଲିଥିନ୍ ମୁକ୍ତ ସହର ଗଠନ ଏବଂ ବୃକ୍ଷ ରୋପଣ ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ‘ଟିମ୍ କ୍ଲିନ୍ ସିଟି’ର ସଦସ୍ୟା ସଦସ୍ୟଙ୍କୁ ଜିଲାପାଳ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ଏହାସହ ଜନଭାଗିତା ଦ୍ୱାରା ପରିବର୍ତ୍ତନ ସମ୍ଭବ ବୋଲି ଜିଲାପାଳ କୁଲାଙ୍ଗେ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





