ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାରେ ଆଜି ୩ୟ ଥର ପାଇଁ ସଟ୍ଡାଉନ୍ ଲାଗୁ କରାଯାଇଛି । ଏହା ଆସନ୍ତା ୩ତାରିଖ ସକାଳ ୫ଟା ଯାଏ ବଳବତ୍ତର ରହିବ ବୋଲି ଜଣାଯାଇଛି । ଜଳେଶ୍ୱର ମ୍ୟୁନିସିପାଲଟିରେ କରୋନା ପଜେଟିଭ୍ ସଂଖ୍ୟା ୫୦ ଟପିଥିବା ବେଳେ ପ୍ରଥମଥର ପାଇଁ ସଟ୍ଡାଉନ୍ ଘୋଷଣା ହୋଇଥିଲା । ଏହା ୨୦ତାରିଖ ସକାଳ ୫ଟାରେ ବଳବତ୍ତର ରହିଥିଲା । ୨ୟ ପର୍ଯ୍ୟାୟରେ ୨୦ତାରିଖ ସଂଧ୍ୟା ୫ଟାରୁ ସଟ୍ଡାଉନ୍ ଘୋଷଣା ସହିତ ନିର୍ଦ୍ଦିଷ୍ଟ ଏକ ୱାର୍ଡରୁ ୧୮ ପଜେଟିଭ୍ ଦେଖାଦେବାରୁ ସେଠାରେ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହୋଇଥିଲା ଆଜି ସକାଳ ୫ଟାରେ ଏହି ଅବଧି ଶେଷ ହେଉଥିବାରୁ ଗତ ରବିବାର ସଂଧ୍ୟାରେ ସ୍ଥାନୀୟ ପ୍ରଶାସନ ସଟ୍ଡାଉନ୍ ଓ କଣ୍ଟେନ୍ମେଣ୍ଟର ଅବଧି ବୃଦ୍ଧି ଲାଗି ଜିଲାପାଳଙ୍କୁ ସୁପାରିଶ କରିଥିବା ବେଳେ ବିଳମ୍ବିତ ରାତିରେ ଜଳେଶ୍ୱରକୁ ଆଜି ସକାଳ ୫ଟାରୁ ପୁଣି ୩ତାରିଖ ସକାଳ ୫ଟାଯାଏ ସଟ୍ଡାଉନ୍ ଘୋଷଣା ହୋଇଛି । ଏହି ସମୟରେ ସକଳା ୬ରୁ ପୂର୍ବାହ୍ନ ୧୨ଟା ଯାଏ ପରିବା, ତେଜରାତି, ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବା ସଂପର୍କରେ ଆଜି ସକାଳ ପୌରପାଳିକା ପକ୍ଷରୁ ଘୋଷଣା କରାଯାଇଛି । ବ୍ୟାଙ୍କ ସେବା ୮ଟାରୁ ୧୨ଟା ଯାଏ ଚାଲୁ ରହିଛି । ଆସନ୍ତା ୩ତାରିଖ ଯାଏ ଏହି ଘୋଷଣା ବଳବତ୍ତର ରହିବା ସଂପର୍କରେ କୁହାଯାଉଥିବା ବେଳେ କଣ୍ଟେନ୍ମେଣ୍ଟ ଜୋନ୍ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । କିନ୍ତୁ କଣ୍ଟେନ୍ମେଣ୍ଟ ଜୋନ୍ରେ ପୂର୍ବରୁ ଯେଉଁଭଳି ନିତିନିୟମ ରହିଥିଲା ଆଜି ମଧ୍ୟ ସେଭଳି ଦେଖିବାକୁ ମିଳିଛି । ଏ ସଂପର୍କରେ ପ୍ରଶାସନୀକ ଅଧିକାରୀମାନେ ସ୍ପଷ୍ଟ ମତାମତ ରଖିପାରିନଥିଲେ । ଜଳେଶ୍ୱର କୋଟ୍ର ବରିଷ୍ଠ ଆଇନ୍ଜିବୀ ଏପିପି ନିତ୍ୟଗୋପାଳ ଦାସ ଏଥିନେଇ ସନ୍ଦେହ ପ୍ରକଟ କରି ସାମ୍ବାଦିକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା