ପ୍ରତିରକ୍ଷା ବିଭାଗର ବିମାନ କିଣାବିକା କରି ଚାନ୍ଦା ଆଦାୟ କରିବା କଂଗ୍ରେସର ଡିଏନଏରେ ରହିଛିି: ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କଂଗ୍ରେସ ଦଳ ଦେଶର ଗଣତନ୍ତ୍ର ବିଦ୍ଧିବ୍ୟବସ୍ଥା ଅବା ସମ୍ବିଧାନକୁ ବିଶ୍ୱାସ କରେ ନାହିଁ । ରାଫେଲ ଯୁଦ୍ଧ ବିମାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇଲା ପରେ କଂଗ୍ରେସ ଏହି ପ୍ରସଙ୍ଗକୁ ପୁଣିଥରେ ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କଂଗ୍ରେସ ଦଳ ସୁପ୍ରିମକୋର୍ଟକୁ ବିଶ୍ୱାସ କରେ ନାହିଁ କି ସମ୍ମାନ ଦିଏ ନାହିଁ । ସଂସଦ ଚାଲିବା ସମୟରେ କଂଗ୍ରେସ ଏହି ପ୍ରସଙ୍ଗ ଉପରେ ଆଲୋଚନା ନକରି ଦେଶବାସୀଙ୍କ ଆଗରେ ବାରମ୍ବାର ମିଛ କହିଚାଲିଛି । ମିଛ କଥାକୁ ବଡ ପାଟିରେ ଅବା ବାରମ୍ବାର କହିବା ଦ୍ୱାରା ଘଟଣା ସତ ହୁଏ ନାହିଁ ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି ନିନ୍ଦା କରିଛନ୍ତି । କଂଗ୍ରେସ ସରକାର ସମୟରେ ପୁର୍ବରୁ ଯେତେ ବିମାନ କିଣା ହୋଇଛି ସବୁଥିରେ ଦଲାଲ ମାନେ ମଧ୍ୟସ୍ଥତା କରି ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ପ୍ରତିରକ୍ଷା ବିଭାଗର ବିମାନ କିଣା ବିକା ମାଧ୍ୟମରେ ଚାନ୍ଦା ଆଦାୟ କରିବା କଂଗ୍ରେସର ଡିଏନଏରେ ରହିଛିି । ପୂର୍ବରୁ ଅଗଷ୍ଟା ହେଲିକପ୍ଟର ଓ ବୋଫର୍ସ ସ୍କାମରୁ ଏହା ପ୍ରମାଣିତ ହୋଇଛି । ରାହୁଲ ଗାନ୍ଧୀ ଯାହା କହିବେ ତାହା କଣ ସତ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଦେଶର ସାମରିକ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏଭଳି ମନଗଢା କାହାଣୀ କହି ସାରାଦେଶର ଲୋକମାନଙ୍କୁ ଭ୍ରମିତ କରିଥିବାରୁ ରାହୁଲ ଗାନ୍ଧୀ ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର