ପ୍ରତି ଗ୍ରାମ ପଞ୍ଚାୟତରେ ପାଠାଗାର ଓ ସୂଚନା କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର  ( ଆକାଶ ମିଶ୍ର ) -ରାଜ୍ୟ ସରକାର ପ୍ରତି ଗ୍ରାମ ପଞ୍ଚାୟତରେ ପାଠାଗାର ଓ ସୂଚନା କେନ୍ଦ୍ର ପ୍ରତିଷ୍ଠା କରିବେ । ୨୦୧୮-୧୯ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ୧୦୦୦ ଗ୍ରାମ ପଞ୍ଚାୟତରେ ଏହା ପ୍ରତିଷ୍ଠା କରାଯିବ ଏବଂ ପରବର୍ତ୍ତୀ ଦୁଇ ବର୍ଷରେ ସମସ୍ତ ଗ୍ରାମ ପଞ୍ଚାୟତରେ ଏହା ହେବ ।ପାଠାଗାର ଓ ସୂଚନା କେନ୍ଦ୍ର ପ୍ରତିଷ୍ଠା ଲାଗି ଗ୍ରାମସଭା ଆୟୋଜନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି କେନ୍ଦ୍ର ପଞ୍ଚାୟତ ସ୍ତରରେ ଲୋକମାନଙ୍କୁ ସଶକ୍ତିକରଣ କରିବା ସହିତ ମନୋରଞ୍ଜନର ଖୋରାକ୍‍ ଯୋଗାଇବ । ବିଶେଷ କରି ତଳସ୍ତରରେ ଥିବା ଲୋକମାନେ ଏହାଦ୍ୱାରା ଉପକୃତ ହେବେ ।ବର୍ତ୍ତମାନ ସ୍ଥିତିରେ ବିଶ୍ୱର ପ୍ରତ୍ୟେକ ସୂଚନା ତ୍ୱରିତ ବେଗରେ ଲୋକଙ୍କ ନିକଟରେ ପହଞ୍ଚିୁଥିବାବେଳେ ତଳ ସ୍ତରରେ କିନ୍ତୁ ପଞ୍ଚାୟତ ପାଠାଗାର ବିନା ଏହା ସମ୍ଭବ ହୋଇପାରିବ ନାହିଁ । ଏହି ପାଠାଗାର କେବଳ ମନୋରଞ୍ଜନ କାର୍ଯ୍ୟକ୍ରମରେ ସୀମିତ ରହିବ ନାହିଁ । ଏଠାରେ ଅତ୍ୟାଧୁନିକ ଜ୍ଞାନକୌଶଳ ସାଜସରଞ୍ଜାମ, ଇଣ୍ଟରନେଟ୍‍ ସହିତ ଗୋଷ୍ଠୀ ସୂଚନା ଓ ଶିକ୍ଷା ଆଦି ଉପଲବ୍ଧ ହେବ ।ଗରିବ ଲୋକଙ୍କୁ ଦୈନନ୍ଦିନ ଏଠାରେ ସମସ୍ତ ସୂଚନା ମିଳିବା ସହିତ ପଞ୍ଚାୟତ ସ୍ତରରେ ପ୍ରତିଷ୍ଠା ହେବାକୁ ଥିବା ଏହି ପାଠାଗାର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନର ବାର୍ତ୍ତାବହ ହେବ । ଗ୍ରାମାଞ୍ଚଳର ଯୁବପୀଢିଙ୍କୁ ଏହି ପାଠାଗାର ମାଧ୍ୟମରେ ବିଭିନ୍ନ ପୁସ୍ତକ, ସୂଚନା ଓ ଇଣ୍ଟରନେଟ୍‍ ସୁବିଧା ମିଳିବା ଫଳରେ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଜନମଙ୍ଗଳ କାର୍ଯ୍ୟକ୍ରମ, କୃଷି ଓ ଗ୍ରାମ୍ୟ ବଜାର ସଂକ୍ରାନ୍ତରେ ସେମାନେ ସହଜରେ ଅବଗତ ହୋଇପାରିବେ ।ଓଡ଼ିଶାର ଐତିହ୍ୟ, କଳା ଓ ସଂସ୍କୃତିର ଆକର୍ଷଣରେ ସମଗ୍ର ବିଶ୍ୱରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି । ପ୍ରାକୃତିକ ସମ୍ପତ୍ତି ଦ୍ୱାରା ରାଜ୍ୟର ଅର୍ଥନୀତି ବିକଶିତ ହେଉଥିବା ବେଳେ ଦାରିଦ୍ର୍ୟ ହଟାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି ।ରାଜ୍ୟ ସରକାର ଦାରିଦ୍ର୍ୟ ନିରାକରଣ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଏବେ ବି ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଆବଶ୍ୟକ ପଡ଼ୁଛି । ରାଜ୍ୟର ଗ୍ରାମାଞ୍ଚଳ ବିଶେଷ କରି ପେସା ଓ କେବିକେ ଅଞ୍ଚଳରେ ଥିବା ଆଦିବାସୀ, ସମ୍ବେଦନଶୀଳ ଗୋଷ୍ଠୀ ଯଥା ମହିଳା, ଦିବ୍ୟାଙ୍ଗ ଓ ଅନ୍ୟମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପ୍ରମୁଖ କାର୍ଯ୍ୟ ହେଉଛି ।ଏଥିପାଇଁ ସୂଚନା ଭିତ୍ତିକ ସମାଜ ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି । ଗ୍ରାମ୍ୟ ସ୍ତରରେ ପଞ୍ଚାୟତିରାଜ ସଦସ୍ୟ, ମହିଳା ଓ ଯୁବକମାନଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂକ୍ରାନ୍ତରେ ତାଲିମ୍‍ ସହିତ ଅବଗତ କରିବା ଜରୁରୀ ହୋଇପଡ଼ିଛି । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଡିଜିଟାଲ ସୁବିଧା ଆବଶ୍ୟକ ପଡ଼ୁଛି । ବିଭିନ୍ନ ପ୍ରକାର ଅଡ଼ିଓ-ଭିଜୁଆଲ୍‍ ତାଲିମ ଓ ପ୍ରଶିକ୍ଷଣ ଆଦି ଲୋକଙ୍କ ପାଖରେ ପହଞ୍ଚିବା ଜରୁରୀ ହୋଇଛି । ପଞ୍ଚାୟତ ସ୍ତରରେ ଗଠନ ହେବାକୁ ଥିବା ପାଠାଗାର ଓ ସୂଚନା କେନ୍ଦ୍ର ମାଧ୍ୟମରେ ଗାଁ ଗହଳର ଲୋକମାନଙ୍କୁ ଆବଶ୍ୟକ ପରିମାଣର ସୂଚନା ଓ ସେବା ଯୋଗାଇ ଦେବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଉଦ୍ୟମ ଆରମ୍ଭ କରିଛି । ଏହି କେନ୍ଦ୍ରଗୁଡ଼ିକରେ ଲୋକଙ୍କୁ ବିଭିନ୍ନ ଜୀବିକା ପ୍ରକଳ୍ପ, ଦକ୍ଷତା ବିକାଶ, କୃଷି ଓ ଆନୁଷଙ୍ଗିକ, ଶିଳ୍ପ ଆଦି ବିଷୟରେ ଅବଗତ କରାଯିବ ।