




ଭୁବନେଶ୍ୱର(ସମୃଦ୍ଧଓଡିଶା) ମାର୍ଗଦର୍ଶିକା ଜାରି ହେଲା ଦିନରୁ ସାରା ଓଡ଼ିଶାରେ ସୁଭଦ୍ରା ଫର୍ମ ବିତରଣ ଓ ପଞ୍ଜିକରଣ ଜୋରସୋର ଆଗେଇ ଚାଲିଛି । ଲୋକମାନଙ୍କ ଉତ୍ସାହକୁ ଲକ୍ଷ୍ୟ କରି ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ବୈଠକ କରାଯାଇ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟାନ୍ୱୟନକୁ ବିଭିନ୍ନ ସ୍ତରରେ ତଦାରଖ କରାଯାଉଛି। ଆଜି(୧୧/୦୯/୨୦୨୪)ସନ୍ଧ୍ୟା ସୁଦ୍ଧା ‘ସୁଭଦ୍ରା’ ନିମନ୍ତେ ପଞ୍ଜିକରଣ ୪୫ ଲକ୍ଷରେ ପହଞ୍ଚି ସାରିଲାଣି । ଏହି ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜିଠୁ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ସ୍ୱାଗତ ସପ୍ତାହ’ ଅନୁଷ୍ଠିତ କରାଯିବ । ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରର ସମସ୍ତ ଅଧିକାରୀ ସମେତ ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଏସ୍ଏଚ୍ଜି ସଦସ୍ୟା, ଆଶା କର୍ମୀ ମାନେ ଗାଁ ଗାଁରେ ସଭା ଅନୁଷ୍ଠିତ କରାଇ ଲୋକମାନଙ୍କୁ ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ ସଚେତନ କରିବେ । ପ୍ରତି ଗ୍ରାମ ପଞ୍ଚାୟତରେ ‘ପଥପ୍ରାନ୍ତ ନାଟକ’ ସମେତ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରାଯିବ । ପ୍ରତି ଅଞ୍ଚଳର ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରି’ ଭାବେ ପ୍ରତିଷ୍ଠିତ କରାଯିବ । ଏହି ଯୋଜନାର ଉଦ୍ଦେଶ୍ୟକୁ ସୁଦୂରପ୍ରସାରୀ କରିବା ନିମନ୍ତେ ଆସନ୍ତାକାଲି ଠାରୁ ‘ଘରେ ଘରେ ସୁଭଦ୍ରା’ ବିଷୟବସ୍ତୁ ଉପରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ରଙ୍ଗୋଲୀ ଓ ଫଟୋଗ୍ରାଫି ଆଦିର ପ୍ରତିଯୋଗିତା ଅନୁଷ୍ଠିତ କରାଯିବ ।
ରିପୋର୍ଟ : ରଜତ ମହାପାତ୍ର