ପ୍ରତ୍ୟେକ ବିପନ୍ନ ପରିବାରକୁ ମିଳିବ ୩ ହଜାର ଟଙ୍କା,୧ହଜାର କ୍ୟାସ,୨ହଜାର ବ୍ୟାଙ୍କ ଏକାଉଣ୍ଟକୁ ଯିବ ଓ ୫୦ କେଜି ଚାଉଳ ମାଗଣା

ଭୁବନେଶ୍ବର : ତିତଲି କ୍ଷତିଗ୍ରସ୍ତ ପରିବାର ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ କ୍ଷତିଗ୍ରସ୍ତ ପରିବାରକୁ ନଗଦ ୧ ହଜାର ଟଙ୍କା, ୫୦କେଜି ଚାଉଳ ଓ ଅଢେଇ ଲିଟର କିରୋସିନ ତୁରନ୍ତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଖୁବ ଶୀଘ୍ର ଆଉ ଦୁଇ ହଜାର ଟଙ୍କା ସମସ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ମୁଖ୍ୟମନ୍ତ୍ରୀ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ସଂପୃକ୍ତ ବିଭାଗୀୟ ସଚିବ ମାନଙ୍କ ସହ ତିତଲି ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ଆଜି ଗଜପତି ଜିଲ୍ଲା ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ସହାୟତା ଘୋଷଣା କରିଥିଲେ । ସୂଚନା ଅନୁଯାୟୀ, କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡିକରେ ପରିସ୍ଥିତି ଖୁବ ଶୀଘ୍ର ସ୍ୱାଭାବିକ ହେଉଛି । ସମସ୍ତଙ୍କୁ ପଲିଥିନ୍ ଯୋଗାଇ ଦିଆଯାଉଛି । ପାରଳାଖେମୁଣ୍ଡି ଓ କାଶିନଗରରେ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସରବରାହ ପୁନଃ ସ୍ଥାପିତ ହେବ । ଅନ୍ୟାନ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଗୁଡିକରେ ଆସନ୍ତାକାଲି ସୁଦ୍ଧା ପୁନଃସଂଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବ୍ୟାପକ କ୍ଷତି ଯୋଗୁଁ ବାକି ସ୍ଥାନ ଗୁଡିକ ପାଇଁ ଦୁଇ ତିନି ଦିନ ସମୟ ଲାଗିବ । ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଧାନ ଓ ଅଣ ଧାନ ଫସଲ ଏବଂ ସଡକ ଯୋଗାଯୋଗରେ ବ୍ୟାପକ କ୍ଷତି ହୋଇଛି । ପୂର୍ତ୍ତ ବିଭାଗ ରାସ୍ତା ଗୁଡିକର ଯୋଗାଯୋଗ ପୁନଃସ୍ଥାପିତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ରାସ୍ତା ଗୁଡିକର ମରାମତି ପାଇଁ ତିନି ଦିନ ସମୟ ଲାଗିବ ଏବଂ ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯିବ । ଏତତ୍ ବ୍ୟତୀତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉତ୍ତମ ସେବା ଯୋଗାଇ ଦିଆଯାଉଛି । ହସ୍ପିଟାଲ ଓ ମୋବାଇଲ ହେଲଥ ୟୁନିଟ୍ ଗୁଡିକ ଦ୍ୱାରା ମାଗଣାରେ ଚିକିତ୍ସା ଓ ଔଷଧ ବଣ୍ଟନ କରାଯାଉଛି ।