ପ୍ରଥମ ଲଗାଣ ବର୍ଷାରେ ଜଳେଶ୍ୱର ସହର ଉବୁଟୁବୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ଦିନର ପ୍ରତୀକ୍ଷାପରେ ଗତ ୩ ଦିନ ଧରି ଧାରାଶ୍ରାବାଣକୁ ଅନୁଭବ କରୁଛନ୍ତି ଜଳେଶ୍ୱର ବାସୀ । ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ୩ ଦିନ ମଧ୍ୟରେ ପ୍ରାୟ ୨୫୦ ମିମି ବର୍ଷା ହୋଇଥିବାରୁ ଜଳେଶ୍ୱର ପୌରପାଳିକାର ଅବସ୍ଥା ବେହାଲ ହୋଇଛି । ବିଭିନ୍ନ ସ୍ଥାନରେ କଂକ୍ରିଟ ରାସ୍ତା ବୁଡି ପାଣିର ସୁଅ ଛୁଟିଛି । ବିଶେଷ କରି ତହସିଲ କାର୍ଯ୍ୟାଳୟ, ଉପକୋଷାଗାର ପାଣିଘେର ମଧ୍ୟରେ ରହିଛି । ୧ ନଂ ୱାର୍ଡ ଝାଡେଶ୍ୱରପୁରର ବିଭିନ୍ନ ସ୍ଥାନରେ ରାସ୍ତା ବୁଡି ପାଣି ଚାଲିଛି । ୱାର୍ଡ ନଂ ୩ର ଦୈନିକ ହାଟର ପଶ୍ଚିମପଟେ, ୪ନଂ ୱାର୍ଡର ଥାନା ନିକଟ, ୫ନଂ ୱାର୍ଡର ପଶ୍ଚୁଘଣ୍ଟା, ୬ନଂ ୱାର୍ଡ, ୯ନଂ ୱାର୍ଡ, ୧୦ନଂ, ୧୧ନଂ ୱାର୍ଡର କରସାହି, ପାଳ ସାହି, ୧୨ନଂ ୱାର୍ଡର ହାଇସ୍କୁଲ ସମ୍ମୁଖ ଗଳି ଇତ୍ୟାଦି ପାଣିରେ ବୁଡି ରହିଛି । ଆଜି ବର୍ଷା ଥମିବା ପରେ ମ୍ୟୁନିସିପାଲଟି ପକ୍ଷରୁ ଜେସିବି ଦ୍ୱାରା ଜଳ ନିଷ୍କାସନର ବ୍ୟବସ୍ଥା କରାଯାଇଛି । ଜଳେଶ୍ୱର ବଜାରରେ ନିର୍ମାଣାଧିନ ଉଡନ୍ତାପୋଲ ଲେଭେଲକ୍ରସି ନିକଟରେ ବର୍ଷାପାଣି ନିଷ୍କାସନ ଲାଗି ପୁର୍ତ୍ତବିଭାଗ ପକ୍ଷରୁ ଜେସିବି ଦ୍ୱାରା ନିଷ୍କାସନର ରାସ୍ତା ପରିସ୍କାର କରାଯାଇଛି । ସମଗ୍ର ସହରରେ ଜଳନିଷ୍କାସନ ଲାଗି ବ୍ୟବସ୍ଥା ନ ଥିବାରୁ ବିଶୃଙ୍ଖଳିତ ନିସର୍ମାଣ ଯୋଗୁଁ ଜଳ ନିଷ୍କାସନର ପଥ ଅବରୋଧ ହୋଇଥିବାରୁ ବର୍ଷାଜଳ ନିଷ୍କାସନ ଏକ ସମସ୍ୟାଭାବେ ଦେଖା ଦେଇଛି । ବିଭିନ୍ନ ସ୍ଥାନରେ ଝୁମ୍ପୁଡି ଚାରିପଟେ ପାଣି ଜମିଥିବାରୁ ଜନସାଧାରଣ ଅରନ୍ଧା, ଅବାଢ ଅବସ୍ଥାରେ ରହିଛନ୍ତି । ଦେଉଳି ପଂଚୁଘଣ୍ଟା, ଶାନ୍ତିଆ, ସେକ୍‌ବାର୍ଡ, ନନ୍ଦିକା, ଭାଦା, ଅଲାଲପୁର, ଚୁଡାମଣିପୁର ଇତ୍ୟାଦି ଅଂଚଳରେ ବର୍ଷାପାଣି ଜମି ରହିଥିବା ଦେଖିବାକୁ ମିଳିଛି । ୱାର୍ଡ ନଂ ୧୩, ୧୪, ୧୫, ୧୬, ୧୭ ଗ୍ରାମାଂଚଳ ହୋଇଥିବାରୁ ଏହାର ରାସ୍ତାଘାଟ କାଦୁଅ ପଚପଚ ପୁଣି କେତେକ ସ୍ଥାନରେ ରାସ୍ତା ଉପରେ ପାଣିର ସୁଅ ଛୁଟିଛି । ଆସନ୍ତା ଦିନରେ ଅଧିକ ବର୍ଷା ହେବାକୁ ଥିବାରୁ ପରିସ୍ଥିତି ଅଣାୟତ୍ତର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ରିପୋର୍ଟ : ଭୂପତି ପରିଡା