ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ମାସ ଧରି ଠପ୍ ହୋଇ ଯାଇଥିବା ଜୀବନ ଜୀବିକାକୁ ପୁଣି ଆରମ୍ଭ କରିବାକୁ ଟ୍ରେନ ସେବା ଆରମ୍ଭ ହୋଇଛି । କରୋନା ସଙ୍କଟ ଟଳି ନ ଥିଲେ ବି ଏବେ ଭୟ ସହ ଭିଟାମାଟି ଛାଡ଼ି ପୁଣି ଥରେ କର୍ମକ୍ଷେତ୍ର ସୁରଟ୍ ମୁହାଁ ହୋଇଛନ୍ତି ପ୍ରବାସୀ । କରୋନା ସଙ୍କଟ ଯୋଗୁଁ ଜୀବନ ଓ ଜୀବିକା ଆଶାରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଫେରି ଆସିଥିଲେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ । ହେଲେ କରୋନା ଯୋଗୁଁ ମାସ ମାସ ଧରି କିଛି କାମ ଧନ୍ଦା ନ ପାଇ ବସିବା ପରେ ପେଟର କଷ୍ଟ କରୋନାକୁ ଯେପରି ମାତ୍ ଦେଇଛି । ବର୍ତ୍ତମାନ କରୋନା ଭୁତାଣୁ ସଂକ୍ରମଣ ସଙ୍କଟକୁ ଆଦରି ନେଇ କାମ ସନ୍ଧାନ ଓ ରୋଜଗାର ଆଶାରେ ସୁରଟ୍ ଯିବାକୁ ଶ୍ରମିକମାନେ ସଜବାଜ ହେବା ଆରମ୍ଭ କରିଲେଣି । ସେଥିପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନ୍ ସେବା । ଆଜି ସକାଳ ୧୦ଟା ୪୦ମିନିଟରେ ପୁରୀ-ଓଖା ଏକ୍ସପ୍ରେସ୍ ଖୋର୍ଦ୍ଧା ଛାଡ଼ିବ । ବ୍ରହ୍ମପୁରରେ ଏହା ୧୨ଟା ୪୦ ମିନିଟରେ ପହଞ୍ଚିବାକୁ ଥିବା ବେଳେ ଶ୍ରୀକାକୁଲମ୍, ବିଜୟନଗରମ୍ ହୋଇ ଓଖାରେ ପହଞ୍ଚିବ । ଖୋର୍ଦ୍ଧା ରୋଡ୍ ଏବଂ ବ୍ରହ୍ମପୁର ରେଳଷ୍ଟେସନ ଶ୍ରମିକ ଏହି ଟ୍ରେନରେ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସୂଚନାଯୋଗ୍ୟ, ଗତକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଖୋର୍ଦ୍ଧା ରୋଡରୁ ଗୁଜରାଟ୍ ଅଭିମୁଖେ ବାହାରିଛି । ଏହାସହ ଖୋର୍ଦ୍ଧା ରୋଡ୍-ଗାନ୍ଧୀ ଧାମ୍ ଟ୍ରେନ୍ ଖୋର୍ଦ୍ଧା ରୋଡରୁ ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧ଟା ୪୦ମିନିଟରେ ଛାଡ଼ିବ । ବ୍ରହ୍ମପୁର, ରାୟଗଡ଼ା, ଟିଟିଲାଗଡ଼ ଦେଇ ଏହି ଟ୍ରେନ୍ ଗୁଜରାଟରେ ପହଞ୍ଚିବ ବୋଲି ଜଣାପଡିଛି ।