ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କର ଭୁଲ ଲକଡାଉନ ନୀତି ଫଳରେ ଦେଶରେ ଶ୍ରମିକ ମାନଙ୍କର ଘର ବାହୁଡା ଜନିତ ଅସୁବିଧା ପରିପେକ୍ଷୀରେ ଗଞ୍ଜାମ ଜିଲ୍ଲାକୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ମାନଙ୍କର ଆଗମନ ପରିପେକ୍ଷୀରେ ରାଜ୍ୟ ସରକାରଙ୍କର ପରିଚାଳନା ଓ ଥଇଥାନଗତ ନୀତି ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି । ପ୍ରଥମ ଅବସ୍ଥାରେ ଶ୍ରମିକମାନେ ବିଶେଷ କରି ସୁରଟରୁ ଆସିଥିବା ଶ୍ରମିକଙ୍କ ବିରୁଦ୍ଧରେ ରାଜ୍ୟ ସରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅପପ୍ରଚାର କଲେ, ଏପରିକି ପ୍ରବାସୀ ଶ୍ରମିକଙ୍କୁ ଠିକ ଭାବରେ ସେମାନଙ୍କର ପ୍ରାପ୍ୟ ୨ ହଜାର ଟଙ୍କା ମଧ୍ୟ ଦେଲେ ନାହିଁ । ସେମାନଙ୍କର ରହିବ ଖାଇବାର ଅବ୍ୟବସ୍ଥା ସାଙ୍ଗକୁ କେତେ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଆସିଲେ ଓ ଗଲେ ତାର ମଧ୍ୟ କୌଣସି ହିସାବ ସରକାରଙ୍କ ପାଖରେ ରହିଲା ନାହିଁ । ସରକାର ଜଙ୍ଗଲରେ କେତେ ବାଘ ଅଛନ୍ତି ତାହା ଗଣି ପାରୁଛନ୍ତି କିନ୍ତୁ ଗଞ୍ଜାମ ଜିଲ୍ଲାରୁ କେତେ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି ତାହା ଆଜି ସୁଦ୍ଧା ଗଣି ପାରୁ ନାହାନ୍ତି । ରାଜ୍ୟ ସରକାରଙ୍କ ଭୁଲ ପ୍ରବାସୀ ନୀତି ଯୋଗୁଁ ଯେଉଁ ଶ୍ରମିକ ମାନେ ଘର ମୁହାଁ ହେଉଥିଲେ ଏକାଧିକ ଦୁର୍ଘଟଣାମାନ ଘଟି ପ୍ରାଣ ହରେଇଥିବା ନଜର ଅଛି । ବର୍ତ୍ତମାନ ରାଜ୍ୟ ସରକାର ଜିଲ୍ଲାରେ ଶ୍ରମିକ ମାନଙ୍କୁ କାମ ଯୋଗାଇବା ଓ ଥଇଥାନ କରିବାରେ ବିଫଳ ହୋଇଛନ୍ତି ଯାହା ଫଳରେ ଶ୍ରମିକ ଭାଇ ମାନେ ପୁଣି କରୋନା ସଂକ୍ରମକୁ ନ ଡରି ବଞ୍ଚିବା ଆଶାରେ ସୁରଟ, କଲକାତା, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗଲୁରୁ ପ୍ରଭୃତି ରାଜ୍ୟକୁ ଯିବାର ଆରମ୍ଭ କରିଛନ୍ତି । ଏହି ପ୍ରରିପେକ୍ଷୀରେ ଗତକାଲି ଛତିଶଗଡ଼ର ରାୟପୁର ନିକଟରେ ଗଞ୍ଜାମରୁ ଯାଉଥିବା ୭ ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣା ପାଇଁ ରାଜ୍ୟ ନବୀନ ସରକାର ସମ୍ପୂର୍ଣ୍ଣ ଦାୟୀ ଅଟେ । ଗତ କିଛି ଦିନ ହେଲା ହଜାର ହଜାର ପ୍ରବାସୀ ଶ୍ରମିକ ଅନେକ ବସରେ ଅତି ବିପଦ ସଂକୁଳ ଅବସ୍ଥାରେ ଅନ୍ୟ ରାଜ୍ୟକୁ କାମ ଧନ୍ଦା ଆଶାରେ ଯାଉଛନ୍ତି । ଏକଥା ରାଜ୍ୟ ସରକାର ଜାଣି ଅଜଣା ପରି ଚୁପ ରହୁଛନ୍ତି । ଶ୍ରମିକ ମାନଙ୍କର ଯିବା ଆସିବାର କୌଣସି ପଞ୍ଜିକରଣ କରାଯାଉ ନାହିଁ । ଦୀର୍ଘ ୨୦ ବର୍ଷର ନବୀନ ସରକାର ଗଞ୍ଜାମ ଜିଲ୍ଲାକୁ ଶିଳ୍ପ ବିହନରେ ପରିଣତ କରି ଦେଇଛନ୍ତି । କୃଷି ଓ କୃଷି ଶ୍ରମିକଙ୍କ ଅବସ୍ଥା ନ କହିଲେ ଭଲ । ଚାଷୀର ଜମିକୁ ପାଣି ଯୋଗାଇବାରେ ନବୀନ ସରକାର ବିଫଳ ହୋଇଛି । ଆସିକା ସୁତା କଳରେ ତାଲା ଝୁଲୁଛି । ଚିନି ଶିଳ୍ପ ରୁଗୁଣ ଅବସ୍ଥାରେ । କଂଗ୍ରେସ ସରକାର ଅମଳରେ କରାଯାଇଥିବା ଶିଳ୍ପାୟନ ଯଥା ଗୋପାଳପୁର ବନ୍ଦର ଓ ଟାଟା ଇସ୍ପାତ କାରଖାନା ରାଜ୍ୟ ସରକାରଙ୍କର ଆନ୍ତରିକ ଅଭାବରୁ ଏକ ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁନାହିଁ । ଜିଲ୍ଲାରେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ । ନବୀନ ସରକାର ଜିଲ୍ଲାରେ ମଦକୁ ଏକ କୁଟୀର ଶିଳ୍ପରେ ପରିଣତ କରି ଜିଲ୍ଲାର ଅର୍ଥନୀତିକୁ ଧ୍ବଂସ କରି ଦେଇଛନ୍ତି । ଅତଏବ ରାଜ୍ୟ ସରକାର ତୁରନ୍ତ ଗତକାଲି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପ୍ରବାସୀ ଶ୍ରମିକଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଅନ୍ତୁ । ପ୍ରବାସୀ ଶ୍ରମିକଙ୍କୁ NREGS ଯୋଜନା ଅନୁଯାୟୀ କାମ ଯୋଗାଇ ଦିଆଯାଉ ଓ ପ୍ରବାସୀ ଶ୍ରମିକଙ୍କ ପଂଜିକରଣକୁ ବାଧ୍ୟତାମୂଳକ କରାଯାଉ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିବା ଗଞ୍ଜାମ ଜିଲ୍ଲା ସଭାପତି ପୀତବାସ ପଣ୍ଡା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା