ମୁଁ ଏବେ ଯୋଉ କଥା କହିବାକୁ ଯାଉଛି ସେଥିରେ କୋୖଣସି ଓଡିଆ ଦ୍ଵିମତ ହେବେ ବୋଲି ମୁଁ ଭାବୁନାହିଁ।ପ୍ରତ୍ୟେକ ଓଡିଆଙ୍କର କୁଳଦେବତା,ଇଷ୍ଟଦେବତା ଜ୍ଞାତି କୁଟୁମ୍ବ ବନ୍ଧୁବାନ୍ଧବ,ପିତାମାତା,ଭାଇ,ଏକାନ୍ତ ନିଜର,ଚିର ନମସ୍ୟ ହେଲେ ନୀଳକନ୍ଦରରେ ବିଜେ
ନୀଳାଚଳନାଥ, ଶ୍ରୀଜଗନ୍ନାଥ । ଯିଏ ଆମର ଏନ୍ତୁଡିରୁ ଶ୍ମଶାନପର୍ଯ୍ୟନ୍ତର ସାଥି,ସଖା, ସହୋଦର ସେଇ ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଛାଡି ଗୁପ୍ତଭାବରେ ଲୁଚି ଲୁଚି ଅରମା, ଅବାଟ ବଣଜଙ୍ଗଲରେ ପ୍ରାୟ ୩୦୦ଵର୍ଷ ଲୁକ୍କାୟିତଭାବେ ରହିଥିଲେ ଏକଥା ବିଶ୍ବାସ ନହେଲେ ମଧ୍ୟ ଦିବାସୂର୍ଯ୍ୟ ପରି ସତ୍ୟ । ଏଥିରୁ କେବଳ ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇସ୍ଥିତ ତ୍ରିକୁଟ ପର୍ବତର ଗୁମ୍ଫାରେ ରହିଥିଲେ ପ୍ରାୟ ୨୦୦ଵର୍ଷ,ଏବଂ ବାକି ଦିନତକ,କେତେବେଳେ ଚିଲିକା ଭିତରେ ଗୁରୁବାଇ,ଚକାନାସୀ,ନଈରୀ ନିକଟସ୍ଥ କାଙ୍କଣ ଶିଖରୀ ତ କେତେବେଳେ ଗଞ୍ଜାମ ଜିଲ୍ଲାର ଶରଣ ଶ୍ରୀକ୍ଷେତ୍ର,ମାରଦା କେତେବେଳେ ଆଠଗଡ଼(ଗଞ୍ଜାମ) ଏମିତି କେତେ କୋଉଠି କି ଅବସ୍ଥାରେ,ନିର୍ବାସନରେ ପ୍ରଭୁ ରହିଥିଲେ ଭାବିଲେ ଦେହ କଣ ହୋଇଯାଉଛି ! ଆଜି ଆସନ୍ତୁ ଜାଣିବା ଲୀଳାମୟ ନୀଳାଦ୍ରିଵିହାରୀ ୧ଵର୍ଷ ୪ମାସ ବିତାଇଥିବା ପୁରୀ ଜିଲ୍ଲା,ଚିଲିକାତଟ ନଈରୀ ଗ୍ରାମ ସନ୍ନିକଟ କାଙ୍କଣକୁଦ ବା କାଙ୍କଣ ଶିଖରୀରେ ।
୧୭୩୧ ମସିହାରୁ ୧୭୩୩ ମଧ୍ୟରେ ମୋଗଲ ସେନାପତି ତକି ଖାଁଙ୍କ ଦ୍ଵାରା ଶ୍ରୀମନ୍ଦିର ଆକ୍ରମଣ ପରେ ପ୍ରଭୁ ଜଗନ୍ନାଥଙ୍କୁ ବଞ୍ଚାଇବାକୁ ସେବକଗଣ ସାଧାରଣ ଜନତାଙ୍କ ସହ ମିଶି ଭାର୍ଗବୀ ନଦୀ ବାଟେ ଡଙ୍ଗାରେ ନେଇ ଚିଲିକା ମଧ୍ୟସ୍ଥ ନଈରୀ ଗ୍ରାମ ନିକଟସ୍ଥ ଦ୍ଵୀପ କାଙ୍କଣକୁଦରେ ଅବସ୍ଥାପନ କରିଥିଲେ।ସେଠାରେ ତତ୍କାଳୀନ ସମୟରେ ଉପଲବ୍ଧ କାଙ୍କଣ (ଛୋଟ ଦେଶୀ କାଙ୍କଡ) ଏବଂ ସନ୍ନିକଟ ଯମୁନା ନିର୍ଝର ନାମକ ଏକ ଝରଣାର ମିଠା ଜଳରେ(ଚିଲିକାର ଜଳ ଲୁଣିଆ)ପୂଜାର୍ଚ୍ଚନା କରାଯାଉଥିଲା,ସେଇଦିନୁ ପାହାଡ଼ରେ ଉତ୍ପନ ହେଉଥିବା କାଙ୍କଣ ଫଳ(ଠାକୁରଙ୍କୁ ଅର୍ପଣ କରାଯାଉଥିଲା)ହେତୁରୁ,ପ୍ରଭୁଙ୍କୁ ଧାରଣ କରିଥିବାରୁ ସେହି ପର୍ବତ “କାଙ୍କଣ ଶିଖରୀ” ନାମରେ ପ୍ରସିଦ୍ଧି ଲାଭ କରିଛି । ୪ମାସପରେ ସୁବିଧା ଦୃଷ୍ଟିରୁ ଶ୍ରୀଜୀଉମାନଙ୍କୁ ନଈରୀ ଗ୍ରାମର ଦୋଳମଣ୍ଡପ ସାହିସ୍ଥିତ ଶ୍ରୀହରିହର ଦେବ ମନ୍ଦିରକୁ ସ୍ଥାନାନ୍ତରିତ କରାଗଲା । ସେଠାରେ ହରି ଓ ହର ଉଭୟ ଶୈବ ଓ ଵୈଷ୍ପଵ ଗୋଷ୍ଠୀର ଭକ୍ତମାନେ ଏକାଠି ପୂଜାର୍ଚ୍ଚନା କରନ୍ତି ଯାହା ସାଧାରଣତଃ ବିରଳ।ସେଠାରେ ଏକ ଲକ୍ଷ୍ମୀ-ନୃସିହ ମନ୍ଦିର ମଧ୍ୟ ଅଛି।ଶ୍ରୀଜୀଉମାନେ ସେଠାରେ ତିନିଗୋଟି ଗୋଲାକାର ପଥର ଉପରେ ବିଜେ ହୋଇଥିଲେ,ଯାହା ଅଦ୍ୟାବଧି ବିରାଜମାନ,ଯାହାର ନାମ “ବିଜେ ଚକା”।ଗ୍ରାମର ଶେଷଭାଗରେ ରହିଛି ଗୁଣ୍ଡିଚାଘର,ନିକଟସ୍ଥ କୂପର ନାମ ମଧ୍ୟ ଗୁଣ୍ଡିଚା କୂପ ବର୍ଷେରୁ ଅଧିକ ନଈରୀରେ ମହାବାହୁଙ୍କ ଅବସ୍ଥାନ କାଳରେ ସ୍ଥାନୀୟ ଜନସାଧାରଣ ମହାଆଡମ୍ବରରେ ପାଳନ କରିଥିଲେ ରଥଯାତ୍ରା, ଯାହାର ସୁରକ୍ଷା ଦାୟିତ୍ବ ନେଇଥିଲେ ସ୍ଥାନୀୟ ପାଇକମାନେ,ଉଲ୍ଲେଖଯୋଗ୍ୟ ଖୋର୍ଦ୍ଧାର ସେ ଅଞ୍ଚଳ ପାଇକ ଅଧ୍ୟୁଷିତ।ସେଠାରେ ଜଗତରନାଥ ଲୀଳାଖେଳା କରିଥିବାରୁ ଶ୍ରୀହରିହର ଦେବ ମନ୍ଦିର (ନଈରୀ) ଏବଂ କାଙ୍କଣ ଶିଖରୀ ମିଳିତଭାବେ “ଲୀଳା କ୍ଷେତ୍ର” ନାମରେ ପରିଚିତ।୨୦୦୭ ରେ ଓଡ଼ିଶାର କେଉଁକେଉଁ ସ୍ଥାନ ଅଚଳମହାମେରୁ କାଳିଆ ସାଆନ୍ତଙ୍କ ଅସମୟରେ ଆଶ୍ରୟ ଦେଇ ଧନ୍ୟହୋଇଥିଲା ସେ ସମ୍ପର୍କରେ ବିଶଦ ଆଲୋଚନାପୂର୍ବକ ଶ୍ରୀମନ୍ଦିରପ୍ରଶାସକଗଣ ସେସବୁ ସ୍ଥାନ ଗସ୍ତ କରିଥିଲେ।ସେଥିରେ ନଈରୀ ଓ କାଙ୍କଣଶିଖରୀ ମଧ୍ୟ ଥିଲା।୨୦୧୪ରେ ପୁନଶ୍ଚ ନଈରୀରେ ଶ୍ରୀମନ୍ଦିର ପରିଚାଳନା କମିଟି,ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାରେ ସ୍ଥାନୀୟ ଉନ୍ନତିର ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ତଦନୁଯାୟୀ ହରିହର ଦେଵ ମନ୍ଦିରର ଜୀର୍ଣ୍ଣୋଧାର ସହିତ କାଙ୍କଣଶିଖରୀର ରକ୍ଷଣାବେକ୍ଷଣ ନିମନ୍ତେ ସେଠାରେ ୨୦୧୫ନବକଳେବର ସ୍ମୃତିସ୍ୱରୂପ ବୃକ୍ଷରୋପଣ କରାଯାଇଥିଲା,ସେସମୟରେ ଏକ ଚନ୍ଦନଘୋରା ପଥର ଆବିଷ୍କୃତ ହୋଇଥିଲା।ହରିହରଦେଵ ମନ୍ଦିରରେ ଏକ ନୂତନ ସିଂହାସନ ନିର୍ମିତ ହୋଇଥିଲା ଅନ୍ୟାନ୍ୟ ଜୀର୍ଣ୍ଣୋଧାର ସହିତ।ଏ ମନ୍ଦିରଦ୍ଵୟରପରିଚାଳନା ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଦୈନିକ ଟ୧୦୦/-ର ପାଣ୍ଠିର ବ୍ୟବସ୍ଥା କରାଯାଇଛି ସେବେଠାରୁ । କାଙ୍କଣଶିଖରୀଠାରେ ଏକ ନୂତନ ମନ୍ଦିର ପ୍ରତିଷ୍ଠା ପୂର୍ଵକ ୨୦୧୫ ମାର୍ଚ୍ଚ ୨୧ରେ ଶ୍ରୀମନ୍ଦିର ପ୍ରଶାସନଦ୍ଵାରା ପ୍ରଦତ୍ତ ନନ୍ଦିଘୋଷ ରଥର ଏକ ଚକଙ୍କୁ ପୂଜାର୍ଚ୍ଚନା କରାଯାଉଛି।
ଏଥିନିମନ୍ତେ ଜଣେ ପୂଜାରୀ ନିଯୁକ୍ତ ହୋଇଛନ୍ତି ଓ ଗୋଟିଏ କୂଅ ଖୋଳାଯାଇଛି। କାଙ୍କଣ-ଶିଖରୀର ପାଦଦେଶରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୫ଟି ସିମେଣ୍ଟ ବେଞ୍ଚ ଓ ୪ଗୋଟି ସୌର ଆଲୋକର ବ୍ୟବସ୍ଥା କରାଯାଇଛି ଯାତ୍ରୀମାନଙ୍କ ସୁବିଧା ସକାଶେ।କାଙ୍କଣଶିଖରୀ ବୁଲିବା ନିମନ୍ତେ ସ୍ବଳ୍ପଖର୍ଚ୍ଚରେ ବୋଟର ବ୍ୟବସ୍ଥା ମଧ୍ୟ ଉପଲବ୍ଧ।ସ୍ଥାନୀୟ ଜନସାଧାରଣ କାଙ୍କଣଶିଖରୀ ଏବଂ ହରିହରଦେବମନ୍ଦିର,ନଈରୀ ଉଭୟଙ୍କୁ ମିଶାଇ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତି। ଚାରିପଟେ ଚିଲିକା ହ୍ରଦର ଅପରୂପ ସୌନ୍ଦର୍ଯ୍ୟ ଏବଂ ଘଞ୍ଚ ବୃକ୍ଷରାଜି କାଙ୍କଣଶିଖରୀକୁ ଏକ ଅନିଵର୍ଚନୀୟ ଆକର୍ଷଣ ପ୍ରଦାନ କରିଛି । ଚାଲନ୍ତୁ ନାଁ ଥରେ ବୁଲି ଆସିଵେ ହରିହର ଦେଵ ମନ୍ଦିର ସହ କାଙ୍କଣଶିଖରୀର ଆଧ୍ୟାତ୍ମିକ ତଥା ପ୍ରାକୃତିକ ବୈଭବ,ନିରାମିଷ ବଣଭୋଜି ନିମନ୍ତେ ସ୍ଥାନଟିର ପଟାନ୍ତର ନାହିଁ।ଆପଣ ଯଦି ନଈରୀ ଯିବାକୁ ଚାହାନ୍ତି ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଗଲେ ବାଲୁଗାଁର ଅବ୍ୟବହିତ ପୂର୍ବରୁ ଵାମପଟକୁ ନାଚୁଣୀ(ସାଇନଵୋର୍ଡ ଅଛି)ଛକରୁ ବାମପଟେ ୫ କି.ମି. ଗଲେ ନଈରୀ ପଡ଼ିବ,ସେଠାରେ ହରିହରଦେଵ ମନ୍ଦିର ଦର୍ଶନ କରିସାରି ନିକଟସ୍ଥ କାଙ୍କଣଶିଖରୀକୁ ଯିବାରେ ଅସୁବିଧା ହେବନି । ଲେଖକ : ଜୟନ୍ତ ପଟ୍ଟନାୟକ
1 thought on “ପ୍ରଭୁଙ୍କର ଗୁପ୍ତରହଣୀସ୍ଥଳୀ : କାଙ୍କଣ ଶିଖରୀ”
Comments are closed.
Went through article of Mr Jayanta Patnaik reg hideout of Pravu Jagannath at Kankani Sikhari.The writing style of the writer & his research to unearth the hidden stories of Lord Jagannath in byegone days is praiseworthy.It gave me pleasure.I wish all the best