ପ୍ରାଇସ୍‌,ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ଚାଷୀ ଆନ୍ଦୋଳନ:ଶତାଧିକ ଚାଷୀଙ୍କୁଉଠାଇନେଲା ପୁଲିସ୍‌…

କେନ୍ଦୁଝର(ପ୍ରସନ୍ନ ପଟ୍ଟନାୟକ)ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ପଦଯାତ୍ରାରେ ଭୁବନେଶ୍ୱର ଆସୁଛନ୍ତି । ତେବେ ପଦଯାତ୍ରାରେ ଆସୁଥିବା ଚାଷୀଙ୍କୁ ପୁଲିସ୍‌ ଅଟକାଉଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି । ଆଜି ସକାଳେ ଶତାଧିକ ମହିଳା ଓ ପୁରୁଷ ଚାଷୀ କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିବା ବେଳେ କେନ୍ଦୁଝର ରେଳ ଷ୍ଟେସନରେ ସେମାନଙ୍କୁ ପୁଲିସ୍ ଗିରଫ କରିଛି। ଏହାସହ ସଂଗଠନର ସଂଯୋଜକ ସୁବାସ ପଣ୍ଡାଙ୍କୁ ପୁଲିସ୍ ଉଠାଇ ନେଇଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ କହିଛନ୍ତି । ସେ ଆହୁରି କହିଛନ୍ତି,“ଗତକାଲି ରାତିରେ ମଧ୍ୟ ଯାଜପୁର କୁଆଖିଆ ଓ ବାଲୁଗାଁରୁ ପଦଯାତ୍ରାରେ ଆସୁଥିବା ଚାଷୀଙ୍କୁ ଅଟକ ରଖାଯାଇଥିଲା।”କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଉଦ୍ୟମ କରୁଥିବା ଅକ୍ଷୟ କୁମାର କହିଛନ୍ତି।