ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ରାଇବଣିଆ ଥାନା ଅଞ୍ଚଳର ଜନୈକ ଯୁବକ ପୂର୍ବ ମେଦିନୀପୁର ଜିଲା ଏଗ୍ରା ଥାନା ଅଂଚଳର ଜନୈକା ଯୁବତୀ ସହିତ ଦୀର୍ଘଦିନର ପ୍ରେମ ସଂପର୍କ ସେମାନଙ୍କୁ ବିବାହ ବନ୍ଧନରେ ଅବଦ୍ଧ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯୌତୁକ ନ ଆଣି ପାରିବା ଫଳରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ସହି ନ ପାରି ଯୁବତୀ ଜଣକ ଶେଷରେ କନିଅର ମଞ୍ଜି ବାଟି ଖାଇ ମୃତ୍ୟୁବରଣ କରିଛନ୍ତି । ଏହାକୁ ଝିଅର ମା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପ୍ରକାଶ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଘଟଣାରୁ ପ୍ରକାଶ, ରାଇବଣିଆ ଥାନା ଅନ୍ତର୍ଗତ ମୁଣୁତୁଣିଆ ଗାଁର ଚିତ୍ତରଂଜନ ମିଶ୍ରଙ୍କ ଏକମାତ୍ର ପୁଅ ସପନ ପୂର୍ବ ମେଦିନୀପୁର ଜିଲାର ଛତ୍ରୀ ଗାଁର ତପନ ପାହାଡୀଙ୍କ ଝିଅ ଗୌରୀଙ୍କୁ ପ୍ରେମ ବିବାହ କରିଥିଲା । ବିବାହର ୭ବର୍ଷ ମଧ୍ୟରେ ୪ବର୍ଷର ପୁଅ ଓ ୨ବର୍ଷର ଝିଅ ଥିବା ବେଳେ ସପନର ବାପା ମା ଓ ସପନ ନିଜେ ବାରମ୍ବାର ଯୌତୁକ ନିର୍ଯ୍ୟାତନ ଦେଇ ଆସୁଥିଲେ । ଏପରିକି ଯୌତୁକ ନ ଆଣିଲେ ମାରିଦେବାର ଧମକ ଗୌରୀର ମା ତାପସୀ ପ୍ରକାଶ କରିଛନ୍ତି । ଏ ସଂପର୍କରେ ବାରମ୍ବାର ବିଭିନ୍ନ ସ୍ଥାନରେ ବିଚାର ବିମର୍ଷ ହୋଇଥିଲେ ମଧ୍ୟ ଗତ ୨୪ ତାରିଖରେ ଗୌରୀ କନିଅର ମଞ୍ଜି ଖାଇ ଅସୁସ୍ଥ ହୋଇଥିବାର ଶ୍ୱଶୁର ଘର ଲୋକେ ଜଣାଇଥିଲେ । ଗୌରୀକୁ ପ୍ରଥମେ ହାତୀଗଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ୱର ମୁଖ୍ୟଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ସେଠାରେ ତାର ମୃତ୍ୟୁ ହୋଇଥିଲା । ହାତୀଗଡ ପୋଲିସ୍ ୮୬/୧୯ ମୂଳେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା