

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଖମ୍ବାରୀଗାଁ ପଞ୍ଚାୟତର ଗୋଲଣ୍ଡା ପ୍ରାଥମିକ ବିଦ୍ୟାଳୟର ଟିଣ ଛାତ ସାମୁଦ୍ରିକ ଝଡ ଫଣୀ ପ୍ରଭାବରେ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ସମ୍ପ୍ରତ୍ତି ୨୦୧୯-୨୦ ଶିକ୍ଷା ବର୍ଷ ଆରମ୍ଭ ହୋଇ ଛାତ୍ରଛାତ୍ରୀ ମାନଙ୍କର ନାମଲେଖା ହୋଇଯାଇଥିବା ବେଳେ ଗ୍ରୀଷ୍ମ ଅବକାଶ ପରେ ଶିକ୍ଷା ବର୍ଷ ଆରମ୍ଭ ହେବ । ପୁନଶ୍ଚ ବିଦ୍ୟାଳୟ ଆରମ୍ଭ ହେବା ପୂର୍ବରୁ ଏହାର ମରାମତି ପାଇଁ ଦାବୀ ହୋଇଛି । ପ୍ରକାଶ ଯେ, ୧୯୪୬ ମସିହାରେ ସ୍ଥାପିତ ଏହି ସର୍ବ ପୁରାତନ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ସବୁ ଅଦ୍ୟାବଧି ପକ୍କା ହୋଇନଥିବା ବେଳେ ଟିଣ ଛାତ ରହିଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଥିବା ବେଳେ ତିନି ଗୋଟି ଶ୍ରେଣୀ ଗୃହ ରହିଛି । ବିଦ୍ୟାଳୟର ଅତିରିକ୍ତ ୩ ଗୋଟି କକ୍ଷ ରହିଥିବା ବେଳେ ସେସବୁକୁ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ବିପଦ ଶଙ୍କୁଳ କୋଠା ଭାବେ ଘୋଷଣା କରିଦିଆଯାଇଛି । ଏଣୁ ସେସବୁରେ ଶିକ୍ଷାଦାନ କାର୍ଯ୍ୟକ୍ରମ ବନ୍ଦ କରାଯାଇ ତିନି ଗୋଟି କକ୍ଷରେ ବିଦ୍ୟାଳୟ ଚାଲୁ ରହିଛି । ପୂର୍ବରୁ ବିଭିନ୍ନ ସମୟରେ ଝଡ ତୋଫାନରେ ବିଦ୍ୟାଳୟର ଟିଣ ଓ ଆଜବେଷ୍ଟସ୍ ଛାତ ଭାଙ୍ଗି ରୁଜିଯାଇଥିଲା । ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନେଇ ମତଦାନ ଗ୍ରହଣ ନେଇ ପୋଲିଂ ବୁଥ୍ ସ୍ଥାପନ କରିବା ପାଇଁ ବିଦ୍ୟାଳୟର କିଛି ମରାମତି କାର୍ଯ୍ୟ ହୋଇଥିଲା । ସେତେବେଳେ ପାଚେରୀ ଓ ଟିଣ ଛାତ ଆଦି ପଡିଥିଲା । ପକ୍କା ଛାତ ସହିତ ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ସ୍ଥାପନ ହେଉନଥିବାରୁ ବିପଦ୍ଜନକ ସ୍ଥିତିରେ କୋମଳମତି ଶିଶୁ ମାନେ ଶିକ୍ଷା ଗ୍ରହଣ କରୁଥିବା ନେଇ ମତ ପ୍ରକାଶ ପାଇଛି । ମଇ ମାସ ପ୍ରଥମ ସପ୍ତାହରେ ଘନୀଭୂତ ହୋଇଥିବା ସାମୁଦ୍ରିକ ଝଡ ଫଣୀ ପ୍ରଭାବରେ ଉକ୍ତ ଟିଣ ଛାତ ସବୁ ପବନରେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ଏନେଇ ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ହେଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସାମାଜିକ କର୍ମୀ ରଞ୍ଜନ ପାଣିଗ୍ରାହୀ, ଯୁବ ନେତା ସଞ୍ଜୟ ପାଣିଗ୍ରାହୀ, ବୃନ୍ଦାବନ ଚନ୍ଦ୍ର ଯୁବ ସଂଗଠନ ସଭାପତି ଚିତ୍ରସେନ ଗୌଡ, ସାଗର ପାଣିଗ୍ରାହୀ, ବିଜୟ ସାହୁ, କେଦାର ପାଣିଗ୍ରାହୀ, ଚକ୍ର ପାଣିଗ୍ରାହୀ, ରଞ୍ଜନ ଗୌଡ ପ୍ରମୁଖ ଦାବୀ କରିଛନ୍ତି । ଅନ୍ୟ ପକ୍ଷରେ ନିର୍ବାଚନ କାର୍ଯ୍ୟକ୍ରମ ଶେଷ ହେବା ପରେ ବିଦ୍ୟାଳୟର ଉନ୍ନତି ସକାଶେ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଡିଓ ହଳଧର ଶବର ଓ ବିଇଓ ବସନ୍ତ ପଣ୍ଡା କହିଛନ୍ତି । ଅନ୍ୟପକ୍ଷରେ ଗ୍ରୀଷ୍ମ ଅବକାଶ ଶେଷ ହୋଇ ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟର ମରାମତି କାର୍ଯ୍ୟ ହୋଇନଥିଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
