ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଧାମଲିମା ଗ୍ରାମ ନିକଟସ୍ଥ ଘାଟିରେ ବୁଧବାର ସ୍ପନ୍ଦନା ଫାଇନାନ୍ସ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ଛୁରା ମାରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ରାୟଗଡ଼ା ସ୍ଥିତ ସ୍ପନ୍ଦନା ଫାଇନାନ୍ସ କର୍ମଚାରୀ ଚିନ୍ମୟ ପାଣି(୨୮) ଶିକରପାଇ ଗାଁକୁ ଆସି ଟଙ୍କା ଆଦାୟ କରି ରାୟଗଡ଼ା ଫେରିଯିବା ବେଳେ ଅପରାହ୍ଣରେ ଏକ କଳା ହଳଦିଆ ରଙ୍ଗର ପଲସର ଗାଡ଼ିରେ ୩ ଜଣ ମୁଖା ପିନ୍ଧା ଯୁବକ ଆସି ତାଙ୍କୁ ଶିକରପାଇ ପଞ୍ଚାୟତ ଧାମଲିମା ଗ୍ରାମ ନିକଟସ୍ଥ ଘାଟିରେ ଅଟକାଇ ଥିଲେ । ପ୍ରଥମେ ଦୁର୍ବୃତ୍ତମାନେ ଏକ ଠେଙ୍ଗାରେ ତାଙ୍କୁ ପିଟିବାରୁ ସେ ତଳେ ପଡ଼ିଯାଇ ଥିଲେ । ପରେ ଚିନ୍ମୟ ଧରିଥିବା ଟଙ୍କା ବ୍ୟାଗକୁ ସେମାନେ ଛଡ଼ାଇ ଥିଲେ । ଚିନ୍ମୟ ବ୍ୟାଗ ନ ଦେବାରୁ ତାଙ୍କ ବେକକୁ ଅଧା କାଟି ଟଙ୍କା ବ୍ୟାଗ ଦେବା ପାଇଁ ଧମକାଇ ଥିଲେ । ଚିନ୍ମୟ ଭୟଭୀତ ହୋଇ ଟଙ୍କା ବ୍ୟାଗଟି ଦୁର୍ବୃତ୍ତମାନଙ୍କୁ ଦେଇ ଦେଇଥିଲେ । ବ୍ୟାଗରେ ମୋଟ ୧ଲକ୍ଷ ୩୦ହଜାର ଟଙ୍କା ଥିଲା । ଦୁର୍ବୃତମାନେ ଟଙ୍କା ବ୍ୟାଗ ଧରି ପଲସର ଗାଡ଼ିରେ ଚାଲି ଯାଇଥିଲେ । ଘଟଣାସ୍ଥଳରେ ପଡ଼ିଥିବା ଚିନ୍ମୟ କଲ୍ୟାଣସିଂହପୁର ଥାନାକୁ ନିଜେ ଯୋଗାଯୋଗ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକ ଚିନ୍ମୟଙ୍କୁ ଉଦ୍ଧାର କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ । ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ