

ଛତ୍ରପୁର (ସମୃଦ୍ଧ ଓଡିଶା) ଫାସିଗୁଡା ଗ୍ରାମର ଘାଇହୁଡ଼ା ଠାରେ ଆନିକଟ କରି ଧାନ ଚାଷ ଜମିକୁ ପାଣି ଯୋଗାଇ ଦେବା ନିମନ୍ତେ ଫାସିଗୁଡା ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଗତ ବର୍ଷ ତିତିଲି ବାତ୍ୟା ଓ ବର୍ଷା ଯୋଗୁଁ ଘାଇହୁଡ଼ାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । କିନ୍ତୁ ସେହି ଘାଇହୁଡ଼ାକୁ ଅସ୍ଥାୟୀ ଭାବେ ଆନିକଟ କରି ଚାଷ ଜମିକୁ ପାଣି ଯୋଗାଇ ଦିଆଯାଉଥିଲା । ବର୍ତ୍ତମାନ ଗତ ତା.୫/୯/୨୦୧୯ ରିଖ ଓ ତା.୬/୯/୨୦୧୯ ରିଖ ଲଗାଣ ବର୍ଷା ଯୋଗୁଁ ସେହି ଅସ୍ଥାୟୀ ଆନିକଟଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହା ଫଳରେ ଧାନ ଚାଷ ଜମିକୁ ଜଳସେଚନ ବିଚ୍ଛିନ୍ନ ହୋଇଯାଇଛି । ଏହି ଘାଇହୁଡାର ଜଳସେଚନ ଦ୍ୱାରା ପ୍ରାୟ ୧୦୦୦ ଏକର ଜମିରେ ଜଳସେଚିତ ହୋଇପାରୁଥିଲା । ବର୍ତ୍ତମାନ ଜମି ଗୁଡିକରେ ଜଳସେଚନ ହୋଇପାରୁ ନାହିଁ ଯାହା ଫଳରେ ଶହ ଶହ ଚାଷୀଙ୍କର ଅର୍ଥ ଖର୍ଚ୍ଚ ଓ କଷ୍ଟ କରି ଚାଷ କରିଥିବା ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ଓ ମରୁଡି ଦେଖାଦେବ । ତେଣୁ ତୁରନ୍ତ ଏହାର ତଦନ୍ତ କରି ଘାଇହୁଡ଼ା ଠାରେ ଆନିକଟ କରି ଧାନ ଚାଷ ଜମିକୁ ପାଣି ଯୋଗାଇ ଦିଆଯାଉ ବୋଲି ଚାଷୀ କୁଳ ପକ୍ଷରୁ ଦାବି କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
