ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା କାଶୀନଗର ପାର୍ଶ୍ୱରେ ପ୍ରବାହିତ ହେଉଥିବା ବଂଶଧାରା ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଂକେତ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ଜଳତାର ବର୍ତ୍ତମାନ ୫୪.୮୬ ମିଟର ଉଚ୍ଚତାରେ ପ୍ରବାହିତ ହେଉଛି । କାଶୀନଗର ଅଞ୍ଚଳରେ ପାଗ ମେଘୁଆ ରହି କୌଣସି ବର୍ଷା ହେଉ ନ ଥିଲେ ମଧ୍ୟ ନଦୀର ଉପର ମୁଣ୍ଡରେ ଥିବା ମହେନ୍ଦ୍ର ଗଡ, କୁତ୍ରଗଡ, ଗୁଡ଼ାରୀ ଓ ଗୁଣୁପୁର ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ କାଶୀନଗର ଠାରେ ବଂଶଧାରା ନଦୀରେ ଏଭଳି ପରିସ୍ଥିତି ଦେଖାଦେଇଛି । ବ୍ଲକ୍ ପ୍ରଶାସନ ପକ୍ଷରୁ ସଂପୃକ୍ତ ପରିସ୍ଥିତି ପ୍ରତି ତୀକ୍ଷଣ ଦୃଷ୍ଟି ରଖାଯାଇଛି । ଅନ୍ୟପକ୍ଷରେ କାଶୀନଗର ଠାରେ ବଂଶଧାରା ନଦୀର ବନ୍ୟା ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କାଶୀନଗର ବଂଶଧାରା ନଦୀର ତଳ ମୁଣ୍ଡରେ ଥିବା ଆନ୍ଧ୍ର’ର ହିରମଣ୍ଡଳମ ସ୍ଥିତ ଗୋଟା ଵ୍ୟାରେଜ୍ ର ୨୨ଟି ଗେଟ୍ ମଧ୍ୟରୁ ୧୭ ଟି ଗେଟ୍ କୁ ଦଶମିକ ୭ ମିଟର ଉଚ୍ଚତା’ରେ ଖୋଲି ଦିଆଯାଇଛି । ସେହି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୪୫ ହଜାର କ୍ୟୁସେକ ଜଳ ବାହାରକୁ ଛଡ଼ା ଯାଉଛି ବୋଲି ଗୋଟା ବ୍ୟାରେକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।ବଂଶଧାରା ନଦୀ ଜଳ ସ୍ରୋତ ପ୍ରଭାବରେ ନିକଟସ୍ତ ପମ୍ଫ ହାଉସ ଓ କେତେକ ଚାଷଜମି ଜଳ ମଗ୍ନ ହୋଇ ରହିଛି ।
ରିପୋର୍ଟ : କୃଶ କୁମାର ବେହେରା