ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ପ୍ରଶାସନିକ ବ୍ୟବସ୍ଥାରେ ବ୍ୟାପକ ଅଦଳବଦଳ ହେବାର ଆଭାସ ମିଳୁଛି । ସଚିବାଳୟ ଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ୍ସ୍ତର ପର୍ଯ୍ୟନ୍ତ ଅଧିକାରୀଙ୍କ ସ୍ତରରେ ଏପଟ ସେପଟ କରାଯାଇ ପ୍ରଶାସନିକ କଳକୁ ଅଧିକ କ୍ରିୟାଶୀଳ କରାଯିବ । ପୋଲିସ ପ୍ରଶାସନର ମଧ୍ୟ ଅନେକ ଅଦଳବଦଳ ହେବ ବୋଲି କୁହାଯାଉଛି । ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ଏସ୍ପି ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଥିଲା । ଏହାଛଡ଼ା ଅନେକ ଓଏଏସ୍ ଅଫିସରଙ୍କ ମଧ୍ୟ ବଦଳି କରାଯାଇଥିଲା । ଏବେ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଅଦଳବଦଳ ହେବ ବୋଲି ଶୁଣିବାକୁ ମିଳୁଛି । ଏଥର ମନ୍ତ୍ରିମଣ୍ଡଳରେ ଗତପାଳିର ଯେଉଁମାନେ ସ୍ଥାନ ପାଉଛନ୍ତି ସେମାନଙ୍କ ବିଭାଗରେ ବି ଅଦଳବଦଳ ହେଉଛି । ଏହାକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗରେ ସଚିବସ୍ତରୀୟ ଅଦଳବଦଳ ହେବାର ସମ୍ଭାବନା ବେଶୀ । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ପର୍ଯ୍ୟାପ୍ତ ସଂଖ୍ୟକ ବରିଷ୍ଠ ଆଇଏଏସ୍ ଅଫିସର ନ ଥିବାରୁ ସଚିବାଳୟରେ ଜଣେ ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗ ଓ ସଂସ୍ଥାର ଦାୟିତ୍ୱ ସମ୍ଭାଳିବାକୁ ପଡ଼ୁଛି । ପଶ୍ଚିମ ଓଡ଼ିଶାରେ ଲୋକସଭା ନିର୍ବାଚନରେ ବିଜେପିର ଏକତରଫା ବିଜୟ ହୋଇଛି । ଏହାଛଡ଼ା ମୟୂରଭଞ୍ଜ, ବାଲେଶ୍ୱର, ଭୁବନେଶ୍ୱର ଲୋକସଭା ଆସନ ବି ବିଜେପି କବ୍ଜା କରିଛି । ଆଉ ୪ଟି ଲୋକସଭା ଆସନ ଅଳ୍ପ ଭୋଟ୍ ବ୍ୟବଧାନରେ ବିଜେପି ହାରିଛି । ତେବେ ୨୦୧୪ ନିର୍ବାଚନ ତୁଳନାରେ ଏଥର କଂଗ୍ରେସର ସଂଖ୍ୟା ହ୍ରାସ ଘଟିଥିବା ବେଳେ ବିଜେପିର ସଂଖ୍ୟା ବଢ଼ିଛି ଏବଂ ବିଜେଡି ପୂର୍ଣ୍ଣ ବହୁମତ ପାଇ ପୁଣି କ୍ଷମତାକୁ ଫେରିଥିଲେ ମଧ୍ୟ ଏହାର ଆସନ ସଂଖ୍ୟା ୧୧୭ରୁ ୧୧୨କୁ ଖସିଛି । ୨୦୧୪ରେ ବିଜେଡି ୨୧ଟିରୁ ୨୦ଟି ଲୋକସଭା ଆସନ ଦଖଲ କରିଥିବା ବେଳେ ବିଜେପି ମାତ୍ର ଗୋଟିଏ ପାଇଥିଲା । ଏଥର କଂଗ୍ରେସ ଗୋଟିଏ ଲୋକସଭା ଆସନ ଜିତିଥିବା ବେଳେ ବିଜେପିର ଆସନ ସଂଖ୍ୟା ୮କୁ ବଢ଼ିଛି ଓ ବିଜେଡିର ଆସନ ସଂଖ୍ୟା ୨୦ରୁ ୧୨କୁ ହ୍ରାସ ପାଇଛି । ଏ ସଂକ୍ରାନ୍ତରେ ଏବେ ବ୍ୟାପକ ସମୀକ୍ଷା ଚାଲିଛି । ଆଗକୁ ପୌର ନିର୍ବାଚନ ଥିବା ପରିପ୍ରେକ୍ଷୀରେ ଏହି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ତାହାକୁ ଆଖି ଆଗରେ ରଖି ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଲୋକାଭିମୁଖୀ କରାଯିବା ଉପରେ ବିଜେଡି ବିଶେଷ ଗୁରୁତ୍ୱାରୋପ କରୁଛି । ଏହାଛଡ଼ା ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦପଦବୀଗୁଡ଼ିକୁ ଅଧିକ ସଂଖ୍ୟାରେ ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳୁଛି । ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ପରେ ପ୍ରଶାସନିକ ସ୍ତରରେ ଅଦଳବଦଳ ଏକ ପାରମ୍ପାରିକ ସାଧାରଣ କଥା । ଏହି ପରିସ୍ଥିତି ଉପୁଜିବା ପୂର୍ବରୁ ବରିଷ୍ଠ ଅଧିକାରୀମାନେ ସୁରକ୍ଷିତ ପଦପଦବୀରେ ଯେଭଳି ରହିପାରିବେ ତାହାକୁ ଆଖି ଆଗରେ ରଖି ଲବି ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି ।
ରିପୋର୍ଟ : ଆକାଶ ମିଶ୍ର