ବରିଡାରେ ବିଶାଳ ଚାଷୀ ସମାବେଶ:ଚାଷୀ ବିରୋଧୀ ଶକ୍ତିଙ୍କୁ ଗାଦିଚ୍ୟୁତ ପାଇଁ ନବନିର୍ମାଣ ସଂଗଠନର ଆହ୍ୱାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମରେ ତେଜୁଛି ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ । ବ୍ରହ୍ମପୁର ସହରରେ ବିଶାଳ କୃଷକ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଗ୍ରାମାଞ୍ଚଳରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଚାଷୀ ବିରୋଧୀ ସରକାରକୁ ଗାଦିଚ୍ୟୁତ କରିବା ସପକ୍ଷରେ ଲଢ଼େଇକୁ ଜୋରଦାର କରିଛି । ବରିଡା ଠାରେ ଆୟୋଜିତ ବ୍ଲକସ୍ତରୀୟ ସମାବେଶରେ ଜାତୀୟ ଚାଷୀ ସଙ୍ଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଗଞ୍ଜାମ ପ୍ରଭାରୀ ସଚିନ ମହାପାତ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ପାଛୋଟି ନିଆ ଯାଇଥିଲା । ସଭାକୁ ସମ୍ବୋଧିତ କରି ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ ଆମ୍ଭେ ଚାଷୀର ପେନସନ ୫ ହଜାର ଟଙ୍କା କରିବା ପାଇଁ ବାରମ୍ବାର ଦାବି କରି ଆସିଛୁ । ଚାଷୀ ପେନସନ କରିବା ପାଇଁ ସରକାର କ୍ୟାବିନେଟ କମିଟି ବୈଠକ ଡାକିଲେ ମାତ୍ର ପେନସନକୁ ବାଦଦେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଯେଉଁଥିପାଇଁ ନବନିର୍ମାଣ କୃଷକ ସଂଗଠନ ଏହି ବୈଠକକୁ ବର୍ଜନ କରିବା ସହ ଲଢ଼େଇର ଡକରା ଦେଇଛନ୍ତି । ଆମ୍ଭେ ମାସକୁ ପ୍ରତି ଚାଷୀଙ୍କ ୫ ହଜାର ଲେଖାଏଁ ମାସକୁ ପେନସନ ପାଇଁ ଦାବି କରିଥିବାରୁ ଏବେ ଆନ୍ଧ୍ରରେ ବେକାରୀ ଭର୍ତ୍ତା ଓ ବାର୍ଦ୍ଧକ୍ୟ ଭର୍ତ୍ତା ମିଶି ପ୍ରତି ପରିବାର ମାସକୁ ୫ ହାଜର ପାଇଲେଣି । ସେଠି ସରକାର ବର୍ଷକୁ ୨୦ ହଜାର ଦେଲା ବେଳେ ଏଠି ୧୦ ହଜାର ଦେବାର ପ୍ରତିଶ୍ରୁତିର ପ୍ରବଳ ପ୍ରଚାର ଚାଲିଛି । ଜାନୁଆରୀ ୩୧ ତାରିଖରେ ଏହାର ମୁହଁ ତୋଡ ଜବାବ ଦିଆଯିବ ଓ ୫ ଲକ୍ଷ ଲୋକ ଭୁବନେଶ୍ୱରକୁ ଘେରିବେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ମନ୍ତବ୍ୟରେ କହିଲେ ଯେ ଏବେ ଗାଁ ନେତାମାନେ ବହୁ ମିଛ ପ୍ରତିଶ୍ରୁତି ନେଇ ଗାଁକୁ ଧାଁ ଧପଡ଼ କଲେଣି । ହେଲେ ଏବେ ପ୍ରତ୍ୟେକ ଦଳର ନେତାଙ୍କୁ ପଚାରିବାର ସମୟ ଆସିଛି ଯେ ୭୨ ବର୍ଷର ସ୍ୱାଧିନତାରେ ଚାଷୀ ଚପରାଶି ତଳକୁ ଖସି ଗଲାଣି ଗୋଟେ ପିଅନ ଦରମାର ୪ ଭାଗରୁ ଭାଗେ କାହିଁକି ଗୋଟେ ଚାଷୀଙ୍କୁ ମାସିକ ୫ ହଜାର ହିସାବରେ ଦରମା ଦିଆଯାଇପାରିବ ନାହିଁ । ଏହି ଜବାବ ମାଗିବାକୁ ପ୍ରତି ଚାଷୀ ପରିବାରର ଲୋକେ ପେନସନ ପ୍ରସଙ୍ଗରେ ଭୁବନେଶ୍ୱର ବାହାରିବେ । ଗଞ୍ଜାମ ପ୍ରଭାରୀ ସଚିନ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଅସଲି ଲଢେଇ ଏବେ ଆରମ୍ଭ ହେବାକୁ ଯାଉଛି । ୭୦ ଭାଗ ଚାଷୀ ଆଗାମୀ ନିର୍ବାଚନରେ ନେତାମାନଙ୍କୁ ଚେତେଇ ଦେବେ ଯେ ଆମକୁ ତୁମେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଏବେ ତୁମକୁ ଅପେକ୍ଷା କରିବାର ସମୟ ଆସିଛି । ଚାଷୀ ପେନସନ ନାହିଁ ତ ଭୋଟ ନାହିଁ । ବ୍ଲକ ପ୍ରଭାରୀ ଅଶୋକ ଶାନ୍ତି କହିଲେ ଯେ ଆନ୍ଧ୍ର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସତ୍ତ୍ୱେ ନବୀନଙ୍କ ଅନୁଦାନ କେତେ ନ୍ୟୁନଆକୁ ନେଇ ଗାଁରେ ଚର୍ଚ୍ଚା ହେଉ । ଏହି ଚର୍ଚ୍ଚା ଶାସକ ଦଳର ନିଦ ଭାଙ୍ଗି ଦେବ । ଏନ. ନବଘନ ପ୍ରଧାନଙ୍କ ସଭାପତିତ୍ୱରେ ଆହୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଂଯୋଜକ ଗୌର ହରି ଜେନା, ଏନ. ବିକ୍ରମ ସାହୁ, ସହ ସଂଯୋଜକ ଅକ୍ଷୟ ନାୟକ, ସହ ସଂଯୋଜକ ସିମାଞ୍ଚଳ ନାୟକ, ସୂର୍ଯ୍ୟନନ୍ଦ ପ୍ରଧାନ, ପ୍ରମୋଦ ମାଝୀ, ରାମଚନ୍ଦ୍ର ମାଝୀ, କାଶୀନାଥ ପ୍ରଧାନ, ବଳରାମ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

3 thoughts on “ବରିଡାରେ ବିଶାଳ ଚାଷୀ ସମାବେଶ:ଚାଷୀ ବିରୋଧୀ ଶକ୍ତିଙ୍କୁ ଗାଦିଚ୍ୟୁତ ପାଇଁ ନବନିର୍ମାଣ ସଂଗଠନର ଆହ୍ୱାନ…

Comments are closed.