ବର୍ଷେ ହେଲା ଖାଲି ପଡିରହିଛି ରେଞ୍ଜର ପଦବୀ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ଏକ ବର୍ଷ ହେଲା ରେଞ୍ଜର ପଦବୀ ଖାଲି ପଡି ରହିଥିବା ଜଣାପଡିଛି । ଦିଗପହଣ୍ଡି ବନାଞ୍ଚଳରେ ଦିଗପହଣ୍ଡି, ପାଟପୁର, ନୂଆପଡା ଓ ଚିକିଟି ଭଳି ଚାରିଗୋଟି ସେକ୍ସନ ରହିଥିବା ବେଳେ ଜଣେ ଡେପୁଟି ରେଞ୍ଜର୍ଙ୍କ ଦ୍ୱାରା କାର୍ଯ୍ୟ ତୁଲାଯାଉଥିବା ପରିଲଖିତ ହୋଇଛି । ପୂର୍ବରୁ ଏଠାରେ ଓଏଫ୍ଏସ୍ କ୍ୟାଡର୍ର ଜଣେ ମହିଳା ରେଞ୍ଜର ନିଯୁକ୍ତି ପାଇଥିଲେ । ସେ ପଦୋନ୍ନତି ପାଇ ଘୁମୁଷର ଡିଭିଜନ୍କୁ ଚାଲିଯିବା ପରେ ସେବେ ଠାରୁ ଦିଗପହଣ୍ଡି ବନାଞ୍ଚଳରେ ରେଞ୍ଜର୍ ପଦବୀ ଖାଲି ପଡି ରହିଛି । ତାଙ୍କ ସ୍ଥାନରେ ସେଠାରେ ଜଣେ ଡେପୁଟି ରେଞ୍ଜରଙ୍କୁ ଗତ ୨୦୧୮ ମସିହା ଫେବୃୟାରୀ ମାସରେ ନିଯୁକ୍ତି କରାଯାଇଥିଲା । ସେବେ ଠାରୁ କାମଚଳା ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ଅନ୍ୟପକ୍ଷରେ ଡେପୁଟି ରେଞ୍ଜରଙ୍କ ଯୋଗୁଁ ଅସାଧୁ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ଆସିଛି । ପ୍ରକାଶ ଯେ, ନିଯୁକ୍ତି ପାଇଥିବା ଡେପୁଟି ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ପୂର୍ବରୁ ଦିଗପହଣ୍ଡି ବନାଞ୍ଚଳର ପାଟପୁର ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିଲେ । ପରବର୍ତ୍ତୀ ସମୟରେ ସେଠାରୁ ହିଞ୍ଜିଳି ବନାଞ୍ଚଳକୁ ତାଙ୍କର ସ୍ଥାନାନ୍ତର ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଡେପୁଟି ରେଞ୍ଜର ଭାବେ ପଦୋନ୍ନତି ପାଇ ଦିଗପହଣ୍ଡି ବନାଞ୍ଚଳରେ ନିଯୁକ୍ତି ପାଇଥିଲେ । ତେବେ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ଧରି ଭିନ୍ନ ଭିନ୍ନ ଦାୟିତ୍ୱରେ ରହିଆସୁଥିବାରୁ ଦିଗପହଣ୍ଡି ବନାଞ୍ଚଳରେ କାଠ ମାଫିଆ ଏବଂ ବନବିଭାଗ କର୍ତ୍ତୃପକ୍ଷ ମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ହୋଇଯାଇଛି ବୋଲି ଅବସରପ୍ରାପ୍ତ ଫରେଷ୍ଟର ଅଶୋକ ମିଶ୍ର ଅଭିଯୋଗ ଆଣିଛନ୍ତି । ସେହିପରି ବିଭିନ୍ନ ବିଷୟ ବସ୍ତୁ ସାର୍ବଜନୀନ କରିବାକୁ ବାଧ୍ୟତାମୂଳକ ରହିଥିବା ବେଳେ ତାହା କରାଯାଉନଥିବା ସେ ଅଭିଯୋଗ କରିଛନ୍ତି । ସୂଚନା ଅଧିକାର ନିୟମ ବଳରେ ଯେ କୌଣସି ତଥ୍ୟ ପ୍ରଦାନ କରିବାକୁ ବାଧ୍ୟତା ରହିଥିଲେ ହେଁ ତାହାକୁ ଭୃକ୍ଷେପ କରି ୬ ମାସରୁ ଉଦ୍ଧ୍ୱର୍ ଦିନ ବିତିଯାଇଥିଲେ ହେଁ କୌଣସି ପ୍ରକାର ତଥ୍ୟ ପ୍ରଦାନ କରୁନାହାନ୍ତି ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଗତ ୨୦୧୮ ଫେବୃୟାରୀ ମାସରୁ ଅଦ୍ୟାବିଧି ବନବିଭାଗ ପକ୍ଷରୁ ଯେତେ ଧରପଗଡ କରାଯାଇଛି ଅଧିକାଂଶରେ କାଠ ବେପାରୀ କରୁଥିବା ମାଲିକ ମାନଙ୍କୁ ଗିରଫ କରାଯାଇନଥିବା ବେଳେ ଔପଚାରିକତା ଦୃଷ୍ଟିରୁ କେବଳ ଚାଲାଣକାରୀ ଗାଡି ଚାଳକ ମାନଙ୍କୁ ଗିରଫ କରାଯାଉଛି ଯାହାର ନଜିର ପୂର୍ବରୁ ରହିଛି ବୋଲି ସେ କହିଛନ୍ତି । ତେବେ ଜଣେ ସ୍ଥାୟୀ ରେଞ୍ଜର ନିଯୁକ୍ତି କରାଗଲେ ଅସାଧୁ କାର୍ଯ୍ୟକଳାପ ଉପରେ ରୋକ ଲାଗିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଏଥିନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଏଫଓ ଆଶିଷ କୁମାର ବେହେରା କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା