ଗଞ୍ଜାମ (ସମୃଦ୍ଧ ଓଡିଶା) ଫଟୋରେ ଦେଖୁଛନ୍ତି କିଛି ଭଦ୍ର ବ୍ୟକ୍ତି ଫୁଲୁ ପ୍ୟାଣ୍ଟ ପିନ୍ଧି ନଚପାଚିଆ କାଦୁଅ ବିଲରେ ବୁଲୁଛନ୍ତି । ସାଙ୍ଗରେ ଖାକି ପୋଷାକ ପିନ୍ଧା ପୋଲିସ ବାବୁ ବି ଅଛନ୍ତି । ଏହାକୁ ଦେଖି ଆପଣ ଭାବୁ ଥିବେ କେତେ କଣ । ବାବୁଙ୍କର କଣ କିଛି ପଡିଗଲାକି ଯେ ଖୋଜୁଛନ୍ତି । ନା’ ଚାଷୀ ଋଣ ନେଇଥିଲା ଯେ ଶୁଝିପାରୁନି ବୋଲି ତା’ ତଳିକୁ ବାବୁ ମାନେ ନଷ୍ଟ କରୁଛନ୍ତି । ଏଭଳି ଅନେକ କିଛି ସନ୍ଦେହ ମନଭିତରେ ଉଙ୍କିମାରୁଥିବ ନିଶ୍ଚୟ । କିନ୍ତୁ ସେପରି ନୁହେଁ ଆସନ୍ତୁ ଦେଖିବା । ଧାନ ତଳି ପୋତୁ ଥିବା ଧୋବ ଧଲିଆ ବାବୁ ଜଣକ ଆଉ କିଏ ନୁହଁନ୍ତି ସେ ହେଉଛନ୍ତି ଜିଲ୍ଲାର ହର୍ତ୍ତା କର୍ତ୍ତା ଦଇବ ବିଧାତା ଆମ ଜିଲ୍ଲାପାଳ । ବାଃ ବାଃରେ ଜିଲ୍ଲାପାଳ । ଚାଷ କରିବାକୁ ଅଣ୍ଟା ଭିଡ଼ି ଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲା ପ୍ରଶାସନର ଭାର ସମ୍ଭାଳିବା ସହ ଚାଷ ଜମିରେ ପହଁଞ୍ଚି ଚାଷୀମାନଙ୍କ ସହିତ ମିଶି ଧାନତଳି ରୋଉଛନ୍ତି ଆମ ପ୍ରିୟ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ । ଜଣେ ଜିଲ୍ଲାପାଳ ଧାନ ଖେତରେ ପହଁଞ୍ଚି ଚାଷୀଙ୍କ ସହ ଧାନ ତୋଳି ରୋଇବା ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଖଲ୍ଲିକୋଟ ବ୍ଲକ ମଥୁରା ପଂଚାୟତର ଭରସା ଗ୍ରାମ ନିକଟରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ପ୍ରାୟ ୫୦ ଏକର ଜମିରେ ଧାନ ଚାଷ ଧାଡି ପ୍ରଣାଳୀରେ ଚାଷ କରିବାକୁ ଚାଷୀମାନଙ୍କୁ କିଛି ସରକାରୀ ସହାୟତା ଦିଆଯାଇଥିଲା । ଆଜି ନିଜେ ଜିଲ୍ଲାପାଳ ସେଠାକୁ ଯାଇ ଚାଷ ଜମି ଅନୁଧ୍ୟାନ କରିବା ସହ ନିଜେ କାଦ ହୋଇଥିବା ଚାଷ ଜମିରେ ପଶି ଚାଷ କାର୍ଯ୍ୟ କରିଛନ୍ତି । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଦେଖି ଉପସ୍ଥିତ ଚାଷୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଜିଲ୍ଲାପାଳ ନିଜେ ଆଣ୍ଠୁଏ କାଦୁଅରେ ଚାଷୀଙ୍କ ସହିତ ଚାଷ ଜମିରେ ଧାନ ତଳି ରୋଇ ଚାଷୀଙ୍କ ମନବଳକୁ ଆହୁରି ଦୁଇଗୁଣିତ କରି ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସାଧୁବାଦର କେନ୍ଦ୍ରଵିନ୍ଦୁ ପାଲଟିଛି ।ପ୍ରକାଶ ଯେ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବେଗୁନିଆପଡା ବ୍ଲକରେ ଅଭିଯୋଗ ଶୁଣାଣୀ କାର୍ଯ୍ୟସାରି ଖଲିକୋଟ ବ୍ଲକ ମଥୁରା ଗ୍ରାମପଞ୍ଚାୟତ ଭରସା ଗ୍ରାମଦେଇ ଫେରୁଥିବା ବେଳେ ତାଙ୍କ ନଜର ପଡିଲା କିଛି ଚାଷ ଜମିରେ ଧାନ ରୋଉଥିବା ଚାଷୀମାନଙ୍କ ଉପରେ । ସେ ସେଠାରେ ଗାଡି ଅଟକାଇ ଆଣ୍ଠୁଏ କାଦୁଅ ପାଣିରେ ପଶି ୩୦୦ମିଟର ଦୂରକୁ ଯାଇ ଏକ ଚାଷ ଜମିରେ ଧାନ ରୋଉଥିବା ଚାଷିମାନଙ୍କୁ ଶସ୍ୟ ଋଣ ଓ ଶସ୍ୟ ବୀମା ସଂପର୍କରେ ପ୍ରଶ୍ନ କରିବା ସହ ନିଜେ ଧାନ ରୋଇ ଚାଷିମାନଙ୍କୁ ଶିଖାଇ ଥିଲେ । ସେଠାରେ ଉପସ୍ଥିତ ୪୦/୫୦ ମହିଳା/ପୁରୁଷ ଚାଷୀମାନେ ଜିଲ୍ଲାପାଳ ଧାନ ରୋଇବାରେ ଦେଖି ହଠାତ୍ ଆଚାର୍ଯ୍ୟ ହୋଇଯାଇଥିଲେ ଓ ତାଙ୍କ ସହିତ ଜିଲ୍ଲାପାଳ ଧାନ ରୋଇଥିବାରୁ ସେମାନେ ନିଜକୁ ଆନନ୍ଦିତ ମଣି ଥିଲେ । ଏହାସହ ଉପସ୍ଥିତ ଥିବା ଚାଷୀ ଓ ଭାଗଚାଷୀମାନେ ଶସ୍ୟ ଋଣ ଏବଂ ଶସ୍ୟ ବୀମା ସଂପର୍କରେ କିଛି ଜାଣିନାହାନ୍ତି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କୁ କହିଥିଲେ । ସାଙ୍ଗରେ ଥିବା କୃଷିଉପନିର୍ଦ୍ଦେଶକ ମନୋଜ କୁମାର ବେହେରା ଓ ଖଲିକୋଟ ବ୍ଲକ କୃଷି କର୍ମଚାରୀ ମାନଙ୍କୁ ଚାଷୀଙ୍କୁ ଶସ୍ୟ ଋଣ ଓ ଶସ୍ୟ ବୀମା ସଂପର୍କରେ ସଚେତନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଦୀର୍ଘ ଦିନ ଧରି ବର୍ଷା ହେଉ ନ ଥିବା ବେଳେ ଚାଷୀକୂଳ ହତାଶ ହୋଇପଡିଥିଲେ ତେବେ ଦୁଇ ତିନି ଦିନ ଧରି ବର୍ଷା ହେବା ଫଳରେ ଜମି କାଦୁଅ ହେବାରୁ ଚାଷୀମାନେ ଚାଷ କାମ ଆରମ୍ଭ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
Good initiative