ବାତ୍ୟା ଅଞ୍ଚଳରେ ୮୫ ଜଣ ଡାକ୍ତରୀ ଦଳ

ଭୁବନେଶ୍ୱର ( ଆକାଶ ମିଶ୍ର ) – ବାତ୍ୟାଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ୮୫ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା  ଟିମ୍‍ କାର୍ଯ୍ୟ କରୁଥିବାବେଳେ ଏମାନଙ୍କୁ ୧୯୩ଟି ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର (ଏମ୍‍ଆରସି)ରେ ମୁତୟନ କରାଯାଇଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କୁ ତକ୍ରାଳ ସ୍ୱାସ୍ଥ୍ୟସେବା ଯୋଗାଣ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା କରିଥିବା ସମୀକ୍ଷାରୁ ଏହା ଜଣାଯାଇଛି ।ସମୀକ୍ଷା ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ସୂଚନା ଅନୁଯାୟୀ କ୍ଷତିଗ୍ରସ୍ତ ଅଞ୍ଚଳରେ ବାହାରୁ ୫୪ଜଣ ଡାକ୍ତରଙ୍କୁ ଆଣି ମୁତୟନ ମୁତୟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୩,୫୪୬ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବାବେଳେ ନିରାପଦ ପ୍ରସବ ଲାଗି ୨୫୨ ଜଣ ଗର୍ଭବତୀ ମହିଳାଙ୍କୁ ମା’ଗୃହ ଓ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ବାତ୍ୟା ପୂର୍ବରୁ ଆବଶ୍ୟକ ପରିମାଣର ଜୀବନ ରକ୍ଷାକାରୀ ଔଷଧ ଗଚ୍ଛିତ ଥିବାବେଳେ ଜଳ ବିଶୋଧନ ପାଇଁ ଆବଶ୍ୟକ ହେଉଥିବା ହାଲୋଜେନ୍‍ ବଟିକା, ଆଣ୍ଟିବାୟୋଟିକ୍ସ, ପାରାସିଟାମଲ, ଆଣ୍ଟାସିଡ୍‍, ସାପକାମୁଡା ଇଞ୍ଜେକ୍‍ସନ, ବ୍ଲିଚିଂପାଉଡର ଓ ଓଆରଏସ୍‍ ପ୍ୟାକେଟ୍‍କୁ ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଉଛି ।ବର୍ତ୍ତମାନ ସୁଦ୍ଧା ୨୫କିଲୋ ଓଜନର ୫୪୫୦ ପ୍ୟାକେଟ୍‍ ବ୍ଲିଚିଙ୍ଗ୍‍ ପାଉଡର ପ୍ରଭାବିତ ଅଞ୍ଚଳକୁ ପଠାଯାଇଥିବାବେଳେ ୧୨,୩୦,୦୦୦ ପ୍ୟାକେଟ୍‍ ଓଆରଏସ୍‍ ଓ ୮୦,୦୦୦ ସାଲାଇନ୍‍ ପଠାସରିଛି ।ସେହିଭଳି ୫୦ଲକ୍ଷ ୭୦ହଜାର ହାଲୋଜେନ୍‍ ବଟିକା ଓ ୨୫୦୦ ଭାଏଲ ସାପକାମୁଡା ଇଞ୍ଜେକସନ୍‍ ପ୍ରଭାବିତ ଜିଲ୍ଲାକୁ ପଠାଯାଇଥିବା ଅଧିକାରୀମାନେ ଅବଗତ କରିଛନ୍ତି । କୌଣସି ଠାରେ ଯେଭଳି ମହାମାରୀ ନବ୍ୟାପେ ସେଥିପାଇଁ ଆବଶ୍ୟକ ପରିମାଣ ଔଷଧ ଓ ଇଞ୍ଜେକସନ ଯୋଗାଯାଇଛି ।ନିୟମିତ ଭାବେ ପାନୀୟଜଳ ଉତ୍ସ ଗୁଡିକୁ ବିଶୋଧନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୭୨ହଜାର ନଳକୂପକୁ ବିଶୋଧନ କରାଯାଇଥିବାବେଳେ ୧୬୦ଟି ଗ୍ରାମରେ ସଫେଇ କାର୍ଯ୍ୟ ହୋଇଛି ।କ୍ଷତିଗ୍ରସ୍ତ ଅଞ୍ଚଳର ଗାଁ ଗୁଡିକୁ ସଫା କରିବାଲାଗି ଗାଁ କଲ୍ୟାଣ ସମିତି ଗୁଡିକ ସହଯୋଗ ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବାବେଳେ ପ୍ରଭାବିତ ଜିଲ୍ଲାରେ ଚାଲୁଥିବା ସ୍ୱାସ୍ଥ୍ୟସେବା କାର୍ଯ୍ୟର ନିୟମିତ ଅନୁଧ୍ୟାନ ଲାଗି ରାଜ୍ୟ ସ୍ତରରେ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି ।