ଛତ୍ରପୁର (ସମୃଦ୍ଧ ଓଡିଶା) ଅଦ୍ୟାବଧି ଦୈବୀ ଦୁର୍ବିପାକର କ୍ଷତିପୂରଣ ଦିଆଯାଇ ନ ଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକଶ ପାଇଛି । ଫଳରେ ସିପିଆଇ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, ତିତଲୀ ଓ ପେଥାଇ ବାତ୍ୟା ଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କୁ କ୍ଷତି ପୂରଣ ଅଦ୍ୟାବଧି ଦିଆଯାଇ ନ ଥିବାରୁ ୧୧ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛତ୍ରପୁର, ଚମାଖଣ୍ଡି ଓ ଗଞ୍ଜାମ ଜୋନ୍ କମିଟି ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ତ ଋଣ ଛାଡ, ଏକର ପ୍ରତି ୨୫ହଜାର ଟଙ୍କା କ୍ଷତି ପୂରଣ ପ୍ରଦାନ କରିବା, କ୍ଷତିଗ୍ରସ୍ତ ଚାଷିଙ୍କୁ ଫସଲ ବୀମା ତୁରନ୍ତ ପ୍ରଦାନ କରିବା, ରବି ଫସଲ ପାଇଁ ମାଗଣା ବିହନ ଓ ସାର ଯୋଗାଇବା, ନଦୀବନ୍ଧ ସୁରକ୍ଷା ସହ ନଦୀ ଦୁଇପଟର ନଦୀବନ୍ଧ ନିର୍ମାଣ କରିବା, କ୍ଷତିଗ୍ରସ୍ତ କ୍ଷୁଦ୍ର ଜଳସେଚନ ଓ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ପୁନଃରୁଦ୍ଧାର କରିବା, ବନ୍ୟାର ସ୍ଥାୟୀ ପ୍ରତିକାର କରିବା, ମୁନିଷିପେଣ୍ଠ ନିକଟସ୍ଥ କସାରୀଗଣ୍ଡକୁ ଉଦ୍ଧାର କରିବା, ଆନିକଟ ନିର୍ମାଣ କରିବା, ଚାଷୀକୁ ଜଳ ଯୋଗାଣ କରିବା, ପ୍ରର୍ଯ୍ୟାପ୍ତ ଧାନ ମଣ୍ଡି ଖୋଲାଯାଇ ଚାଷୀକୁ ସମସ୍ତ ପ୍ରକାର ଧାନର କୁଇଂଟାଲ ପ୍ରତି ସହାୟକ ମୂଲ୍ୟ ତିନିହଜାର ଟଙ୍କା ପ୍ରଦାନ କରିବା, ସାଠିଏ ବର୍ଷ ପରେ ଚାଷୀକୁ ସର୍ବନିମ୍ନ ପେନସନ ୩ ହଜାର ଟଙ୍କା ମଞ୍ଜୁର କରିବା ଆଦି ଦାବୀ କରିଛନ୍ତି । ଦଳୀୟ କର୍ମୀ ଓ ନେତାମାନେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଚମାଖଣ୍ଡି ଜୋନାଲ୍ ସଂପାଦକ ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସଂପାଦକ ଏସ୍. କ୍ରିଷ୍ଣା ରେଡ୍ଡୀ, ଚାଷୀନେତା ରାଜୀବ ଲୋଚନ ପଣ୍ଡା, କୈଳାସ ଚନ୍ଦ୍ର ପଲାଇ, ଗଂଜାମ ଜୋନାଲ ସହସଂପାଦକ ପୂର୍ଣ୍ଣ ଚନ୍ଦ୍ର ରଥ, ଡି. ଦଣ୍ଡପାଣି ରେଡ୍ଡୀ, ନାରୀନେତ୍ରୀ ଏନ୍. ଭାନୁମତୀ ରେଡ୍ଡୀ, ପ୍ରଶାନ୍ତ କୁମାର ପଣ୍ଡା, ଏ୍.ରାମମୃର୍ତି ରେଡ୍ଡି, ଏସ୍. କାନ୍ତେୟା ରେଡ୍ଡୀ, ଡି. ଆଦିନାରାୟଣ ରେଡ୍ଡୀ, ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ଗୁରୁନାଥ ପ୍ରଧାନ, ବିଜୟ କୁମାର ପ୍ରଧାନ, ନବୀନ ଗୈାଡ, ଲକ୍ଷ୍ମୀପୁର ସରପଞ୍ଚ ଏମ୍. ନାରସୁମୁଲୁ ରେଡ୍ଡି, ଭାଗିରଥୀ ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା