ବାତ୍ୟା ବୁଲବୁଲ ଦ୍ୱାରା ବ୍ୟାପକ କ୍ଷତି, ଖରିଫ ଧାନ ଓ ପରିବାଚାଷ ବୁଡିଛି ପାଣିରେ : ୪୦ କେନ୍ଦ୍ରରେ ଅଛନ୍ତି ୧୬୫୦ ବିପନ୍ନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବଙ୍ଗୋପସାଗରରେ ଗତି କରୁଥିବା ବୁଲବୁଲର ପ୍ରଭାବରେ ୨ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଖରିଫ ଓ ପରିବା ଚାଷର ବ୍ୟାପକ କ୍ଷତି ଘଟିଛି । ଗତ ରାତିରୁ ଅଦ୍ୟାବଧି ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ପିଇବା ପାଣିର ସଙ୍କଟ ଦେଖା ଦେଇଛି । ଖରିଫ ଧାନାଚାଷ ଓ ପରିବା ଚାଷ ପାଣିରେ ବୁଡିରହିଥିବା ବେଳେ ତଳିଆ ଅଞ୍ଚଳରୁ ୧୬୫୦ ଜଣଙ୍କୁ ୪୦ଟି କେନ୍ଦ୍ରରେ ରଖାଯାଇ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ସେହିପରି ଶତାଧିକ ବ୍ୟକ୍ତିଙ୍କର ଘର ଭାଂଗି ଯାଇଥିବା ପ୍ରାଥମିକଭାବେ ଜଣାଯାଇଛି । ଗତ ଶୁକ୍ରବାର ପୂର୍ବାହ୍ନରୁ ବର୍ଷା ଓ କୋହଲା ପବନ ଲାଗି ରହିଥିବା ବେଳେ ଗତ ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ଆଜି ସଂଧ୍ୟା ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ବହୁ ବଡବଡ ଗଛ ଓଲଟି ପଡିବା ଫଳରେ ରାସ୍ତାଘାଟ ଅବରୋଧ ହୋଇଛି । ଲଗାଣ ବର୍ଷା ଯୋଗୁଁ ଶହ ଶହ କଚା ଘର ଭୁଷୁଡି ପଡିଛି । ବହୁ ଘରର ଛପର ଉଡିଯାଇଛି । ଗତ ରାତିରେ ଅରାନ୍ଧ ଅବାଡ ପରିସ୍ଥିତିରେ ରହିଥିବା ବେଳେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀରଙ୍କ ନିର୍ଦ୍ଦେଶରେ ବିଡିଓ ନିତ୍ୟାନନ୍ଦ ସାହୁ ପ୍ରତି ପଞ୍ଚାୟତର ସରପଞ୍ଚ ଓ ସମ୍ପାଦକଙ୍କୁ ଜଣାଇଥିବାରୁ ତଳିଆ ଅଞ୍ଚଳ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ବ୍ଲକରେ ଥିବା ଗଡସାହି ବାଲିଆପାଳ, ଗୁଆଗଡିଆ, କମାରଶାଳିଆ ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ବିଭିନ୍ନ ଗାଁରେ ଥିବା ୩୭ଟି ବିଦ୍ୟାଳୟରେ ୧୬୫୦ ଲୋକେ ମୁଣ୍ଡ ଗୁଞ୍ଜିଛନ୍ତି । ୩୮୦ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ବେଳେ ଅନ୍ୟସ୍ଥାନରେ ଚୁଡା, ଚିନି, ମୁଢି ଓ ବିସ୍କୁଟ ଦିଆଯାଇଥିବା ବିଡିଓ ପ୍ରକାଶ କରିଛନ୍ତି । ଆଜି ବଡିଓ ଓ ସିଡିପିଓ ଦିପ୍ତିମୟୀ ପୋଥାଳ ସୁଗୋ ଓ ନେତୁଆ ପଞ୍ଚାୟତର ତଳିଆ ଅଞ୍ଚଳ ଯାଇ କେତେକ ସ୍ଥାନ ବୁଲି ଦେଖିଛନ୍ତି । ବିଭିନ୍ନ ଆଦିବାସୀ ସାହି, ହରିଜନ ଓ ଗରିବ ଲୋକେ ପ୍ରଭାବିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରାକୃତିକ ଦୁର୍ବିପାକ ଫଳରେ ଗୋପି ମୋହନପୁର ପଞ୍ଚାୟତର କଲ୍ୟାଣପୁର ଗାଁ ହେମାଙ୍ଗିନୀ ଦାସ, ଆରୁହା ପଞ୍ଚାୟତର ଶିବନାରାୟଣ ପଣ୍ଡା, ଆଆରର୍ପୁର ପଞ୍ଚାୟତର ରାମଶଙ୍କର ଦାସ, ଅନନ୍ତ ଜେନା, ନାରାୟଣ ମୁର୍ମୁଳ ନିରଞ୍ଜନ ଦଳାଇ, କୋଟସାହି ପଞ୍ଚାୟତର ଲକ୍ଷ୍ମଣଜେନା ନଛିମପୁର ଗାଁର ରଞ୍ଜିତ ପ୍ରଧାନ, ଶ୍ରୀପତି ପ୍ରଧାନ, କୃପାସିନ୍ଧୁ ପାତ୍ର, ପ୍ରବୀର ସିଂ, ରଣଜିତ୍ ପ୍ରଧାନ, ରଘୁନାଥ ଜେନା, ଗୋପାଳ ପ୍ରଧାନ, ସପନ ଜେନା, ଭଗୀରଥି ପାତ୍ର, ରୋରମରା ପଂଚାୟତର ପ୍ରମୋଦ ଗିରି, ବନବିହାରୀ ପରାିଡା, ଗୋବର୍ଦ୍ଧନପୁରର ହରି ଜେନା, ହେମ ଆଗୁଆଣୀ, ଅଜୟ ଜେନା, ମଣ୍ଟୁ ବଡୁ, ନିର୍ମଳ ନାଥ, କଳମାର ନାରାୟଣ ମୁର୍ମୁ, ଜଳେଶ୍ୱର ମ୍ୟୁନିସୀପାଲଟିର ଫୁଲ ବାସ୍କେ, କିଶାନ ଟୁଡୁ, କରୁଣା ହେମ୍ବ୍ରମ, ମାନୁ ସୋରେନ୍, ତପନ ମଣ୍ଡଳ, ନାକ ରାଜ, ମୁନା ଦାସ, ବରେନ୍ଦ୍ର ମଣ୍ଡଳ, ଗୌରଶଂକର ମଣ୍ଡଳ, ଶଂକର ହେମ୍ବ୍ରମ, ରାମଚନ୍ଦ୍ର ହେମ୍ବ୍ରମ ପ୍ରମୁଖଙ୍କ ଭାଙ୍ଗି ଯାଇଥିବାର ପ୍ରାଥମିକ ଭାବେ ଜଣାଯାଇଛି । ବିଜୁ ଯୁବବାହିନୀର କର୍ମୀମାନେ ବିଭିନ୍ନ ପଞ୍ଚାୟତରେ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ମ୍ୟୁନିସିବାଲଟିରେ ଜଗନ୍ନାଥ ଗୋଚ୍ଛାୟତଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ଚାଲିଛି । କଲ୍ୟାଣପୁର, ମହୁତନଗର, ମଣିପାଟଣା ବ୍ୟାପକ କ୍ଷତି ହୋଇଥିବାରୁ ଏକ ଓଡ୍ରାଫ ଟିମ୍ ସେଠାରେ ଅବସ୍ଥାନ କରୁଛି । ୯ନଂ ୱାର୍ଡର କ୍ଷତିଗ୍ରସ୍ତ ଲୋକଙ୍କୁ ମଂଗଳାତଳା ସ୍କୁଲ ଓ ୧୨ନଂ ୱାର୍ଡର ଦୁର୍ଗତ ଲୋକଙ୍କୁ ଜଳେଶ୍ୱର ହାଇସ୍କୁୂୁଲରେ ରଖାଯାଇ ମ୍ୟୁନିସୀପାଲ୍ଟି ଚେୟାରମ୍ୟାନଙ୍କ ନିର୍ଦ୍ଦେଶକ୍ରମେ ରିଲିଫ ଦିଆଯାଉଥିବା ପ୍ରତିପ ପ୍ରଧାନ ଓ ଦିପୁ ପ୍ରଧାନ କହିଛନ୍ତି । ଜଳେଶ୍ୱରରେ ୧୯୭୮୦ହେକ୍ଟର ଖରିଫ ଧାନଚାଷ ହୋଇଥିବା ବେଳେ ୫୦ ହେକ୍ଟର କଟା ସରିଥିବା କୃଷି ସମ୍ପ୍ରସାରଣ ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି ପ୍ରକାଶ କରିଛନ୍ତି । ସେହିପରି ୨୧୯୦ ହେକ୍ଟର ଜମିରେ ପରିବାଚାଷ ହୋଇଥିବା ବେଳେ ୪୫୦ ହେକ୍ଟର ଜମିରେ ନୂଆକରି ଲଗାଯାଇଥିବା କୋବି, କାକୁଡି, ବିଲାତି, ଲଙ୍କା ଗଛ ପଚିଯିବାର ସମ୍ଭାବନା ଦେଖା ଦେଇଛି । ଜମିର ଧାନ ପବନରେ ଶୋଇଯାଇଥିବା ବେଳେ ବର୍ଷାପାଣିରେ ବୁଡି ରହିଛି । ତେଣୁ ବହୁକ୍ଷତି କ୍ଷଟିବାର ଯଥେଷ୍ଟ ସମ୍ଭ୍ରାବନା ଦେଖା ଦେଇଛି । ଆଜି ରାତ୍ରିସୁଦ୍ଧା ବିଦ୍ୟୁତ୍ ସରବରାହ ହୋଇନଥିବାରୁ ଦିନତମାମ ପିଇବା ପାଣି ମିଳିନଥିବାରୁ ଲୋକମାନେ ଡହଳବିକଳ ହେଉଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା