ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର ୨୮୦ ଘର ବିଶିଷ୍ଟ ଏକ କ୍ଷୁଦ୍ର ପଲ୍ଲୀ ଗ୍ରାମ ଅଟେ ବାଦୁଆ । ଗ୍ରାମର ହାତ ଗଣତି ପାଞ୍ଚ ସାତ ଜଣ ଚାକିରିଆ ଥିବା ବେଳେ ଅନ୍ୟ ସମସ୍ତ ହେଉଛନ୍ତି ମଧ୍ୟବିତ୍ତ ଓ ଗରିବ ଚାଷୀ ଓ ମୁଲିଆ ପରିବାର । ଧନରେ ଏହି ଗ୍ରାମବାସୀ ବହୁତ ଦୁର୍ବଳ, ହେଲେ ଏମାନଙ୍କ ମନବଳ ବହୁତ ସୁଦୃଢ । ପୂର୍ବରୁ ଗ୍ରାମର ଯୁବ ବାହିନୀ ମାସ୍କ ବାଣ୍ଟି କରୋନା ସମ୍ପର୍କରେ ସଚେତନତା କରଥିବା ବେଳେ ବର୍ତ୍ତମାନ ଏକ ନିଃସହାୟ ପରିବାରକୁ ଗ୍ରାମ ପକ୍ଷରୁ ସହାୟତାର ହାତ ବଢ଼ାଇ ସୃଷ୍ଟି କରିଛନ୍ତି ମହାନ ଆଦର୍ଶ । ଗତ ମଇ ୮ ତାରିଖ ଦିନ ପୋଲସରା ବ୍ଲକ ମଧୂପଲ୍ଲୀ ଗ୍ରାମର ସୁରାଟ ଫେରନ୍ତା ଶ୍ରମିକ ପ୍ରଫୁଲ ବେହେର ଗଞ୍ଜାମ ଜିଲ୍ଲାରେ ପ୍ରଥମ ବ୍ୟକ୍ତି ଯେ କି କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିଲେ । ହେଲେ ସେ ଛାଡି ଯାଉଥିଲେ ନିଜର ବିଧବା ପତ୍ନୀ ସହ ବୁଢ଼ୀ ମା ଓ ଚାରି ଝିଅକୁ ନିରାଶ୍ରୟ କରି । ମାତ୍ର ବିଧିର ବିଧାନ ଅଲଗା । ଜନସାଧାରଣ ଏହି ନିରୀହ ପରିବାରକୁ ସହଯୋଗ କରିବାକୁ ଅଣ୍ଟା ଭିଡ଼ିଲେ । ପ୍ରଥମେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଏହାପରେ ସିନେ ତାରକା ଅର୍ଦ୍ଧେନ୍ଦୁ ୫୦ ହଜାର ଟଙ୍କା ସହାୟତା ଦେବାସହ ବିଭିନ୍ନ ଶ୍ରେଣୀ ଓ ବର୍ଗରୁ ସହାୟତାର ସୁଅ ଛୁଟିବାରେ ଲାଗିଛି । ମଇ ୧୮ ତାରିଖ ଦିନ ବାଦୁଆ ଗ୍ରାମବାସୀଙ୍କ ପକ୍ଷରୁ ଯୁବକମାନେ ମଧୂପଲ୍ଲୀ ଗ୍ରାମରେ ପହଞ୍ଚି ସ୍ୱର୍ଗତ ପ୍ରଫୁଲଙ୍କ ପରିବାରଙ୍କୁ ୬୫୦୦ ଟଙ୍କା ସହ ୨୫ କିଲୋ ଚାଉଳ ସହାୟତା ପ୍ରଦାନ କରିଥିଲେ । ବାଦୁଆ ଯୁବକମାନଙ୍କ ସହାୟତା ଓ ମନବଳକୁ ବୁଦ୍ଧିଜୀବୀ ମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା