ବାଲେଶ୍ୱର ଜିଲ୍ଲା ବିଦ୍ୟାଳୟସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ପୃଥିବିକୁ ଏକତା ସୂତ୍ରରେ ବାନ୍ଧିରଖିବା ତଥା ସାମାଜିକ ମୂଲ୍ୟବୋଧରେ ନିଜେ ସୁରକ୍ଷିତ ରଖିବା ସଂଗେ ସଂଗେ ଅନ୍ୟକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ଜୁନିୟର ରେଡକ୍ରସ ଶିକ୍ଷାର୍ଥୀଙ୍କ ଧର୍ମ ହେଉ ବୋଲି ଜଳେଶ୍ୱର ଗୋଷ୍ଠିଶିକ୍ଷାଧିକାରୀ ବିଜୟ କୁମାର ନାଥ ମତବ୍ୟକ୍ତ କରିଥିଲେ । ଆଜି ଅପରାହ୍ନରେ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲେଶ୍ୱର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଜୁନିୟର ରେଡକ୍ରସ କାର୍ଯ୍ୟକ୍ରମ ବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମିତ ନ ରହି ଜାତି ତଥା ବିଶ୍ୱ ସ୍ତରରେ ସମ୍ପ୍ରସାରିତ କରିବାପାଇଁ ଶ୍ରୀ ନାଥ ପରାମର୍ଶ ଦେଇଥିଲେ । ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ସମ୍ମାନୀତ ଅତିଥିରୂପେ ଅବସରପ୍ରାପ୍ତ ଜିଲା ଶାରିରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ଦାସ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ, ଟ୍ରେନର କମ୍ ତଥା ରିସର୍ସ ପର୍ସନ ଉମାକାନ୍ତ ବେହେରା, କ୍ରିଡା ଶିକ୍ଷକ ଚିତ୍ତରଂଜନ ପାସା, ବରିଷ୍ଠ ଅଧିକାରୀ ରିତେଶ କୁମାର ରାୟ ପ୍ରମୁଖ ଯୋଗ ଦେଇ ଜୁନିୟର ରେଡକ୍ରସର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଜଳେଶ୍ୱର ବ୍ଲକ ନୋଡାଲ ଅଫିସର ମୂରଲୀ ମୋହନ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସରୋଜ କୁମାର ପାଣିଗ୍ରାହୀ ଅତିଥିମାନଙ୍କୁ ମଂଚକୁ ଆହ୍ୱାନ କରିଥିଲେ । ଜିଲା ଶାରିରୀକ ଶିକ୍ଷାନିରିକ୍ଷକ ଅଶୋକ କୁମାର ନାୟକ ସ୍ୱାଗତ ଅଭିଭାଷଣ ଓ ୩ ଦିନ ବ୍ୟାପି ଶିବିରର ବିବରଣୀ ପାଠ କରିଥିଲେ । ଶିକ୍ଷୟତ୍ରୀ ସୁଚିସ୍ମିତା ବେହେରା ଓ ଦେବସ୍ମିତା ପାଣିଗ୍ରାହୀଙ୍କ ନିର୍ଦ୍ଦେଶନାରେ ରେମୁଣା ମହାବିର ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ଆକର୍ଷଣୀୟ ଦାଣ୍ଡିନୃତ୍ୟ ପରିବେଶଣ କରିଥିବା ବେଳେ ଓଲମରା ହାଇସ୍କୁଲର ୨ ଯାଆଣା ଭଉଣୀ ସୁନୟନା ଦେ ଓ ଅନନ୍ୟା ଦେ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱଅର୍ଜନ କରିଥିବା ଛାତ୍ର୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶ୍ରେଷ୍ଠ ପରିଚାଳନା ପାଇଁ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ବେଷ୍ଟ କାଉନ୍ସିଲର ରୂପେ ସେହି ବିଦ୍ୟାଳୟର ଶିକ୍ଷକ ହରେକୃଷ୍ଣ ଜେନା, ବେଷ୍ଟ ଜେଆର୍ସି ୟୁନିଟ୍ ମହାବିର ଆବାସିକ ବିଦ୍ୟାଳୟ ରେମୁଣା, ବେଷ୍ଟ ଜେଆରସି ଜୁନିୟର ବାଳକ ଆୟୁଷ ବଡଜେନା, ଓ ବାଳିକା ଜୁନିୟର ଅର୍ଘ୍ୟରୂପା ଦାସ, ବେଷ୍ଟ ଜେଆରସି ସିନିୟର ବାଳକ ଦେବଜ୍ୟୋତି ପଣ୍ଡା ଓ ସିନିୟର ବାଳିକା ପାୟଲ ମଢୁଆଳଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି ଶିବିରରେ ବାଲେଶ୍ୱର ଜିଲାର ୧୨ଟି ବ୍ଲକରୁ ୧୦୯୨ ଜଣ ଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡ. ଅଜିତ୍ କୁମାର ମହାନ୍ତି, ବଂଶୀଧର ବାରିକ, ଗଗନ ବିହାରୀ ପରିଡା, ଶ୍ରୀକାନ୍ତ ଦାସ, ମନୋରଂଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା