ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଷ୍ଟେସନବଜାର ଠାରେ ଭଡାଘରେ ଚାଲିଥିବା ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଜଳେଶ୍ୱର ସାଂଧ୍ୟ ଶାଖା କାର୍ଯ୍ୟାଳୟ ବିପଦ ସଂକୁଳ ଅବସ୍ଥାରେ ଚାଲି ଥିବା ଜଣାପଡିଛି । ଏଥିପାଇଁ ଗ୍ରାହକମାନେ ବ୍ୟାଙ୍କ କାର୍ଯ୍ୟାଳୟକୁ ଆସିବାକୁ ନିରାପଦ ମଣୁନାହାନ୍ତି । ବର୍ଷାଦିନେ ପାଣି ଗଳୁଥିବା ବେଳେ ଛାତ ପୋଲସ୍ତରା ଖଣ୍ଡ ଖଣ୍ଡ ଖସିପଡୁଛି । କାଗଜପତ୍ର ଓଦା ସରସର ବେଳେ ଜରୁରୀ କାଗଜପତ୍ର ନଷ୍ଟ ହେବାକୁ ବସିଛି । ଏହି ସାଂଧ୍ୟ ଶାଖା ଯୋଗୁଁ ଲୋକେ ସଂଧ୍ୟାକାଳରେ ଟଙ୍କା ଆଦାନ ପ୍ରଦାନର ସୁବିଧା ପାଇଁ ଆସୁଛନ୍ତି । ଏହି ସୁବିଧା ଯୋଗୁଁ ଗ୍ରାହକ ସଂଖ୍ୟା ବଢି ଚାଲିଥିବା ବେଳେ ବିପଦଜନକ କାର୍ଯ୍ୟାଳୟ ଯୋଗୁଁ ଲୋକେ ପ୍ରମାଦ ଗଣୁଛନ୍ତି । କେତେକ ସମୟରେ ସାପ, ବେଙ୍ଗ, ପୋକଜୋକ ଇତ୍ୟାଦି ଦେଖିବାକୁ ମିଳୁଛି । ଗୃହର ମରାମତି କିମ୍ବା ନୂତନ ଗୃହକୁ କାର୍ଯ୍ୟାଳୟ ସ୍ଥାନାନ୍ତର ଲାଗି ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି ପରିଡା