ରାୟଗଡା (ସମୃଦ୍ଧ ଓଡିଶା) ବାଲ୍ୟ ବିବାହ ରୋକିବା ଦିଗରେ ରାୟଗଡା ଜିଲ୍ଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ରାଜ୍ୟସ୍ତରରେ ପ୍ରଶଂସା କରାଯାଇଛି । ମହାତ୍ମାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଦ୍ୱାରା ଗୋଟିଏ ଦିନରେ ୩ଲକ୍ଷ ୫୦ହଜାର ଲୋକ ନିଜ ନିଜ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଶପଥ ଗ୍ରହଣ କରିଥିଲେ । ଏଥିପାଇଁ ରାଜ୍ୟସ୍ତରରେ ଉଚ୍ଚ ପ୍ରଶଂସା ଶାଉଁଟିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ସକାଶେ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଖସଡା ଓ ସଚେତନତା କର୍ଯ୍ୟକ୍ରମକୁ ସଫଳତାର ସହ ଆଗକୁ ନେଇଥିବା ଓ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ପ୍ରତି ଧ୍ୟାନଦେଇ କାର୍ଯ୍ୟକ୍ରମ ଗୁଡିକ ତଦାରଖ ଯୋଗୁଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସମ୍ବର୍ଦ୍ଧିତ କରିଛି । ମହିଳା ଓ ଶିଶୁ କଲ୍ୟଣ ସଚିବ ଅନୁ ଗର୍ଗ, ସେସୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ବ୍ରୋଥ୍ରା, ଆକ୍ସନୟେଡ କାର୍ଯ୍ୟନିର୍ବାହୀ ନିର୍ଦେଶକ ସନ୍ଦୀପ ଚାତ୍ରା ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନଙ୍କ ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁଙ୍କଠାରୁ ଉକ୍ତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶଚନ୍ଦ୍ର ନାୟକ ଗ୍ରହଣ କରିଥିଲେ । ଉକ୍ତ ପ୍ରଶଂସାପତ୍ର ସୋମବାର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ ସଭାଗୃହରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶ ଅମୃତ ଋତୁରାଜ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଆଦିପତି କଅଁର, ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱଲଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ସମ୍ମାନପତ୍ର ଜିଲ୍ଲାପଳଙ୍କୁ ପ୍ରଦାନ କରାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ