ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲ୍ଟି ଅଂଚଳରେ ସରକାରୀ ସ୍ଥାନରେ ବସବାସ କରି ଆସୁଥିବା ଲୋକଙ୍କୁ ସେହି ସ୍ଥାନର ପଟ୍ଟା ଦେବାଲାଗି ଗତକାଲି ୯ ନଂ ୱାର୍ଡର କେତେକ ଅଧିବାସୀ ବିଜେପି ନେତା ଅରୁଣ କୁମାର ବେଜଙ୍କ ନେତୃତ୍ୱରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରାଓ କରିଥିଲେ । ଘଟଣାରୁ ପ୍ରକାଶ ୯ ନଂ ୱାର୍ଡରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ୯୮ଟି ପରିବାରଙ୍କ ନିଜସ୍ୱ ଘରବାଡି ନ ଥିବାରୁ ସରକାରୀ ସ୍ଥାନରେ ବସବାସ କରି ଆସୁଛନ୍ତି । କିନ୍ତୁ ସେମାନେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇପାରୁନଥିବାରୁ ଛାତ୍ରଛାତ୍ରୀଠାରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ଲୋକମାନେ ସରକାରୀ ସୁବିଧା ସୁଚଯୋଜଗରୁ ବଂଚିତ ହୋଇ ଆସୁଛନ୍ତି । ବାରମ୍ବାର ଆନ୍ଦୋଳନ ପରେ ଚିହ୍ନଟ ହୋଇଥିବା ୯୮ଟି ପରିବାର ମଧ୍ୟରୁ ୧୦ଟି ପରିବାର ଏପରି ପଟା ଦିଆଯାଇଥିବା ବେଳେ ୪ ମାସ ଧରି ପ୍ରଶାସନ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ କରାଯାଉନାହିଁ । ଶ୍ରୀ ବେଜଙ୍କ ନେତୃତ୍ୱରେ ଅମୂଲ୍ୟ କୁମାର ସେନାପତି, ସୁରେଶ ହାଁସଦା, ଦୁର୍ଗା ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଶତାଧିକ କର୍ମୀ ମ୍ୟୁନିସିପାଲ୍ଟିର କାର୍ଯ୍ୟନିର୍ବାହୀ ଅଧିକାରୀ ହୃଷିକେଶ ପାଣିଙ୍କୁ ଘେରାଓ କରିଥିଲେ । ଆସନ୍ତା ଶୁକ୍ରବାର ସୁଦ୍ଧା ପଟ୍ଟା ବଣ୍ଟନ ହେବାର ପ୍ରତିଶୃତି ମିଳିଥିବାରୁ ଏହି ଆନ୍ଦୋଳନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଆସନ୍ତା ଶୁକ୍ରବାର ସୁଦ୍ଧ ପଟ୍ଟା ବଣ୍ଟନ ନ ହେଲେ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ବେଜ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୁପିତ କୁମାର ପରିଡା