ବାହାନଗା: ସିବିଆଇ ତଦନ୍ତ ଜାରି କିନ୍ତୁ ଏଯାଏଁ ନିଲମ୍ବନ କାହାକୁ କରାଯାଇନି

ବାଲେଶ୍ୱର(ସମୃଦ୍ଧ ଓଡିଶା)ବାହାନଗା ରେଳ ଦୁର୍ଘଟଣାରେ ଗତ ସପ୍ତାହେ ହେଲା ସିବିଆଇ ତଦନ୍ତ ଜାରି ରଖିଛି କିନ୍ତୁ ଏଯାଏଁ ସରକାର କାହାକୁ ନିଲମ୍ବନ କରିନାହାନ୍ତି । ତେବେ ବାହାନଗା ଟ୍ରେନ ଦୁର୍ଘଟଣାରେ ୩ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ଜଣେ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର, ଜଣେ ଟେକ୍ନିସିଆନ ଓ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ଉଠାଇ ନେଇଥିବା ଜଣାପଡିଛି। କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ୩ କର୍ମଚାରୀଙ୍କୁ ପଚରାଉଚରା କରୁଛି ସିବିଆଇ। ତେବେ ଏ ନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ସେମାନଙ୍କ ଫୋନ୍‌କୁ ସିବିଆଇ ସିଜ୍ କରିଥିବା ଜଣାପଡ଼ିଛି। କାହାର ଭୁଲ ପାଇଁ ବାହାନଗାରେ ଟ୍ରେନ ଦୁର୍ଘଟଣା ଘଟିଲା। ନା ଏଥିରେ କିଛି ବୈଷୟିକ ତ୍ରୁଟି ରହିଥିଲା । ଗ୍ରୀନ ସିଗନାଲ ସତ୍ତ୍ୱେ କରମଣ୍ଡଳ ଏକ୍ସପ୍ରେସ କିପରି ମାଲବାହୀ ଗାଡି ଉପରେ ଚଢିଗଲା। ଟ୍ରେନ ଲାଇନଚ୍ୟୁତ କାହିଁକି ହେଲା। ଏ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି ସିବିଆଇ। ଆଜି ସିବଆଇ ତଦନ୍ତର ଶେଷ ଦିନ। ଆଜି ସିବିଆଇ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କେମିତି ଦୁର୍ଘଟଣା ଘଟିଲା ସେ ବିଷୟରେ ସୂଚନା ଦିଆଯିବ ବୋଲି ଚର୍ଚ୍ଚା ହେଉଛି।ଦୁର୍ଘଟଣାସ୍ଥଳରେ ଫରେନସିକ ଟିମ୍ ସହାୟତାରେ ସିବିଆଇ ତଦନ୍ତ କରୁଛି। ସିବିଆଇର ୩ଟି ଟିମ୍ ଭାଗ ଭାଗ ହୋଇ ଦୁର୍ଘଟଣାସ୍ଥଳରେ ଯାଞ୍ଚ କରିବା ସହ ବିଭିନ୍ନ ମେସିନ ଏବଂ କାଗଜପତ୍ର ଯାଞ୍ଚ କରିଛି। ଗତ ୨ ତାରିଖରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।  ଆହତମାନଙ୍କର ବିଭିନ୍ନ ମେଡିକାଲରେ ଚିକିତ୍ସାଜାରି ରହିଛି। ହେଲେ ଏଭଳି ଦୁଃଖଦ ଘଟଣାରେ ଏଯାଏଁ କାହାରିକୁ ଚାକିରିରୁ ନିଲମ୍ବନ କରା ଯାଇ ନାହିଁ କିମ୍ବା ନୈତକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦେଇ ନାହାନ୍ତି । ସେଥିପାଇଁ ତଦନ୍ତ କେତେ ଦୂର ଯିବ ଓ ଏତେବଡ଼ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଉପରେ କି କାର୍ଯାନୁଷ୍ଠାନ ହେବ ସେ ନେଇ ସମସ୍ତଙ୍କ ନଜର ରହିଛି।