ବାହାରିଲା କଂଗ୍ରେସର ନିରଂଜନ ରଥ

ଭୁବନେଶ୍ୱର (ଆକାଶ ମିଶ୍ର) : ବିଜେଡି-ବିଜେପି ପରେ ଏବେ କଂଗ୍ରେସ ବାହାରିଛି ଗାଁକୁ । ସ୍ୱାସ୍ଥ୍ୟ ଯୋଜନାକୁ ନେଇ ବିଜେପି-ବିଜେଡି ଏବେ ଗାଁରେ ବୁଲୁଥିଲା ବେଳେ କଂଗ୍ରେସ ତାର ନିର୍ବାଚନ ରଣନୀତି ନେଇ ଗାଁକୁ ଅଭିଯାନ ଆରମ୍ଭ କରିଛି । ଆଜିଠାରୁ ଓଡ଼ିଶା କଂଗ୍ରେସ ଏକ୍ସପ୍ରେସ ଗାଡ଼ି ବା ରଥ ବୁଲିବା ଆରମ୍ଭ କରିଛି ।ଏହି ରଥ ସମସ୍ତ ବୁଥରେ ବୁଲିବ । ପ୍ରତି ଗାଁରେ ଦଳିୟ ନେତା ପହଂଚି ଜନସମ୍ପର୍କ ସ୍ଥାପନ କରିବେ ଏବଂ ବିଜେଡି-ବିଜେଡି ବିରୋଧରେ ଲୋକମତ ସୃଷ୍ଟି କରିବେ । ନିର୍ବାଚନ ପୂର୍ବରୁ କଂଗ୍ରେସ ଲୋକଙ୍କ ପାଖରେ ପହଂଚିବା ପାଇଁ ଏପରି ଯୋଜନା କରିଛି । ଏ ନେଇ କଂଗ୍ରେସ ତିରିଶଟି ଜିଲ୍ଲାରେ ୧୪ ଜଣ ଉପସଭାପତି ଓ ୨୪ ଜଣ ସାଧାରଣ ସମ୍ପାଦକ ନିୟୋଜିତ କରିଛି । ୩୧୪ଟି ବ୍ଲକ୍ ୩୬୦୦୦ ବୁଥକୁ ଟାର୍ଗେଟ କରିଛି କଂଗ୍ରେସ । ଏ ନେଇ ରୁଟ୍ ଚାର୍ଟ ପ୍ରସ୍ତୁତ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱରରୁ ଏହି ବସ୍ ଗଡ଼ିବ । ଜିଲ୍ଲାୱାରି ଦାୟିତ୍ୱ ଦିଆଯାଇଥିବା ଉପସଭାପତିମାନଙ୍କୁ ପାଖାପାଖି ଦଶ ହଜାର ସଭ୍ୟ ସଂଗ୍ରହ କରିବା ନେଇ ଟାର୍ଗେଟ ଦିଆଯାଇଛି ।ଯେଉଁ ରଥ ବାହାରିଛି ସେଥିରେ କେବଳ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କର ଫଟୋ ଯାଇଛି । ରାଜ୍ୟର ଅନ୍ୟ କୌଣସି ନେତାଙ୍କର ଫଟୋ ଏଥିରେ ଦିଆଯାଇନାହିଁ । କିନ୍ତୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ମନମୋହନସିଂହଙ୍କ ଫଟୋ ଏଥିରେ ରହିଛି । ଏହାକୁ କେହି କେହି ନିରଂଜନ ରଥ ବୋଲି ଦଳ ଭିତରେ କହୁଛନ୍ତି । ଏହି ଫଟୋ ରଖିବାକୁ ମଧ୍ୟ ଦଳ ଭିତରେ ଭିନ୍ନମତ ପ୍ରକାଶ ପାଇଛି ।