ଛତ୍ରପୁର (ସମୃଦ୍ଧ ଓଡିଶା) ବାହାରୁ ଆସୁଥିବା ଲୋକଙ୍କ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ କଡା ନଜର ରଖିଛି । ଏପରିକି ଭୁବନେଶ୍ୱରରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ରୋକ ଲାଗାଇଛି । କାହିଁକି ନା ଭୁବନେଶ୍ୱରରେ କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରେ ଲାଗିଥିବା ଜଣାପଡିଛି । ସେଥିପାଇଁ ଭୁବନେଶ୍ୱର ଫେରନ୍ତାଙ୍କୁ ଚିହ୍ନଟ କରି ତୁରନ୍ତ କ୍ୱାରାଣ୍ଟାଇନ୍ରେ ରଖିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ତଥା ଗତକାଲି ଅନୁଷ୍ଠିତ ହୋଇଥିବା କରୋନା ମୁକାବିଲା ସମ୍ପର୍କିତ ବୈଠକରେ ଅସୁବିଧା କାରଣରୁ ଯେଉଁମାନେ ଘରେ କ୍ବାରାଣ୍ଟାଇନରେ ରହିପାରୁନାହାନ୍ତି, ସେମାନଙ୍କୁ ଆନୁଷ୍ଠାନିକ କ୍ବାରାଣ୍ଟାଇନରେ ରଖାଯିବ । ଅତ୍ୟାବଶ୍ୟକୀୟ ସାମଗ୍ରୀ କାରବାର ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । ଦୋକାନୀମାନେ ଗ୍ରାହକମାନଙ୍କ ଠାରୁ ସାମାଜିକ ଦ୍ୱରତ୍ୱ ରଖିବା ପାଇଁ ବ୍ୟବସ୍ଥା କରିବେ । ନଚେତ ଦୋକାନରେ ତାଲା ପଡିବା ସହ ମାମଲା ରୁଜୁ କରାଯିବ । ଘର ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ କିମ୍ବା କପଡାରେ ନ ଘୋଡାଇଥିବେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ । ପୌରାଞ୍ଚଳରେ ଏହି ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ନିର୍ବାହୀ ଅଧିକାରୀ ୧୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । ସାଧାରଣ ବଣ୍ଟନ ଓ ବିଭିନ୍ନ ଭତ୍ତା ବଣ୍ଟନ ବେଳେ ସାମାଜିକ ଦୂରତ୍ୱ ରଖିବା ପାଇଁ ସୁନିଶ୍ଚିତ କରାଯିବ । ଯଦି କୌଣସି ସ୍ଥାନରେ ବ୍ୟତିକ୍ରମ କରାଯାଉଥିବା ନଜରକୁ ଆସିବା ତେବେ ସଂପୃକ୍ତ ବିଡିଓ ଅଥବା ପୌର ନିର୍ବାହୀ ଅଧିକାରୀଙ୍କୁ ଦାୟୀ କରାଯିବ । ଜିଲାର ପ୍ରତ୍ୟେକ ବ୍ଲକରେ ସ୍ୱାସ୍ଥ୍ୟ ବିଭାଗର ର଼୍ୟାପିଡ ରେସ୍ପନସିବୁଲ ଟିମ ଆନୁସଙ୍ଗିକ ଗାଡି ଓ ଡାକ୍ତରୀ ଦଳ ସହିତ ମୁତୟନ କରାଯାଇ ଗ୍ରାମାଞ୍ଚଳରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏହି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସେକ୍ରେଟାରୀ ସମ୍ବିତ ରାଉତ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା