ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ରାଜ୍ୟ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ୨୦୨୩-୨୪ବର୍ଷ ନିମନ୍ତେ ୨୦ଜଣଙ୍କୁ ରାଜ୍ୟ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରାଯାଇଛି । ଏଥିମଧ୍ୟରୁ ୧୨ଜଣ ସ୍ବେଚ୍ଛାସେବୀ, ୩ଜଣ କାର୍ଯ୍ୟକ୍ରମ ଅଧିକାରୀ, ତିନୋଟି ଏନ. ଏସ. ଏସ ୟୁନିଟ ଏବଂ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟରେ ଶ୍ରେଷ୍ଠତା ପ୍ରଦାନ କରିଥିବା ଦୁଇଟି ଏନ. ଏସ. ଏସ ୟୁନିଟକୁ ରାଜ୍ୟ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ରାଜ୍ୟ ଜାତୀୟ ସେବା ଯୋଜନା ପୁରସ୍କାର ଓଡ଼ିଶାର ଯୁବପିଢ଼ିଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ। ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଅସ୍ମିତାକୁ ବିଶ୍ୱ ମଞ୍ଚରେ ଏକ ଅନନ୍ୟ ସ୍ଥାନ ପ୍ରଦାନ କରିବା ନିମନ୍ତେ ଯୁବପିଢ଼ିମାନେ ସଦାସର୍ବଦା ଚେଷ୍ଟିତ ରହିବା ଉଚିତ। ଏଥିସହ ବିକଶିତ ଓଡ଼ିଶା ଓ ଆମ ସ୍ୱପ୍ନର ଓଡ଼ିଶା ନିର୍ମାଣ କରିବାରେ ମଧ୍ୟ ସଶକ୍ତ ଯୁବନେତୃତ୍ୱର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ତେଣୁ ସାହାଯ୍ୟ, ସହଯୋଗ ଓ ସେବା ମନୋଭାବ ସହ ସମାଜସେବା କରିବା ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଓଡ଼ିଶାର ଯୁବପିଢ଼ି ନିଜର ଯୋଗଦାନ ଦେବା ସହ ସଶକ୍ତ ସମାଜ ନିର୍ମାଣ ଦିଗରେ ମଧ୍ୟ ଯୁବପିଢ଼ି ନିଜର ନିରନ୍ତର ପ୍ରୟାସ ଜାରି ରଖନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ରାଜ୍ୟ ଏନ. ଏସ. ଏସ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ଉପସଚିବ ଡ଼. ରମେଶ ଚନ୍ଦ୍ର ବେହେରା ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମରେ ରାଜ୍ୟରେ ରହିଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଵେଚ୍ଛାସେବୀ ଭାବରେ ନିୟୋଜିତ ହୋଇ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।ସ୍ୱଚ୍ଛ ଭାରତ, ବୃକ୍ଷରୋପଣ, ରକ୍ତଦାନ, ସଡ଼କ ନିରାପତ୍ତା, ନିଶାନିବାରଣ, ସାଇବର ସୁରକ୍ଷା ଆଦି ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ବନ୍ୟା-ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକମାନଙ୍କୁ ସାହାଯ୍ୟ କରିବା ଆଦି ବିଭିନ୍ନ କାର୍ଯ୍ୟରେ ଛାତ୍ରଛାତ୍ରୀମାନେ ଯୋଗ ଦେଉଛନ୍ତି।
ରିପୋର୍ଟ : ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ