ଦିନକର ଘଟଣା । ମହାରାଜା ବିକ୍ରମାଦିତ୍ୟ ସେତେବେଳେ ତାଙ୍କର ରାଇଜରେ ନଥାଆନ୍ତି । ସେ ତ ଭା’ରି ପର ଉପକାରୀ ରାଜା । କେହି ଧନୀ ହେଉ ବା ଗରିବ ହେଉ, ବିପଦରେ ପଡି ତାଙ୍କ ପାଖରେ ଗୁହାରୀ କଲେ, ସେ ସାଙ୍ଗେ ସାଙ୍ଗେ ଯାଇ ତାହାକୁ ବିପଦରୁ ଉଦ୍ଧାର କରନ୍ତି । ସେଥିପାଇଁ ଯଦି ନିଜର ଜୀବନ ଚାଲିଯାଏ, ତହିଁକି ବି ସେ ରାଜାଙ୍କର ମୋଟେ ଚିନ୍ତା ନଥାଏ । ଇମିତିକା ଅନେକ ମହତ ଗୁଣ ତାହାଙ୍କଠିଁ ଥାଏ ବୋଲି ତାଙ୍କର ଖୁବ୍ ନାମଡାକ । ସେ ଥରେ ଜଣେ ଗରିବ ଦୁଃଖି ବ୍ରାହ୍ମଣର ଦୁଃଖ ଗୁହାରୀ ଶୁଣି ତାହାକୁ ବିପଦରୁ ରକ୍ଷା କରିବାକୁ ଏକା ଏକା ଅନେକ ଦୂରଦେଶକୁ ଯାଇଥାଆନ୍ତି । ବିକ୍ରମାଦିତ୍ୟ ଏଡେ ଭଲ ରାଜା, ଗୁଣବାନ, ବିଦ୍ୱାନ୍, କୀର୍ତ୍ତିବାନ୍ ପୁଣି ପର ଉପକାରୀ ରାଜା ଥିଲେ ବି ତାହାଙ୍କର ମଧ୍ୟ ଶତ୍ରୁ ଥିଲେ । ଏହି ଦୁନିଆଟା ବି ସେମିତିକା ଗୋଟାଏ ଭା’ରି ଅସଲଟିଆ ସ୍ଥାନ । ଏଠେଇଁ ଇମିତି ଅନେକ ଖଳ, ମନ୍ଦ ପ୍ରକୃତିର ଲୋକ ଅଛନ୍ତି, ଯେଉଁମାନେ କି ଆଉ ଜଣଙ୍କର ସୁନାମ, କୀର୍ତ୍ତି, ପ୍ରଶଂସା, ବଡପଣ ଦେଖିଲେ ଆଦୌ ସହିପାରନ୍ତି ନାହିଁ । ପରର ଶିରୀ ଦେଖିଲେ ସେମାନେ ଖାଲି ଚିଡିଚିଡି ହୁଅନ୍ତି । ପରର ପ୍ରଶଂସା ଶୁଣିଲେ ସେମାନଙ୍କର ଦିହରେ ତାହା ଆଦୌ ଯାଏ ନାହିଁ । ସେମିତିକା ଗୋଟାଏ, ଦି’ଟା ପଡୋଶୀ ଘୁଅମୁହାଁ ରଜା ବିକ୍ରମାଦିତ୍ୟଙ୍କର ଚୁପ୍ସଇତାନ ଶତ୍ରୁ ଥିଲେ । ସେମାନେ ସବୁବେଳେ ଛକିଥିଲେ, ସେ କେମିତି ଅକଳରେ ପଡିଲେ ପଟାଏ ଦାଗିଦେବେ । ସେ ରାଇଜରେ ନଥିଲାବେଳେ କିଛି ହେଲେ ତାଙ୍କର ଖିନିଖରାପ କରିଦେବେ, କିଛି ହେଲେ ଲୋକସାନ କରିଦେବେ । ଏବେ ଯେତେବେଳେ ସେମାନେ ଶୁଣିଲେ ଯେ ବିକ୍ରମାଦିତ୍ୟ ତାଙ୍କର ରାଇଜରେ ନାହାଁନ୍ତି, ଗୋଟାଏ ରାଜା ତାହାର ସଇନ ସାମନ୍ତ, ଦଳବଳ ନେଇ ଆସିଲା ତାଙ୍କର ରାଇଜ ଉପରେ ଚଢାଉ କରିବାକୁ । ଉଜ୍ଜ୍ୱଳ ନଗର ଚର ଆସି ବିକ୍ରମାଦିତ୍ୟଙ୍କର ରାଜସଭାରେ ଖବର ଦେଲା ଯେ ପଡୋଶୀ ରାଜା ଭଗାରୀପଣ ସାଧିବାକୁ ଆମ ରାଇଜ ଉପରେ ଚଢାଉ କରିବାକୁ ଦଳବଳ ନେଇ ମାଡିଆସୁଛି । ଏହି ଖବର ଶୁଣି ପାତ୍ର ମନ୍ତ୍ରୀଙ୍କର ଛାତି ଚାଉଁକିନା ଚମକି ଉଠିଲା । ମହାରାଜା ଏତିକିବେଳେ ନାହାଁନ୍ତି, ଯୁଦ୍ଧ ଚାଳନା କରିବ କିଏ? ବଡ ବଡ ଯୋଦ୍ଧାମାନଙ୍କୁ ବି ଖବର ଦିଆଯାଇ ନାହିଁ । କୌଣସି ପ୍ରକାରେ ଆମେମାନେ ତ ପ୍ରସ୍ତୁତ ନାହୁଁ । କ’ଣ କରିବା! କ’ଣ କରିବା! କ’ଣ କରିବା ବୋଲି ଚାରିଆଡେ ହାଲହୋଲି ପଡିଗଲା । ସମସ୍ତେ ଖାଲି ଗାଲରେ ହାତଦେଇ ଭାବିବାକୁ ଲାଗିଲେ । ସେମାନେ ନଈଟାକୁ ପାରିହୋଇ ଆସିଲେତ ଆଗ ଆମ ରାଜଉଆସକୁ ଘେରାଉ କରିବେ । ତେଣୁ କାହାରିକୁ କିଛି ବି ବୁଦ୍ଧି ଦିଶୁନାହିଁ ।