ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିନା ବି ଦଳ ଚାଲିପାରିବ ବୋଲି ଦଳୀୟ କର୍ମୀ ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ ସନ୍ଦେଶ ଦେଇଛନ୍ତି । ରାଜ୍ୟରେ ଦୁଇଦଶନ୍ଧି ଧରି କ୍ଷମତାସୀନ ବିଜେଡିକୁ ୨୨ବର୍ଷ ପୁରି ୨୩ବର୍ଷ ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିରୋଧୀ ଦଳ, ଗୋଷ୍ଠୀ ଅବା କେନ୍ଦ୍ର ସରକାରଙ୍କ ବିଫଳତା ଅବା ଅବହେଳା ସମ୍ପର୍କରେ କିଛି ମୁହଁ ଖୋଲି ନାହାନ୍ତି । ପ୍ରତିଷ୍ଠା ଦିବସରେ ନବୀନ କାହିଁକି ଏଭଳି ବାର୍ତ୍ତା ଦେଲେ ଓ ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି । ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ୨୩ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବାର୍ତ୍ତା ସମଗ୍ର ମାନବ ଜାତି ପାଇଁ ସବୁ ସମୟରେ ଆଦର୍ଶ ହୋଇରହିଛି ଓ ରହିବ ମଧ୍ୟ । ତାଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଉଚିତ୍। ଓଡ଼ିଶାର ସାଢ଼େ ୪କୋଟି ଲୋକ ହେଉଛନ୍ତି ଆମର ପରିବାର । ଭୋଟ ଜରିଆରେ ସେମାନେ ଆମକୁ ଦାୟିତ୍ୱ ଦେଇଛନ୍ତି । କ୍ଷମତା ନୁହେଁ । ପରିବାରର ସେବା ପାଇଁ ମହାନ ସୁଯୋଗ ମିଳିଛି । ଏହି ଭାବନା ନେଇ ଆମେ କାମ କରୁଛୁ । ଦାୟିତ୍ୱକୁ ନମ୍ରତା ଓ ଶୁଦ୍ଧତାର ସହ ଆମେ ପାଳନ କରିଆସୁଛୁ । ନିର୍ବାଚନ ଜିତିବା ପାଇଁ ଆମେ କାମ କରୁନୁ, ଲୋକଙ୍କ ହୃଦୟ ଜିତିବା ଲକ୍ଷ୍ୟ। ସେଥିପାଇଁ ୩୬୫ଦିନ ଆମେ କରୁଛୁ । ବିଜେଡି ହେଉଛି ଓଡ଼ିଶାର ବିକାଶର ପରିଚୟ । ଆଶା ଓ ବିଶ୍ୱାସର ପ୍ରତୀକ ହୋଇପାରିଛି।ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ଗୋଟିଏ ରାଜନୀତିକ ଦଳ ନୁହେଁ କିମ୍ବା ଏହା କିଛି ନେତାଙ୍କ ଉପରେ ନିର୍ଭରଶୀଳ ନୁହେଁ । ଏପରିକି ଦଳ ତିଷ୍ଠିବା ଓ ଅଭିବୃଦ୍ଧି ପାଇଁ ତାଙ୍କ ଉପରେ ବି ନିର୍ଭରଶୀଳ ନୁହେଁ । ବିଜେଡି ଏବେ ଦଳ ନୁହେଁ ଲୋକଙ୍କ ଆନ୍ଦୋଳନରେ ପରିଣତ ହୋଇସାରିଛି । ସଶକ୍ତିକରଣ ପାଇଁ ଏହା ଏକ ଆନ୍ଦୋଳନ । ଲୋକଙ୍କ ବିଶ୍ୱାସ ଓ ଆସ୍ଥାକୁ ନେଇ ଚାଲିଥିବା ଆନ୍ଦୋଳନ । କେହି ତାଙ୍କ ପ୍ରତି ଆନୁଗତ୍ୟ ହୁଅନ୍ତୁ ନାହିଁ, ରାଜ୍ୟର ଭାଗ୍ୟ ପରିବର୍ତ୍ତନ ପାଇଁ ଆନୁଗତ୍ୟ ପ୍ରଦର୍ଶନ କରନ୍ତୁ । ଯାହାକି ବିଜୁବାବୁ କହିଥିଲେ ।