ବିଜେଡି ଦିଲ୍ଲୀରେ ବିକ୍ଷୋଭ କରିବା ପରିବର୍ତ୍ତେ ଚାଷୀଙ୍କୁ ବୋନସ ଦେଉ : ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି…

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଚାଷୀ ପ୍ରସଙ୍ଗକୁ ନେଇ ଶାସକ ବିଜେଡି ଦିଲ୍ଲୀରେ ବିକ୍ଷୋଭ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । ଦୀର୍ଘ ୧୯ ବର୍ଷ ଶାସନ କରି ବିଜେଡି ସରକାର ଚାଷ ଓ ଚାଷୀମାନଙ୍କୁ ଅଣଦେଖା କରିଆସିଛି । ଚାଷୀମାନଙ୍କ ପ୍ରସଙ୍ଗକୁ ସମାଧାନ ନକରି ବିଜେଡି ଭୟଭୀତ ହୋଇ ପଡିଛି । ଚାଷୀଙ୍କ ସ୍ୱାର୍ଥରେ ନୁହେଁ ବରଂ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ପୁଣି ଏକ ନୂଆ ନାଟକ କରିବାକୁ ଯାଉଛି । ଚାଷୀଙ୍କ ସ୍ୱାର୍ଥ ପାଇଁ ବିଜେଡି ଦିଲ୍ଲୀ ଯିବା ଛାଡି ପ୍ରଥମେ ବୋନସ ଦିଅନ୍ତୁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ହିତ ପାଇଁ ଫସଲ ବୀମା ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ସମଗ୍ର ଦେଶରେ ଲାଗୁ ହେବା ଦ୍ୱାରା ଲକ୍ଷଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଅପରପକ୍ଷେ ରାଜ୍ୟସଭା ସାସଂଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବରଗଡ ଜିଲ୍ଲା ସୋହେଲା ଠାରେ ଚାଷୀ ସମ୍ମିଳନୀରେ ଖୋଦ୍ ମୁଖ୍ୟମନ୍ତ୍ରୀ ୧୦୦ ଟଙ୍କା ବୋନସ ଘୋଷଣା କରି ଏପର୍ଯ୍ୟନ୍ତ ଚାଷୀଙ୍କୁ ବୋନସର ଗୋଟିଏ ଟଙ୍କା ମଧ୍ୟ ଦେଇନାହାଁନ୍ତି । ରାଜ୍ୟ ସରକାର କେବଳ ରାଧୁଆ ମିଛୁଆ ଗପ କହି ଚାଷୀମାନଙ୍କୁ ଠକି ଚାଲିଛନ୍ତି । କେନ୍ଦ୍ରସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ବି ରାଜ୍ୟ ସରକାର ବର୍ଦ୍ଧିତ ମୂଲ୍ୟରେ ଚାଷୀଠୁ ଧାନ କିଣୁନାହାନ୍ତି । ମଣ୍ଡିର ବ୍ୟାପକ ଅବ୍ୟବସ୍ଥା କାରଣରୁ କଟନି ଛଟନି କରୁଥିବା ଦଲାଲଙ୍କୁ ଦଣ୍ଡ ଦେବା ପାଇଁ ସମବାୟ ମନ୍ତ୍ରୀ କହିବା ପରେ କାହାରିକୁ ଏପର୍ଯ୍ୟନ୍ତ ଦଣ୍ଡ ମିଳିଲାନାହିଁ । ରାଜ୍ୟସରକାର ମିଲରଙ୍କ ସହ ମଧୁଚନ୍ଦ୍ରିକା କରି ନିଜ ଦଳୀୟ ନିର୍ବାଚନୀ ପାଣ୍ଠି ସଂଗ୍ରହ କରିଚାଲିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ଚାଷୀଙ୍କୁ ପ୍ରତାରଣା କରୁଛନ୍ତି ଏବଂ ଅନ୍ୟପଟେ ମିଛ ନାଟକ ରଚି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ବାସ୍ତବରେ ରାଜ୍ୟସରକାର ରାଜ୍ୟରେ ଚାଷ ଓ ଚାଷୀ ପ୍ରସଙ୍ଗକୁ ଗୁରୁତ୍ୱ ଦେଉନାହାଁନ୍ତି । ରାଜ୍ୟର କୃଷି ଏବଂ କୃଷକମାନଙ୍କ ପାଇଁ ରାଜ୍ୟସରକାରଙ୍କ ବୈମାତୃକ ମନୋଭାବ ଦେଖାଇ ଚାଲିଛନ୍ତି । କୃଷି କମିଶନ ୨୦୧୨ରେ ତିଆରି ହୋଇଥିବା ସତ୍ୱେ କୃଷକ କଲ୍ୟାଣ ରିପୋର୍ଟ ଆଜି ପର୍ଯ୍ୟନ୍ତ ମିଳିନାହିଁ । ସେହିପରି କୃଷି ବଜେଟ ଏବଂ କୃଷି କ୍ୟାବିନେଟର ଘୋଷଣା କେବଳ ଫାଇଲ ଭିତରେ ସୀମିତ ରହିଛି । ରାଜ୍ୟସରକାର ଚାଷୀମାନଙ୍କ ପାଇଁ ଜଳସେଚନର ବ୍ୟବସ୍ଥା ନକରିବା , ଭାଗ ଚାଷୀମାନଙ୍କ ପାଇଁ ଆଇନ ନଆଣିବା, ରାଜ୍ୟର ସମସ୍ତ ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ କରିବା କହି ଗୋଟିଏ ଭଣ୍ଡାରର କାର୍ଯ୍ୟ ଆରମ୍ଭ ନକରିବା, ଆଳୁ ମିଶନ ବିଫଳ ହେବା ଆଦି ବିଭିନ୍ନ ପ୍ରସଙ୍ଗରୁୁ ସ୍ପଷ୍ଟ ଜଣାପଡୁଛି କି ରାଜ୍ୟସରକାର ଚାଷୀମାରଣ ନୀତି ଅବଲମ୍ବନ କରିଚାଲିଛନ୍ତି । ଅନ୍ୟପଟେ ସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଚାଷୀ ଋଣ ଭାରରେ ବୁଡି ନିଜର ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି କଠୋର ନିଷ୍ପତି ନେବାକୁ ବାଧ୍ୟ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ରିପୋର୍ଟ : ଆକାଶ ମିଶ୍ର