ବିଜେଡି ଭାଙ୍ଗିବା ଷଡ଼ଯନ୍ତ୍ରରେ ଗଞ୍ଜାମର ଭୂମିକା ନେଇ ସରଗରମ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଜେଡିର ପୂର୍ବତନ ରାଜ୍ୟ ସଭା ଏମପି ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ମମତା ରାଜ୍ୟ ସଭା ଏମପି ପଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଇସ୍ତଫାକୁ ନେଇ ବଡ଼ ଷଡଯନ୍ତ୍ର ହୋଇଛି ବୋଲି ବିଜେଡିର ବରିଷ୍ଠ ନେତାମାନେ ଦାବି କରିଛନ୍ତି। ଏବେ ମମତାଙ୍କ ଆଗାମୀ ଯୋଜନା ଉପରେ ସମସ୍ତଙ୍କ ନଜର ରହିଛି। ସେ ଭାଜପାରେ ଯୋଗ ଦେଇ ଦେଇଛନ୍ତି । ମମତାଙ୍କ ବିଜେପିରେ ଯୋଗଦେବା ପଛରେ ଗଞ୍ଜାମର ନେତାଙ୍କ ପ୍ରଛନ୍ନ ହାତ ରହିଥିବା ଦେଖିବାକୁ ମିଳିଛି । ସେଥିପାଇଁ  ରାଜ୍ୟ ସଭା ସଦସ୍ୟ ପଦରୁ ବିଜେଡି ନେତ୍ରୀ ମମତା ମହାନ୍ତ ଇସ୍ତଫା ଦେବା ଅନେକଙ୍କୁ ଚକିତ କରିଛି। ଏହା ପଛରେ ଭିତିରି ଷଡ଼ଯନ୍ତ୍ର ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ମମତା ହେଉଛନ୍ତି ମୟୂରଭଞ୍ଜ ଜିଲା କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ଗତ ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲାରେ ବିଜେଡିର ଶୋଚନୀୟ ପରାଜୟକୁ ଦୃଷ୍ଟିରେ ରଖି ଦଳର ଜଣେ ପ୍ରଭାବଶାଳୀ ନେତା କୁଆଡ଼େ ମମତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ତେଣୁ ତାଙ୍କ ଚାପରେ ମମତା ଇସ୍ତଫା ଦେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ସଭାରେ ଓଡ଼ିଶାର ୧୦ ଆସନ ମଧ୍ୟରୁ ବିଜେଡି ୯ ଏବଂ ଭାଜପାର ଜଣେ ସଦସ୍ୟ ରହିଥିଲେ। ମମତାଙ୍କ ଇସ୍ତଫା ପରେ ପାର୍ଲାମେଣ୍ଟର ଉଚ୍ଚ ସଦନରେ ବିଜେଡିର ସଦସ୍ୟ ସଂଖ୍ୟା ୮କୁ ଖସିଆସିଛି। ଷଡ଼ଯନ୍ତ୍ର କରି ବିଜେଡିକୁ ରାଜ୍ୟ ସଭାରେ ଧୀରେ ଧୀରେ ଦୁର୍ବଳ କରିଦେବା ଉକ୍ତ ନେତାଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଉଛି। କାରଣ ମମତାଙ୍କ ଆସନରେ ନିର୍ବାଚନ ହେଲେ ଓଡ଼ିଶା ବିଧାନସଭାରେ ଦଳୀୟ ସଂଖ୍ୟା ଦୃଷ୍ଟିରୁ ତାହା ଭାଜପା ହାତକୁ ଚାଲିଯିବ। ଗତ ଲୋକ ସଭା ନିର୍ବାଚନରେ ବିଜେଡି କୌଣସି ଆସନରେ ଜିତି ନ ପାରିବା ଦଳ ପାଇଁ ଝଟକା ଥିଲା। ଏବେ ରାଜ୍ୟ ସଭାରେ ଗୋଟିଏ ଆସନ ହରାଇବା ଦ୍ୱାରା ଦିଲ୍ଲୀରେ ବିଜେଡିର ଉପସ୍ଥିତି ହ୍ରାସ ପାଇବ ବୋଲି କୁହାଯାଉଛି। ତେବେ ଏହାକୁ ନେଇ ଭାଜପାର ବରିଷ୍ଠ ନେତା ବିଶେଶ୍ବର ଟୁଡୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମମତାଙ୍କୁ ଭାଜପା ଭଲ ଲାଗିଲେ, ସେ ଆସିପାରନ୍ତି। ମମତା ଭାଜପାକୁ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ। ଦଳ ନିଜ ଲୋକଙ୍କୁ ନପଚାରିବାରୁ ସେ ଛାଡ଼ି ଥାଇପାରନ୍ତି। ବିଜେଡିକୁ ଭାଙ୍ଗିବାରେ ଭାଜପାର କୌଣସି ହାତ ନାହିଁ। ଦଳ ମୋତେ ଟିକେଟ ଦେଲାନି ତଥାପି ବି ମୁଁ କାମ କରିଛି ବୋଲି ସେ କହିଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର