ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ ନବ ନିର୍ମିତ ସଭା କକ୍ଷରେ ବିଦ୍ୟା ଜ୍ୟୋତି ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭରସା ଅନୁଷ୍ଠାନର ଆନୁକୂଲ୍ୟରେ, ସକ୍ଷମ, ଅପୂର୍ବା ୟୁଥ ଫାଉଣ୍ଡେସନ, ପୁର୍ଭ ଟ୍ରଷ୍ଟ ଓ ଏବିଭିପି ସହଯୋଗରେ ଅୟୋଜିତ କରାଯାଇଥିଲା । ଏଥିରେ ମୁଖ୍ୟ ଅଥିତି ରୂପେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ବିଦ୍ୟାର୍ଥୀମାନେ ପାଠପଢ଼ା ସରିଲା ପରେ ବିଦେଶୀ କଂପାନୀ ପାଖରେ ବିକ୍ରି ନ ହୋଇ ସେ ଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଲଗାଇଲେ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି କହିଥିଲେ । ଏହାସହ ଭରସାର ସଭାପତି ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ରୂପେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ଯୋଗଦେଇ ବିଦ୍ୟାର୍ଥୀମାନେ ଚରିତ୍ରବାନ ହେବା ସହ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରି ଦେଶ ମାତୃକାର ସୁରକ୍ଷା କରିବା ପାଇଁ କହିଥିଲେ । ସମ୍ମାନୀତ ଅତିଥି ରୂପ ଜାଗୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ସନତ କୁମାର ପଣ୍ଡା, ଗଞ୍ଜାମ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ଟୁଡୁ, ବରିଷ୍ଠ ଶିକ୍ଷା ବିତ ବିଜୟ କୁମାର ବିଶ୍ଵାଳ, ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀଶଙ୍କର ପାଢ଼ୀ, ଗଂଜାମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟିର ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର, ଶ୍ରମିକ ନେତା ଶଙ୍କର ଦାଶ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସକ୍ଷମର ସଭାପତି ବସନ୍ତ ସାହୁ, ଉପଦେଷ୍ଟା ଜ.ସନ୍ତୋଷ ରେଡି, ପୂର୍ବା ୟୁଥ ଫାଉଣ୍ଡେସନ ସଭାପତି ପ୍ରଭାତ ସାହୁ, ପୁର୍ଭ ଟ୍ରଷ୍ଟର ପୂର୍ଣ ଚନ୍ଦ୍ର ପଣ୍ଡା, ଗଂଜାମ ପ୍ରେସ କ୍ଳବ ଉପସଭାପତି ବିନୋଦ ଚନ୍ଦ୍ର ପଲାଇ ମଞ୍ଚାସିନ ରହିଥିଲେ । ଅଧ୍ୟାପକ ଗିରିଷ କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭରସାର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଗଞ୍ଜାମ ବ୍ଲକ, ଗଞ୍ଜାମ ଓ ରମ୍ଭା ଏନଏସିର ସମସ୍ତ ହାଇସ୍କୁଲ, ମହାବିଦ୍ୟାଳୟ, ଓ ଆଇଟିଆଇର ମେଟ୍ରିକ ଟପ୍ପର ବିଦ୍ୟାର୍ଥୀ, ମହାବିଦ୍ୟାଳୟ ଟପ୍ପରଙ୍କୁ ବିଦ୍ୟାଜ୍ୟୋତି ସମ୍ମାନରେ ସମ୍ମାନିତ କରାଯିବା ସହ ସମସ୍ତଙ୍କୁ ଗଛଟି ପ୍ରଦାନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ ଆୟୋଜକ ମାନେ । ସେହିପରି ୫୦୦ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ୨ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୩ଟି ହାଇସ୍କୁଲ, ୨ଟି ଆଇଟିଆଇର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷଙ୍କୁ ସମ୍ମାନିତ କରାଯାଇଥିଲା । ଗଂଜାମ ସହର ବଡ଼ିବିଲ୍ଡର ତଥା ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ବିଜେତା ଜିତେଶ କୁମାର ଦାସ ଓ ବ୍ରହ୍ମପୁରର କ୍ଲିନ ସିଟିର ଆବାହକ ଶକ୍ତି ଧର ରାଜଗୁରୁ ଓ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହାକୁ ଉମାଶଙ୍କର ଦାସ, ମନୁ ମହାପାତ୍ର, ବାବୁ ପଣ୍ଡା ମନୋଜ ଚୌଧୁରୀ, ମନୋଜ କାନୁନଗୋ, ଗୋବିନ୍ଦ ବେହେରା, ତ୍ରିଲୋଚନ ବାରିକ, ପ୍ରଭାତ ମହାରଣା, ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ମାଷ୍ଟର ରତ୍ନା ମହାରଣାଙ୍କ ତତ୍ୱାବଧାନରେ କରାଯାଇଥିବା କୁନି କୁନି ପିଲାମାନଙ୍କ ଭଜନ ପରିବେଷଣ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା