ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ ବସ ଚାଳକ:ପରିବହନ ମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗଞ୍ଜାମରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୧୧ ଜଣଙ୍କ ଜୀବନ ଚାଲିଯିବା ଘଟଣାରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ବସ୍ ଚାଳକ ସମ୍ପୂର୍ଣ ରୂପେ ଦାୟୀ ବୋଲି କହିଛନ୍ତି ମନ୍ତ୍ରୀ । ଏହି ଘଟଣାର ତଦନ୍ତ ରିପୋର୍ଟ ଅନୁଯାୟୀ, ବସଟି ନିୟମ ଭାଙ୍ଗି ଭୁଲ ରାସ୍ତାରେ ଯାଇଥିଲା, ଯେଉଁଥି ପାଇଁ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିପାଇଁ ବସର ପରିମିଟ ରଦ୍ଦ କରାଯିବା ସହ ଗାଡି ମାଲିକ ଓ ଡ୍ରାଇଭରଙ୍କ ନାଁରେ ଏତଲା ଦିଆଯାଇଛି । ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ନିୟମ ଭାଙ୍ଗିଥିବାରୁ ଚାଲାଣ ମଧ୍ୟ କଟାଯାଇଛି । ଡ୍ରାଇଭର ଦାୟିତ୍ୱହୀନ ଭାବେ ଗାଡି ଚଳାଉଥିବାରୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି । ଏହି ଘଟଣାର ତଦନ୍ତ କରାଯାଇ ସାଉଥକୋର କନିଷ୍ଠ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ଆହତମାନଙ୍କ ମାଗଣା ଚିକିତ୍ସା କରାଯିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସରକାରଙ୍କ ପକ୍ଷରୁ ଦିଅଯାଇଛି ।

ରିପୋର୍ଟ : ଆକାଶ ମିଶ୍ର