ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୧୯ ମସୀହାରେ ରାଇବଣିଆର ବିଭିନ୍ନ ଅଞ୍ଚଳରେ ହାତୀର ତାଣ୍ଡବ ଓ ଶହ ଶହ ଲୋକଙ୍କର ଘର ଭାଙ୍ଗିବା ସହିତ ଚାଷର ବ୍ୟାପକ କ୍ଷତି ଘଟିଛି । କିନ୍ତୁ ଗତ କିଛିଦିନ ତଳେ ଓଡିଶାରୁ ହାତୀ ଘଉଡାଇବା ସମୟରେ ପଶ୍ଚିମବଙ୍ଗ ଓ ଓଡିଶା ଉପାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ମାଡଗୋଳ ଘଟଣାକୁ ଅଧିକ ଉତ୍ତେଜିତ କରିଥିବାରୁ ୧୯ତାରିଖରେ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଶୂନ୍ୟକାଳ ପ୍ରଶ୍ନ ଆଲୋଚନାର ବିଷୟବସ୍ତୁ ହୋଇଛି । ଫଳରେ ସମସ୍ତ ହାତୀକୁ ଘଉଡାଇବାଲାଗି ଆଜି ଶନିବାରେ ଡିଏଫଓ, ମାଜିଷ୍ଟ୍ରେଟଙ୍କ ସହିତ ପୋଲିସ୍ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାଯାଇଛି । ୨୦୧୯-୨୦ ମସିହାରେ ରାଇବଣିଆ ଅଂଚଳରେ କିଛିଦିନକୁ ଛାଡି ବର୍ଷତମାମ ରାଇବଣିଆ ଅଞ୍ଚଳରେ ହାତୀର ତାଣ୍ଡବ ଦେଖିବାକୁ ମିଳିଛି । ଗତ ଖରିଫ ଋତୁରେ ଧାନ ରୁଆଠାରୁ ଧାନ କଟା ହେବା ପର୍ଯ୍ୟନ୍ତ ଏବଂ ଅଦ୍ୟାବଧି ହାତୀ ଗୁଡିକ ରାଇବଣିଆର ବିଭିନ୍ନ ଜଙ୍ଗଲରେ ରହିଥିବାର ଜଣାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ହାତୀମାନେ ଜଙ୍ଗଲ ନିକଟସ୍ଥ ଗ୍ରାମଗୁଡିକରେ ପଶି ବ୍ୟାପକ କ୍ଷତି ଘଟାଇଛନ୍ତି । ବାଘବୁଡା, କାଲାଯୋଡି, ଭଦୁଆ, ଘଡଘଡା, ଜହ୍ନିଫୁଲିଆ, ଲୁହାପଡା ଇତ୍ୟାଦି ଜଙ୍ଗଲ ଗୁଡିକ ହାତୀ ଗୁଡିକର ଆଶ୍ରୟସ୍ଥଳ ପାଲଟିଛି । ଘଷିପଦା ଗାଁର ବାହାଦୁର ମାରାଣ୍ଡିକୁ କଚାଡି ମାରିବା, କେନ୍ଦୁଖୁଣ୍ଟା ଗାଁର ଗୋଟିଏ ବଳଦକୁ ମାରିଥିବାର ସରକାରୀ ରିପୋର୍ଟରୁ ପ୍ରକାଶ । ବିଶେଷ କରି ରଂଗାମାଟିଆ, କୁମୁଚିଆ, ଗରୁଡବସା, ଘଡଘଡା, ସରାଳିବସା, ଧାନଘେରା, ଫୁଲଝରୀଘସିପଦା, କେନ୍ଦ୍ରାଗଡିଆ, ସୁଖଯୋଡି, ଧରମପୁର, ଚାକୁଆପଦା, ଅଶାବନ୍ଧ, ତରାଦିଘୀ, କଳାଯୋଡି ଇତ୍ୟାଦି ଗାଁରେ ଗତ ୧ମାସ ଧରି ହାତୀର ଆତଙ୍କରେ ଲୋକେ ଘରଦ୍ୱାର ଛାଡି ଅନ୍ୟତ୍ର ରହୁଛନ୍ତି । ଏପରିକି ଗାଁରେ ଥିବା ଆବସ ଯୋଜନା ଘରର ଛାତ ଉପରେ ଟେଣ୍ଟ ପକାଇ ରହୁଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏମାନଙ୍କ ମଧ୍ୟରେ ଥିବା ଦନ୍ତାହାତୀ ସର୍ବାଧିକ ଆତଙ୍କ ସୃଷ୍ଟି କରୁଛି । ଗତ ୧୫ଦିନ ତଳେ ମାଈହାତୀ ଛୁଆ ଜନ୍ମ କରିଥିବାରୁ ତାର ସୁରକ୍ଷା ପାଇଁ ହାତୀମାନେ ରକ୍ତମୁହାଁ ହୋଇଛନ୍ତି । ଗୃହପାଳିତ ପଶୁକୁ ପଚାରେ କିଏ, ହାତୀ ଭୟରୁ ରକ୍ଷା ପାଇବା ପାଇଁ ଦଳାଚକଟା ହୋଇ ବହୁସ୍ଥାନରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ । ହାତୀ ଆସିଲେ ରାଇବଣିଆ ଅଞ୍ଚଳ ହୋଇଯାଏ ଅନ୍ଧାର । ସବୁଦିନ ନେସ୍କୋ ବିଦ୍ୟୁତ୍କାଟ ବେଳେ ହାତୀ ଆତଙ୍କ ଅନ୍ଧକାରରେ ରାଇବଣିଆବାସୀଙ୍କୁ ଦିନ କାଟିବାକୁ ପଡୁଛି । ଗତ ୧୭ତାରିଖ ରାତିରେ ରାଇବଣିଆ ଅଂଚଳରୁ ହାତୀଗୁଡିକୁ ବନ କର୍ମଚ।ରୀ, ହାତୀ ସୁରକ୍ଷା ବାହିନୀ, ସବୁଜ ବାହିନୀ ଘଉଡାଇ ଦେବାବେଳେ ପଶ୍ଚିମବଂଗ ସୀମାରେ ଥିବା ରଜାବନ୍ଧ ତଳଗାଁ ଝାଡବନ୍ଧ ଅଞ୍ଚଳର ଶତାଧିକ ବ୍ୟକ୍ତି ଆସି ଓଡିଶାର ଲୋକଙ୍କୁ ମାଡଗୋଳ କରିଥିଲେ । ଏଥିରେ ବନବିଭାଗର ୨ଟି ଗାଡି ଜଖମ ହେବା ସହିତ ୩ କର୍ମଚାରୀ ଓ ପ୍ରାୟ ଓଡିଶାର ୨୦ଜଣ ଗ୍ରାମବାସୀ ଆହତ ହୋଇଥିଲେ । ରଜାବନ୍ଧ ତଳ ଅଞ୍ଚଳ ପାଲଟିଥିଲା ଏକ ରଣକ୍ଷେତ୍ର । ୧୯ ତାରିଖରେ ଜିରୋ ଆୱାରରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ବିଧାନସଭାରେ ଏକ ଧ୍ୟାନ ଆକର୍ଶଣକାରୀ ପ୍ରଶ୍ନ ପଚାରିଥିଲେ । ହାତୀ ପଶ୍ଚିମବଙ୍ଗକୁ ଯିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ଏବଂ ସେଠାରୁ ହାତୀଗୁଡିକ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଅଭୟାରଣ୍ୟକୁ ଘଉଡାଇ ଦିଆଯାଇଥାଏ । କିନ୍ତୁ ଓଡିଶା ବନବିଭାଗର କର୍ମଚାରୀମାନଙ୍କ ଉଦାସୀନତା ଯୋଗୁଁ ରାଇବଣିଆବାସୀଙ୍କର ବ୍ୟାପକ କ୍ଷତି ଓ ମାଡଖାଇବା ଘଟଣାରେ ବିଧାୟକ ଗୁଡାଇତୁଡାଇ ବହୁ ପ୍ରଶ୍ନ ପଚାରିଥିଲେ । ଆଜି ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡା, ଜଳେଶ୍ୱର ରେଞ୍ଜର ସରୋଜ ମହାନ୍ତିଙ୍କ ସହିତ ୭ଟି ଦଳରେ ବିଭକ୍ତ ହୋଇ ଆମ୍ବଶୋଳ ଜଙ୍ଗଲ ନିକଟ ଅଂଚଳରେ ହାତୀ ପିଛା କରୁଛନ୍ତି । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଭୋଗରାଇର ଅତିରିକ୍ତ ତହସିଲଦାର ସନ୍ତୋଷ ପଣ୍ଡା ସହିତ ପୋଲିସ୍ ଫୋର୍ସ ନିୟୋଜିତ ଅଛନ୍ତି । ଅପରେସନ ଗଜରାଜର ସଫଳତା ଲାଗି ସମସ୍ତ ପଦକ୍ଷେପ ନିଆଯାଇଥିବାର ଜଳେଶ୍ୱର ରେଞ୍ଜର ସୂଚନା ଦେଇଛନ୍ତି । ଉପାନ୍ତ ଠାରୁ ମାତ୍ର ୪ କିମି ଦୂରେ ୧୮ଟି ହାତୀ ଥିବାରୁ ଯେ କୌଣସି ପ୍ରକାରେ ଘଉଡାଇବା ବନବିଭାଗର ମୁଣ୍ଡବ୍ୟଥାର କାରଣ ହୋଇଛି ବୋଲି ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା