ବିଧାୟକଙ୍କ ଦ୍ୱାରା ଜଳେଶ୍ୱର ତହସିଲରେ ଭୂମୀହିନଙ୍କୁ ପଟ୍ଟା ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାୟକଭାବେ ୪ର୍ଥ ଥର ନିର୍ବାଚିତ ହୋଇଥିବା ଅଶ୍ୱିନୀ କୁମାର ପାତ୍ର ଜଳେଶ୍ୱର ତହସିଲ ପରିସରରେ ୨୭ଜଣ ଭୂମୀହିନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଭୁମୀହିନ ମାନଙ୍କୁ ପଟ୍ଟା ଦିଆଯିବାର ସେ ପ୍ରତିଶୃତି ଦେଇ ଗତ ୨୦୧୪ ନିର୍ବାଚନ ଠାରୁ ଅଦ୍ୟାବଧି ୬୧୬ ଜଣଙ୍କୁ ବିଭିନ୍ନ ପର୍ଯ୍ୟୟରେ ପଟ୍ଟ ବଣ୍ଟନ ହୋଇଥିବା ସେ କହିଥିଲେ । ଜଳେଶ୍ୱର ତହସିଲ ଅଂଚଳରେ ବିଚ୍ଛିନ୍ନାଞ୍ଚଳ ତଥା ଆଦିବାସୀ ଅଧ୍ୟୁସିତ ରାଇବଣିଆ ଅଂଚଳ ରହିଥିବାରୁ ଏହି ତହସିଲରେ ବହୁ ଆଦିବାସୀ ଭୂମୀହିନଭାବେ ବସବାସ କରି ଆସୁଛନ୍ତି । ଏହା ବ୍ୟତିତ ରାଜ୍ୟ ସରକାରଙ୍କ ଘୋଷିତ ଜଂଗଲ-ଜମି-ପଟ୍ଟା ଆଇନ୍ରେ ମଧ୍ୟ ବହୁ ବ୍ୟକ୍ତିଙ୍କୁ ପଟ୍ଟା ଦିଆଯାଇଥିବାର ଶ୍ରୀ ପାତ୍ର କହିଥିଲେ । ଏକ ପରିସଂକ୍ଷାନ ଅନୁଯାୟୀ ୨୦୧୪-୧୫ରେ ମୋଟ ୨୦୯ଜଣଙ୍କୁ ଭୁମୀହିନଙ୍କୁ ଜମିପଟ୍ଟା ଦିଆଯାଇଥିବା ବେଳେ ୧୫୧ଜଣ ଆଦିବାସୀ ଓ ୨୬ଜଣ ହରିଜନ ସେଥିରେ ଅନ୍ତଭୁକ୍ତ ଥିଲେ । ୨୦୧୬-୧୭ରେ ମୋଟ ୨୦ଜଣଙ୍କୁ ପଟ୍ଟା ଦିଆଯାଇଥିବା ବେଳେ ୧୯ଜଣ ଆଦିବାସୀ ଥିଲେ । ୨୦୧୭-୧୮ରେ ମୋଟ ୭୮ଜଣଙ୍କୁ ଜମିପଟ୍ଟା ଦିଆଯାଇଥିବା ବେଳେ ସେଥିରୁ ୪୧ଜଣ ହାଦିବାସୀ ଓ ୧୯ଜଣ ହରିଜନ ଥିଲେ । ୨୦୧୮-୧୯ରେ ୮୬ଜଣଙ୍କୁ ପଟ୍ଟା ଦିଆଯାଇଥିବା ବେଳେ ସେଥିରୁ ୭୮ଜଣ ଆଦିବାସୀ ଓ ୪ଜଣ ହରିଜନ ରହିଥିବାର ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା ସୂଚନା ଦେଇଥିଲେ । ଏହା ବ୍ୟତିତ ୨୦୧୮-୧୯ରେ ୮୩ଜଣ ଓ ୨୦୧୯-୨୦ରେ ୧୪୨ଜଣ ଆଦିବାସୀଙ୍କୁ ଜଂଗଲ ଜାଗାରେ ରହି ଆସିଥିବାରୁ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ସୂଚନା ଦେଇଥିଲେ । ଏହାବ୍ୟତିତ ଆଜି କେତେକ ବ୍ୟକ୍ତି ପଟ୍ଟା ପାଇନଥିବାର ଅଭିଯୋଗ କରିବାରୁ ସେମାନଙ୍କୁ ଅବିଳମ୍ବେ ପଟ୍ଟାଦିଆଯିବାକୁ ବିଧାୟକ ଶ୍ରୀ ପାତ୍ର ତହସିଲଦାର ଶ୍ରୀ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜଳେଶ୍ୱର ତହସିଲରେ ବିଧାୟକ ଶ୍ରୀ ପାତ୍ର ଉପସ୍ଥିତ ଥିବାର ଜାଣି ଆଜି ଶତାଧିକ ଲୋକେ ବିଭିନ୍ନ ସମସ୍ୟା ନେଇ ତାଙ୍କୁ ଜଣାଇଥିଲେ । ସେ ଜନସାଧାରଣଙ୍କ ଅଭିଯୋଗ ଶୁଣି ସେ ସବୁର ସମାଧାନ ଅତିଶ୍ରୀଘ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଜନସାଧାରଣଙ୍କ ସୁବିଧା ଲାଗି ଆବେଦନ ଓ ମାମଲା ଗୁଡିକ ଯଥା ସମ୍ଭବ ଫଇସାଲା କରିବାକୁ ଅନୁରୋଧ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା