ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗୁଜୁରାଟର ସୁରାଟରେ ଥିବା ଏକ କୋଚିଂ ସେଣ୍ଟରରେ ଭୟାନକ ଅଗ୍ନିକାଣ୍ଡ ଘଟି ୨୦ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଗଲା । ଏଥିସହିତ ୧୬ରୁ ଅଧିକ ଲୋକେ ଏକେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ଘଟଣା ଦେଶବାସୀଙ୍କୁ ମର୍ମାହତ କରିଛି । ଏହି ଘଟଣା ପରେ ଏବେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରେ ଫାୟାରସେଫ୍ଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଗ୍ନିକାଣ୍ଡ ଘଟଣାକୁ ପାଖାପାଖି ୨୪ ଘଂଟା ବିିତି ଯାଇଥିଲେ ମଧ୍ୟ ଓଡ଼ିଶା ଅଗ୍ନିଶମ ବିଭାଗର ଚେତା ପଶିନି । ଭୁବନେଶ୍ୱର ସମେତ ଓଡ଼ିଶାରେ ଶହଶହ କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନ ବିନା ଫାୟାର ସେଫ୍ଟି ଲାଇସେନ୍ସରେ ବର୍ଷ ବର୍ଷ ଧରି ବିପଦପୂର୍ଣ୍ଣ ଭାବେ ଚାଲିଥିଲେ ମଧ୍ୟ ବିଭାଗର ଚେତା ନପଶିବା ଚିନ୍ତାର ବିଷୟ ହୋଇଛି । ରାଜ୍ୟରେ ଏବେ କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନ ଛତୁ ଫୁଟିବା ଭଳି ଖୋଲିଚାଲିଛି । ଯିଏ ଯେଉଁଠି ପାରିଲା, ଗୋଟେ କୋଚିଂ ସେଣ୍ଟର ଖୋଲିଲା । ଶିକ୍ଷା ନାଁରେ ପିଲାଙ୍କ ବିପଦଜ୍ଜନକ ଭାବେ ବସାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ହେଲେ ସେମାନେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରୁନାହାନ୍ତି । କେବଳ ଛୋଟମୋଟ କୋଚିଂ ସେଂଟର ନୁହେଁ, ବରଂ କେତେକ ବଡ ଶିକ୍ଷାନୁଷ୍ଠାନ ମଧ୍ୟ ଫାୟାସେଫ୍ଟି ଲାଇସେନ୍ସ ନେଇନଥିବା ଜଣାପଡିଛି । ବିଶେଷ କରି ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଅରଦି ସହରରେ ଶହଶହ କୋଚିଂ ସେଣ୍ଟର ବିପଦପୂର୍ଣ୍ଣ ଭାବେ ଚାଲୁଛି । ହେଲେ ଅଗ୍ନିଶମ ବିଭାଗ ସେଥିପ୍ରତି ଧ୍ୟାନ ନଦେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଅପରପକ୍ଷରେ ମୁମ୍ବାଇର ଏକ ପପରେ ଭୟଙ୍କର ଅଗ୍ନିକାଣ୍ଡ ପରେ ଓଡ଼ିଶା ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଥିଲା । ପ୍ରଥମେ ହସପିଟାଲ, କ୍ଲିନିକ ଓ ପରେ ହୋଟେଲ ଗୁଡିକ ଉପରେ ଚଢଉ କରାଯାଇ ନୋଟିସ ଜାରି କରାଗଲା । ଏହା ପରେ ବିଭିନ୍ନ ସପିଂମଲରେ ମଧ୍ୟ ଚଢଉ କରାଯାଇଥିଲା । ହେଲେ କୋଂଚି ସେଣ୍ଟର ଓ ଶିକ୍ଷାନୁଷ୍ଠାନ ଉପରେ କେବେ ଚଢଉ ହେବ, ତାହାକୁ ଅପେକ୍ଷା ।
ରିପୋର୍ଟ : ଆକାଶ ମିଶ୍ର