ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡ ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମବାସୀ ବହୁ ବିପଦ ଶଙ୍କୁଳ ଅବସ୍ଥାରେ ରାସ୍ତା ପାରି କରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ଓ ନଦୀ ମଧ୍ୟ ଭାଗରେ ରହିଛି ମାର୍କଣ୍ଡି ଗ୍ରାମ । ବହୁ ବର୍ଷ ହେବ ଦାବି କରି ଆସୁଥିଲେ ବି ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିଲା ପୋଲ କାମ କିନ୍ତୁ ଆଜି ପର୍ଯ୍ୟନ୍ତ କାମ ୫୦ପ୍ରତିଶତ ସାରିନାହିଁ । ପ୍ରଶାସନ ଏହା ଉପରେ ନଜର ହିଁ ଦେଉ ନ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ପ୍ରାୟ ୨୦ ବର୍ଷ ପୂର୍ବେ ମାର୍କଣ୍ଡି ବାସି ଡଙ୍ଗାରେ ଯିବା ଆସିବା କରୁଥିଲେ । ସେହି ସମୟରେ ବିଧାୟକ ଥିଲେ ଘନଶ୍ୟାମ ବେହେରା ତାଙ୍କ ବିଧାୟକ ପାଣ୍ଠିରୁ ଏହି ଗ୍ରାମରେ ଛୋଟିଆ ପୋଲ ଟି ତିଆରି କରିଥିଲେ କିନ୍ତୁ ଏହି ପୋଲ ଉପର ଦେଇ ପାଣି ଯିବାରୁ ପୁଣି ଲୋକେ ସେଇ ଡ଼ଙ୍ଗାରେ ହିଁ ଯିବା ଆସିବା କରୁଥିଲେ ଓ ବର୍ତ୍ତମାନ ଏହି ପୋଲ ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ନଜରକୁ ଆସିଛି । ପରବର୍ତ୍ତୀ ସମୟରେ ପୋଲ କାମ ଆରମ୍ଭ ହୋଇଥିଲେ ବି ୫ ବର୍ଷ ବିତି ଯାଇଥିଲେ ମଧ୍ୟ ୫୦ ପ୍ରତିଶତ କାମ ସରିନାହିଁ । ବହୁଦିନ ହେବ କାମ ବନ୍ଦ ହୋଇଥିବା ବେଳେ କେବେ ପୁଣି କାମ ଆରମ୍ଭ କରିବେ ତାହା ଜଣା ପଡୁନାହିଁ ବୋଲି ଗ୍ରାମବାସୀ ଶରତ ଚନ୍ଦ୍ର ବେହେରା, ପି ନାରୀସୁମୁଲୁ ରେଡ୍ଡୀ, ଏମ. ରଘୁନାଥ, ବି ରୁଦ୍ରୟ, ବି ତାତେୟ କ୍ଷେତ୍ର ବେହେରା ଏସ ତଫାନି ରେଡ୍ଡୀ ଜଣାଇଛନ୍ତି । ତେଣୁ ତୁରନ୍ତ ଏହି ପୋଲ କାମ ଆରମ୍ଭ କରାଯିବାକୁ ଦାବୀ କରିଛନ୍ତି । ଯଥାଶୀଘ୍ର କାମ ଆରମ୍ଭ କରା ନ ଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଗ୍ରାମ ମୁଖିଆ ଶରତ ଚନ୍ଦ୍ର ବେହେରା ଚେତାବନୀ ଦେଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା