

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସଡକ ଦୂର୍ଘଟଣା ରୋକିବା ପାଇଁ ସଡକ ପରିବହନ ବିଭାଗ ଏବଂ ଥାନା ପୋଲିସ ପକ୍ଷରୁ ବ୍ୟାପକ ଜନସଚେତନତା କରାଯାଉଛି । ତଥାପି ବିପଦଜନକ ସ୍ଥିତିରେ ଯାତ୍ରୀ ପରିବହନ କରାଯାଉଥିବା ଦେଖିବାକୁ ମିଳିଛି । ଦିଗପହଣ୍ଡି ସହର ଦେଇ ଦୈନିକ ମାଲ ବୋଝେଇ ଟ୍ରାକ୍ଟର ଗୁଡିକରେ ବିପଦ ସଙ୍କୁଳ ସ୍ଥିତିରେ ଶ୍ରମିକ ତଥା ଅନ୍ୟାନ୍ୟ ଯାତ୍ରୀମାନଙ୍କୁ ପରିବହନ କରାଯାଉଥିବା ଦେଖିବାକୁ ମିଳିଛି । ଥାନା ପୋଲିସ କେବଳ ବ୍ଳକିଂ କରିବା ସମୟରେ ଲାଇସେନ୍ସ ଓ ହେଲମେଟ୍ ଯାଞ୍ଚ କରି ଜରିମାନା ଆଦାୟ କରି ଫେରିଯାଉଥିବା ବେଳେ ଓଭର ଲୋଡିଂ ଯାନ ଚଳାଚଳ, ମାଲ ବୋଝେଇ ଗାଡି ଗୁଡିକରେ ଯାତ୍ରୀ ପରିବହନ, ରଙ୍ଗ୍ ରୁଟ୍ରେ ଯାତ୍ରୀ ପରିବହନ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କୋହଳ ମନୋଭାବ ପୋଷଣ କରୁଥିବା ହେତୁ ବେଫିକର ଭାବେ ବେପରୁଆ ହୋଇ ଟ୍ରାକ୍ଟର ଗୁଡିକରେ ଯାତ୍ରୀ ଓ ଶ୍ରମିକ ପରିବହନ ହେଉଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସମୟରେ ଟ୍ରାକ୍ଟର ଡାଲା ଓଲଟି ହେଉ କିମ୍ବା ଅନ୍ୟାନ୍ୟ ଡାଲା ଟେମ୍ପୋ ଏବଂ ଟ୍ରକ୍ ଓଲଟି ଶ୍ରମିକ ମାନେ ମୃତାହତ ହେଉଥିବା ଖବର ନଜିର୍ କୁ ଆସିଛି । ତଥାପି ବେପରୁଆ ଭାବେ ଶ୍ରମିକ ପରିବହନ କରାଯାଉଥିବା ଦେଖିବାକୁ ମିଳିଛି । ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
