ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ ତାର…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଆଗ୍ରହରାମ ସାହିର ବିଦ୍ୟୁତ ପୋଲର ଅବ୍ୟବସ୍ଥା ଦେଖନ୍ତୁ କିପରି ବିପଦ ସଂକୁଳ ଅବସ୍ଥାରେ ରହିଛି । ଗୋଳନ୍ଥରାରେ ବିଦ୍ୟୁତ ତାର ସଂଶର୍ସରେ ଆସି ନିକଟରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ମନରୁ ଲିଭି ନଥିବାବେଳେ ଏହି ପୋଲର ଅବସ୍ଥା ଦେଖିଲେ ପୁଣି ଆଉ ଏକ ଆସନ୍ନ ବିପଦର ଆଶଙ୍କା ଉଙ୍କି ମାରୁଛି । ଛତ୍ରପୁର ଆଗ୍ରହରାମ ସାହିର ବିଦ୍ୟୁତ ଖୁଣ୍ଡ ଦେଖିଲେ ବିପଦକୁ ନିମନ୍ତ୍ରଣ କରାଯାଉଥିବା ଭଳି ମନେ ହେଉଛି । ବାରମ୍ବାର ଏ ନେଇ ସେହି ସାହିର ଜନସାଧାରଣ ଅଭିଯୋଗ କରି ଏହାର ସମାଧାନ କରିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ବିଭାଗୀୟ ନିଷ୍କ୍ରିୟତା ସମସ୍ତଙ୍କୁ ଚକିତ କରିଛି । ପ୍ରତ୍ୟେକ ୧୦ ବର୍ଷକୁ ଠାରେ ବିଦ୍ୟୁତ ପୋଲ ବଦଳାଇବା ଓ ଏହାର ତାର ବଦଳାଇବା ନିୟମ ରହିଥିଲେ ମଧ୍ୟ ଏନେଇ ସରକାରୀ ନିଷ୍କ୍ରିୟତା ସାଧାରଣ ଲୋକର ଜୀବନ ପ୍ରତି ବିପଦ ଆଣି ଦେଉଥିବା ଅଭିଯୋଗ ହେଉଛି । ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଡ ବିପଦଜନକ ଅବସ୍ଥାରେ ଥିବା ଯୋଗୁଁ ଗୋଳନ୍ଥରାରେ ୧୧ ଜଣ ପ୍ରାଣ ହରାଇଲେ । ଏଠାରେ ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ବି ପ୍ରଶାସନପକ୍ଷରୁ କୌଣସି ପଦକ୍ଷେପ ନିଆଯିବାର ନଜରକୁ ଆସିନାହିଁ । ଗୋଳନ୍ଥରାରେ ବସରେ ତାର ଲାଗି ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ‘ସିଲ୍କ ସିଟି’ ବସ୍ ଡ୍ରାଇଭର ଗଗନ ବିହାରୀ ନାୟକ ଗିରଫ ହୋଇଛନ୍ତି । ସାଉଥକୋ ସମେତ ରାଜ୍ୟର ସମସ୍ତ ବିଦ୍ୟୁତ ବଣ୍ଟନ କାରୀ ସଂସ୍ଥା, ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ହରୀଲୁଟ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ନିୟମିତ ନିର୍ଦ୍ଧିଷ୍ଟ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ସାଧାରଣ ଲୋକଙ୍କ ସମେତ ହାତୀ ଭଳି ବନ୍ୟଜନ୍ତୁମାନେ ମଧ୍ୟ ଜୀବନ ହରାଉଛନ୍ତି । ଅନ୍ୟପକ୍ଷରେ ସାଉଥକୋ କର୍ତ୍ତୃପକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ବକେୟା ଆଦାୟ ପାଇଁ ସାମ୍ବାଦିକ ସମ୍ମଳନୀ କରି ଲାଇନ୍ କାଟିବାକୁ ଚେତାବନୀ ଦେଉଥିବା ବେଳେ ସାଉଥକୋର ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ପାଇଁ ସାଧାରଣ ଲୋକଟିଏ ଜୀବନ ହେଉଛି । ଏଥିପାଇଁ ସରକାର କଠୋର ପଦକ୍ଷେପ ନେବା ଉଚିତ ବୋଲି ସାଧାରଣରେ ଦାବୀ ହେଉଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା