




ଭୁବନେଶ୍ୱର(ସମୃଦ୍ଧଓଡିଶା) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି । ତିନୋଟି ପ୍ରସ୍ତାବ ମଧ୍ୟରୁ ସରକାରୀ କର୍ମଚାରୀଙ୍କ ମୃତୁ୍ୟ ହେଲେ ଏଣିକି ବିବାହିତା ଝିଅଙ୍କୁ ଚାକିରି ଏକ ଐତିହାସିକ ନିଷ୍ପତ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ବ୍ୟକ୍ତ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଝିଅମାନଙ୍କୁ ତାଙ୍କର ପ୍ରକୃତ ଅଧିକାର ଓ ସମ୍ମାନ ପ୍ରଦାନ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ ରେ ଟୁଇଟ କରି ନିଷ୍ପତିକୁ ସ୍ୱାଗତ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବ୍ୟକ୍ତ କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟରେ ଓଡ଼ିଶା ବେସାମରିକ ସେବା ପୁନର୍ବାସ ସହାୟତା ନିୟମାବଳୀରେ ସଂଶୋଧନ କରାଯାଇଛି । ସଂଶୋଧିତ ନିୟମାବଳୀ ଅନୁଯାୟୀ ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ମୃତୁ୍ୟ ହେଲେ ତାଙ୍କ ଉପରେ ନିର୍ଭର କରୁଥିବା ବିବାହିତ ଝିଅ ଓ ସାବତ ଝିଅଙ୍କୁ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ମିଳିବ । ପୂର୍ବରୁ ଏହି ନିୟମରେ କେବଳ ଅବିବାହିତ ଝିଅଙ୍କୁ ନିଯୁକ୍ତି ସୁଯୋଗ ମିଳୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ଝିଅମାନଙ୍କୁ ତାଙ୍କର ପ୍ରକୃତ ଅଧିକାର ପ୍ରଦାନ କରିବ ।
ରିପୋର୍ଟ : ରଜତ ମହାପାତ୍ର ଓ ତନୁଜା ମହାନ୍ତି, ଲୋକ ସମ୍ପର୍କ ଅଧିକାରୀ