

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ବିଭିନ୍ନ ଦାବି ନେଇ ଗଜପତି ଜିଲ୍ଲା କମିଟିର ‘ଭାରତତର ଗଣତାନ୍ତ୍ରିକ ଯୁବ ଫେଡେରେସନ’ ପକ୍ଷରୁ ଜିଲ୍ଲା ତଥା ଆଦିବାସୀ ଅଧିକାର ମଞ୍ଚ ସହଯୋଗରେ କାଶିନଗର ବ୍ଲକ୍ ଅଲଡା ଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ଯୁବ ପଦଯାତ୍ରା ଅନୁଷ୍ଠିତ କରାଯାଇ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏହି ଅବସରରେ ଅଲଡା ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ଫେଡେରେସନ ଓ ମଞ୍ଚର ଶତାଧିକ ସଂଖ୍ୟାରେ ମହିଳା ପୁରୁଷ ଦାବି ସଂପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିକ୍ଷୋଭ ସଭା କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ଗଜପତି ଜିଲ୍ଲାରେ ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ପୂରଣ କରିବା ସହ ବେକାର ଯୁବକଯୁବତୀଙ୍କୁ ଆମ୍ଭନିଯୁକ୍ତି ଏବଂ ମନରେଗା ଯୋଜନା କାମରେ ବର୍ଷକୁ ୨୦୦ ଦିନର କାମ ଯୋଗାଇ ଦେବା ସେମାନଙ୍କୁ ଦୈନିକ ୬୦୦ଟଙ୍କା ମଜୁରୀ ଦେବା ଦାବିରେ ଯୁବ-ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । ଅନ୍ୟ ଦାବି ଗୁଡ଼ିକ ମଧ୍ୟରେ କାଶିନଗର ବ୍ଲକ୍ ସିଆଳି ଠାରେ ରେଳିଗୁଡା ଦେଇ ସପତିଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା, ରା. ଉଦୟଗିରି ବ୍ଳକର ବୋରସିଂ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ କରିବା, ବଞ୍ଚିତ ଥିବା ତିତିଲି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସାହାୟତା ପ୍ରଦାନ କରିବା, ଜିଲ୍ଲାରେ କାର୍ଯ୍ୟରତ ଶିଶୁ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଶିକ୍ଷା ଗ୍ରହଣ ବ୍ୟବସ୍ଥା କରିବା, କାଶିନଗରରେ ଡାକ୍ତରଖାନା ଡାକ୍ତର ନିଯୁକ୍ତି କରିବା, ୨୪ ଘଣ୍ଟା ଡାକ୍ତର ସେବା ଯୋଗାଇ ଦେବା, ନିରାମୟ ଯୋଜନାରେ ମାଗଣାରେ ଔଷଧ ଯୋଗାଇ ଦେବା ପ୍ରଭୃତି ଦାବି ଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି । ଏହି କାର୍ଯ୍ୟକ୍ରମରେ ଡିୱାଇଏଫଆଇର ରାଜ୍ୟ ସଭାପତି ସୋରଜ କୁମାର ନାୟକ, ସମ୍ପାଦକ ଜତୀନ ମହାନ୍ତି, ସୁକୁ ଶବର, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣୀ ରଇତ, ମାନସ ଜେନା ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା