ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ୨୨ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଅପରପକ୍ଷେ କରୋନା କାୟାରୁ ନିସ୍ତାର ପାଉ ନାହାନ୍ତି ରାଜ୍ୟର ଜଣେ ପରେ ଜଣେ ବିଧାୟକ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ସଂକ୍ରମିତ ହୋଇଛନ୍ତି ଏହାସହ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ପୂର୍ବରୁ ଗଞ୍ଜାମରୁ ଫେରିଥିବାବେଳେ ବୁଧବାର ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ବିଧାୟକ କହିଛନ୍ତି । ଏବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ସୂଚନାଥାଉକି, ଏହା ପୂର୍ବରୁ ରାଜ୍ୟର ୩ ଜଣ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ନୀଳଗିରି ବିଧାୟକ ସୁସ୍ଥ ହୋଇ ଫେରି ସାରିଲେଣି । ବିଧାୟକ ମାନଙ୍କୁ କରୋନା ସଂକ୍ରମିତ ହେବାରୁ ରାଜନୀତିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ତାଙ୍କ ପତ୍ନୀଙ୍କୁ କରୋନା ସଂକ୍ରମିତ ହୋଇଥିବା ଖବର ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଏପରିକି ଏହାକୁ ନେଇ ବର୍ତ୍ତମାନ ବିରୋଧୀ ମାନେ ମଧ୍ୟ ତ୍ରାହି ତ୍ରାହି ବୋଲି ହାହାକାର କରୁଥିବା ଦେଖିବାକୁ ମିଳୁଛି । ଶ୍ରୀକାନ୍ତଙ୍କ ଆରୋଗ୍ୟ କାମନା କରି ସମସ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା