ସେ ଦିନ ଥିଲା ଗୁରୁବାର । ବାବାଙ୍କର ପରବ ଦିନ । ଆମେ ଦୁହେଁ ମୁଁ ଓ ମୋ ସହଧର୍ମିଣୀ ବାହାରିଲୁ ସାଇବାବାଙ୍କ ଦର୍ଶନ ପାଇଁ । କେବେ କେମିତି ମନେ ହେଲେ ମୁଁ ଏକଲା ଯାଇଥାଏ ସାଇବାବାଙ୍କ ଦର୍ଶନ ପାଇଁ । ଏହା ପୁଣି ମୋର ବଡ଼ ଭାଇ ପ୍ରମୋଦ ପଣ୍ଡାଙ୍କ ଯୋଗୁଁ । ବ୍ରହ୍ମପୁର ସହରର ଖୁବ ଜଣାଶୁଣା ନାଁ ଟି ପ୍ରମୋଦ କୁମାର ପଣ୍ଡା । ସେ ମା’ତାରାତାରିଣୀ ମନ୍ଦିର ଉନ୍ନୟନ କମିଟିର ସମ୍ପାଦକ । ସେ ଯେମିତି ଚାହାନ୍ତି ମା’ଙ୍କ ଉନ୍ନତି ସେମିତି ହୁଏ । ବର୍ତ୍ତମାନ ତାଙ୍କ ପ୍ରଚେଷ୍ଠାରୁ ରାଜ୍ୟ ସରକାର ମନ୍ଦିରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରିଛନ୍ତି । ତାରାତାରିଣୀ ମନ୍ଦିରକୁ ଜାତୀୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳ କରିବାକୁ ମୂଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ସେ ମଧ୍ୟ ସାଇବାବାଙ୍କ ଜଣେ ବଳିଷ୍ଠ ଭକ୍ତ । ପ୍ରତ୍ୟେକ ଗୁରୁବାର ଦିନ ସେ ମାଣ୍ଡିଆ ପଲ୍ଲୀ ଶିରିଡି ସାଇ ମନ୍ଦିରକୁ ଯାଆନ୍ତି ତାପରେ ମା’ତାରାତାରିଣୀ ମନ୍ଦିରକୁ ଯାଇଥାନ୍ତି । ମୁଁ ମଧ୍ୟ ବେଳେ ବେଳେ ତାଙ୍କ ସହିତ ଯାଇଥାଏ । ଇତି ମଧ୍ୟରେ ତାଙ୍କ ସହ ଯାଇ ଯାଇ ମୁଁ ବି ବାବାଙ୍କ ଏକ ପ୍ରକାର ଭକ୍ତ ହୋଇ ଯାଇଛି । ହେଲେ ସେ ଦିନ ମୁଁ ସହଧର୍ମିଣିଙ୍କୁ ଧରି ସନ୍ଧ୍ୟା ସମୟରେ ମାଣ୍ଡିଆ ପଲ୍ଲୀ ସାଇ ମନ୍ଦିରକୁ ଯିବା ପାଇଁ ବାହାରିଲି । ଏହା ଶୁଣି ମୋର ଭାଇ ପ୍ରମୋଦ ପଣ୍ଡା ମୋତେ କହିଲେ ତୁମେ ଦୁଇ ଜଣ ଯାଅ ଓ ୨ଟି ଦ୍ୱୀପ ବାବାଙ୍କୁ ପ୍ରଦାନ କର । ମୁଁ ହଁ କରି ମାଣ୍ଡିଆ ପଲ୍ଲୀରେ ପହଞ୍ଚିଲି ସନ୍ଧ୍ୟା ୭ଘଣ୍ଟା ବେଳେ । ଦେଖିଲି ଦୀପ ଲଗାଇବା ପାଇଁ ଭକ୍ତମାନଙ୍କର ଏକ ଲମ୍ବା ଧାଡି ଲାଗିଛି । ଗହଳି ଥିବ କିମ୍ବା ଏଭଳି ଲମ୍ବା ଧାଡି ଲାଗିଥିଲେ ପ୍ରାୟତଃ ମୁଁ ସେ ଭିତରେ ପଶିବାକୁ ପସନ୍ଦ କରେ ନାହିଁ । ସେଥିପାଇଁ ମୁଁ ଆଜି ଯାଏଁ ଜଗତର ନାଥ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ଦେଖିବାକୁ ଯାଇ ପାରି ନାହିଁ । ବାହୁଡା ଏବଂ ବାହୁଡା ପରେ ଗହଳି କମିଗଲେ ମୁଁ ଜଗନ୍ନାଥ ଧାମ ଜଗନ୍ନାଥ ଦର୍ଶନ ପାଇଁ ଯାଇଥାଏ । କିନ୍ତୁ ମୋର ଏହି ମାର୍ଗ ଦର୍ଶକ ବଡ଼ ଭାଇ ପ୍ରମୋଦ ପଣ୍ଡା ସେ ପର୍ବ ଦିନ ଗୁଡିକରେ ହିଁ ଯାଆନ୍ତି ଓ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଭଗବାନଙ୍କୁ ଦର୍ଶନ କରିଥାନ୍ତି । ମୁଁ ସାଙ୍ଗରେ ଯାଇଥିଲେ ସୁଦ୍ଧା ମୁଁ ବାହାରେ ଠିଆ ହୋଇଥାଏ । ସେ ଆସିବା ଯାଏଁ ଅପେକ୍ଷା କରିଥାଏ । ସେ ଦିନ ସେଠାରେ ଗହଳି ଦେଖି ମୁଁ ମାଣ୍ଡିଆ ପଲ୍ଲୀ ସାଇ ମନ୍ଦିରରୁ ହନୁମାନ ମନ୍ଦିର ଚାଲିଗଲି । ଆମେ ଦୁହେଁ ସେ ଦିନ ହନୁମାନଙ୍କୁ ଦର୍ଶନ କରି ଫେରିବା ବେଳେ ପ୍ରମୋଦ ବାବୁଙ୍କ ଫୋନ ପୁଣି ଆସିଗଲା । ପଚାରିଲେ ଶିରିଡି ସାଇବାବାଙ୍କୁ ଦର୍ଶନ କଲ କି ? ମୁଁ କହିଲି ଗହଳି ଥିଲା ତ’ ସେଥି ପାଇଁ ହନୁମାନ ମନ୍ଦିର ଚାଲି ଆସିଥିଲୁ । ସେ କହିଲେ ଫେରିବା ବେଳେ ନିଶ୍ଚୟ ଦର୍ଶନ କରିବା ଓ ୨ ଗୋଟି ଦୀପ ଦେବ, ଦେଖିବ ଏମାସରେ ତୁମେ କି ଫଳ ପାଇବା ? ମୁଁ ଅବଶ୍ୟ ଆଜି ଯାଏଁ କେଉଁଠି ହେଲେ ବି ଦେବା ଦେବୀଙ୍କ ନିକଟରେ କୌଣସି ଆଶା ରଖି ଭକ୍ତି କରି ନ ଥାଏ । ଭଗବାନ ଯାହା କପାଳରେ ଲେଖିଛନ୍ତି ତାହା ହିଁ ହେବ । ଅଧିକ ଆଶା କରିବା ବୃଥା । ସେ ଯାହା ହେଉନା କାହିଁକି ସେ ଦିନ ଫେରିବା ବେଳେ ଆମେ ଦୁହେଁ ପୁଣି ଶିରିଡି ସାଇଙ୍କ ମନ୍ଦିରକୁ ଗଲୁ । ସେତେବେଳେ ପାଖ ପାଖି ସନ୍ଧ୍ୟା ୮ଘଣ୍ଟା ହୋଇଗଲାଣି । ତଥାପି ଦୀପ ଦେବା ପାଇଁ ଲମ୍ବା ଧାଡି ରହିଛି । ମୁଁ ଫେରିଯିବାକୁ ଭାବିଲି କିନ୍ତୁ କାହିଁକି କ’ଣ ହେଲା ପୁଣି ଆମେ ଦୁହେଁ ଧାଡିରେ ଠିଆ ହେଲୁ । କିଛି ସମୟ ପରେ ଦୀପ ବିକ୍ରୟ କାଉଣ୍ଟର ଆସିଲା । ଦୀପ ଗୋଟିଏ ୬୧.୦୦ ଟଙ୍କାରେ ବିକ୍ରି ହେଉଥାଏ । ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି । ଏବେ ହନୁମାନ ମନ୍ଦିରରେ ଯେଉଁ ଦିପଟି ଦୁଇ ଟଙ୍କାରେ କିଣି ଲଗାଇଲି ସେଇ ଦିପଟିକୁ ମୁଁ ଏଠାରେ ୬୧ ଟଙ୍କା ଦେଇ କିଣିବି । ମୁଁ ଭାବିଲି ଛୋଟିଆ ଦୀପଟିଏ ୬୧ ଟଙ୍କା ଦେଇ ୨ଟି ଦୀପ କାହିଁକି କାଣିବି । ପଚାରିଲି ୫ ଟଙ୍କିଆ ଦୀପ ନାହିଁ କି ? ନାହିଁ ସାର, ସବୁ ୬୧ ଟଙ୍କା, ଆପଣ ଟିକେଟ ନେଇ ଦୀପ ଲାଗିଥିବା ଗୃହରେ ଟିକେଟ ଦେଲେ ସେମାନେ ଆପଣଙ୍କ ନାମ, ଗୋତ୍ର ପାଠ କରି ଦୀପ ବାବାଙ୍କୁ ପ୍ରଦାନ କରିବେ । ମୁଁ କହିଲି ଠିକ ଅଛି ୨ଟି କାହିଁକି ୬୧ ଟଙ୍କା ନିଅନ୍ତୁ ଗୋଟିଏ ଦୀପ ଦିଅନ୍ତୁ । ସେ କହିଲେ ୨ ଜଣ ଆସିଛନ୍ତି ୨ଟି ଦୀପ ନିଅନ୍ତୁ । ମୁଁ ମନା କଲି । ଗୋଟିଏ ହିଁ ଦୀପ ପାଇଁ ପଇସା ଦେଲି । ପଚାରିଲି ଏତିକି ଛୋଟିଆ ଦିପଟି ପାଇଁ ୬୧ ଟଙ୍କା ନେଉଛ ? ସେ କହିଲେ ବାବାଙ୍କ ଇଛା ସାର !!! ହେଉ ଠିକ ଅଛି ଗୋଟିଏ ଦ୍ୱୀପ ଦିଅନ୍ତୁ…..ମନେ ମନେ ଠକୁଛନ୍ତି ବୋଲି ଭାବିବା ବେଳେ ମୋର ଠିକ ପଛରେ ଜଣେ ବ୍ୟକ୍ତି ଧାଡିରେ ଥିଲେ କହିଲେ ୧୦୦୧ଟି ଦୀପ ଦିଅନ୍ତୁ ହେଇଟି ୬୧,୦୬୧ ଟଙ୍କାର ଡ଼ିଡ଼ି ନିଅନ୍ତୁ । ମୁଁ ଏହା ଶୁଣି ଦେଖି ଆବାକ ହୋଇଗଲି । ମୁଁ ତାଙ୍କୁ ପଚାରିଲି ଆପଣ ଏତେ ଗୁଡିଏ ଦୀପ କ’ଣ ଦେଲେ । ଆପଣ କ’ଣ ସାଇ ବାବାଙ୍କ ଭକ୍ତ । ସେ କହିଲେ ମୁଁ ଭକ୍ତ ନୁହଁ କିନ୍ତୁ ବାବାଙ୍କୁ ପ୍ରାର୍ଥନା କରି ମୁଁ କିଛି ଲାଭ ପାଇଛି । ସେଥିପାଇଁ ଆଜି ବାବାଙ୍କ ଦିନରେ ୧୦୦୧ ଦୀପ ପ୍ରଦାନ କରିବି ବୋଲି ମାନସିକ ରଖି ଥିଲି । ପୁଣି ଧାଡିରେ ତାଙ୍କ ପରି ବ୍ୟକ୍ତିମାନେ କିଏ ୨୧ଟି କିଏ ୧୦୧ଟି ଏଭଳି ଦୀପ ପ୍ରଦାନ କରିବା ଦେଖି ମୁଁ ଆଚାର୍ଯ୍ୟ ହୋଇଗଲି । ନିଜକୁ ଘୃଣା ମଧ୍ୟ ମନେ କଲି । ମୋ ବଡ଼ ଭାଇ ପ୍ରମୋଦ ବାବୁ ମୋତେ ୨ଟି ଦୀପ ଦେବାକୁ କହିଥିଲେ କିନ୍ତୁ ମୁଁ କୁଣ୍ଠିତ ହୋଇ ଗୋଟିଏ ଦୀପ କିଣିଲି । ଭଗବାନ ସଙ୍ଗେ ସଙ୍ଗେ ଏଠାରେ ମୋତେ ଦେଖାଇ ଦେଲେ ଯେ ଦେଖେ ତୋ ପଛରେ ଯେଉଁମାନେ ଅଛନ୍ତି ସେମାନେ କୁଣ୍ଠାବୋଧ ନ କରି ଶହ ଶହ ଦୀପ ପ୍ରଦାନ କରୁଛନ୍ତି । ତୁମେ ଦେବ ଯେତେ ପାଇବା ତା’ର ହଜାରେ ଗୁଣ । ମୋର ମାନସିକତା ହଲଚଲ ହୋଇଗଲା । ଏଭଳି ମୁଁ କେଉଁଠି ମଧ୍ୟ ଅନୁଭବ କରି ନ ଥିଲି । ବିଶ୍ୱାସ ହିଁ ଭଗବାନ । ଏହି ଘଟଣାର କିଛି ମୁହୂର୍ତ୍ତ ପରେ ମୁଁ ସାଇବାବାଙ୍କ ଉପରେ ଏଭଳି ଅନୁପ୍ରାଣିତ ହୋଇ ଗଲି ଯେ ଘରକୁ ଫେରିଲା ଯାଏଁ ଖାଲି ସେହି କଥା ହିଁ ଭାବୁଥାଏ । ଗର୍ବ, କଞ୍ଜୁସ, କୁଣ୍ଠାବୋଧ, ଅହଂକାର ହେଉଛି ମଣିଷର ପତନର ଏକମାତ୍ର କାରଣ । ମୋତେ ସେ ଦିନ ରାତ୍ର ଆଉ ନିଦ ହେଲା ନାହିଁ । ସକାଳୁ ଶିରିଡି ସାଇଙ୍କ ଫୋଟ ଆଣି ଘର ସାରା ମାରି ଦେଲି । ତାଙ୍କର ବିଭିନ୍ନ ବହି ଆଣି ପଢ଼ିଲି । ବର୍ତ୍ତମାନ ମୁଁ ଏବେ ତାଙ୍କର ପ୍ରାଥମିକ ଭକ୍ତ । ଅନ୍ୟପକ୍ଷରେ ମୁଁ ଗୋଟିଏ ଦୀପ ଦାନ ଦେଲି ଏକ ଲକ୍ଷ ଟଙ୍କା ଲାଭ ପାଇଲି । ମୋର ତିନୋଟି ପତ୍ରିକା ପ୍ରକାଶ ପାଉଛି । ଦେଶରେ ହଜାର ହଜାର ପତ୍ରିକା ପ୍ରକାଶ ପାଉଥିବା ଯୋଗୁଁ ବିଜ୍ଞାପନଟିଏ ମିଳିବା କାଷ୍ଠ ସାଧ୍ୟ । ବିଜ୍ଞାପନ ପାଇଁ ଅନେକ କମ୍ପାନୀକୁ ମୁଁ ଦରଖାସ୍ତ ପଠାଇ ଥାଏ କିନ୍ତୁ ସେ ଦିନ ଏକ ଲକ୍ଷ ଟଙ୍କାର ଚେକ ସହିତ ବିଜ୍ଞାପନଟିଏ ଦିଲ୍ଲୀର ଏକ କମ୍ପାନୀରୁ ଆସି ପହଞ୍ଚିଲା । ବାବାଙ୍କ ଆର୍ଶିର୍ବାଦରୁ ଗୋଟିଏ ଦୀପ ଦାନ କରି ଏକ ଲକ୍ଷ ଟଙ୍କା ପାଇଲି ବୋଲି ଭାବି ବାବାଙ୍କୁ ଧନ୍ୟବାଦ ଜଣାଇଲି । ସେହିଦିନ ଠାରୁ ମୁଁ ଶିରିଡି ସାଇ ବାବାଙ୍କୁ ପୂଜା କରି ଆସୁଛି । ତାଙ୍କ ଆର୍ଶୀବାଦରେ ମୋର ସମ୍ପାଦନାରେ ତିନୋଟି ପତ୍ରିକା ଚାଲିଛି । ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ଜଣେ ପ୍ରତିଷ୍ଠିତ ଆଇନଜୀବୀ ମଧ୍ୟ ହୋଇ ଯାଇଛି । ଯେତେ ବେଳେ ଯେ କୌଣସି କାମ ଆସେ ବାବାଙ୍କ ନାଁ ଧରିଲେ ତାହା ସହଜରେ ସମାପନ ହୋଇଯାଏ । ସବୁବେଳେ ମୁଁ ତାଙ୍କ ଆର୍ଶୀବାଦ ଭିକ୍ଷା କରୁଛି । ”ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ସ୍ତଥୈବ ଭଜାମ୍ୟହମ” ଯେଉଁମାନେ ଯେପରି ଭାବରେ ମୋତେ ଦେଖନ୍ତି, ମୋର ଶରଣରେ ଆସନ୍ତି, ମୁଁ ସେପରି ଭାବରେ ସେମାନଙ୍କୁ ପୁରସ୍କୃତ କରିଥାଏ ।
ବାବାଙ୍କ ପ୍ରାଥମିକ ଭକ୍ତ
ସୁଧୀର କୁମାର ପଟ୍ଟନାୟକ
ଆନ୍ଧ୍ର ହାଇକୋର୍ଟ ଆଇନଜୀବୀ
ବିଶାଖାପାଟଣା