ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ୧୦ ଜଣ ଅଙ୍ଗଦାତା ପରିବାରକୁ ସୂରଜ ସମ୍ମାନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଅଙ୍ଗଦାନଠାରୁ ମହତ୍‌ କାର୍ଯ୍ୟ ଆଉ କିଛି ନାହିଁ କାରଣ ଅଙ୍ଗଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିଥାଏ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଜନହିତୈଷୀ ସରକାର ଅଙ୍ଗଦାତା ଏବଂ ତାଙ୍କର ପରିବାରକୁ ସର୍ବୋଚ୍ଚ ସମ୍ମାନ ଜଣାଇ ଆଜି ଲୋକସେବା ଭବନ ତୃତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକେଫ୍ରାନିକ୍‌ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତ ଅଙ୍ଗଦାତା ଓ ତାଙ୍କ ପରିବାରର ମହାନତାକୁ ଉଚ୍ଚ ପ୍ରଶଂସା କରିବା ସହ ରାଜ୍ୟବାସୀଙ୍କୁ ଅଧିକରୁ ଅଧିକ ଅଙ୍ଗଦାନ କରି ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ମହତର ପ୍ରୟାସ କରିବା ପାଇଁ ଅନୁରୋଧ କରିଛନ୍ତି । ଅଙ୍ଗଦାନ ଦ୍ୱାରା ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ଆସିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଅଙ୍ଗଦାନ ଓ ଏହାର ପ୍ରତିରୋପଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ମାନବ ସମ୍ବଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ସୃଷ୍ଟି କରିବା ନିମନ୍ତେ ସରକାର ‘ଜୀବନ ଉପହାର’ ନାମକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଆମ ରାଜ୍ୟରେ ୧୪ ଗୋଟି ଚିକିତ୍ସାଳୟକୁ ଅଙ୍ଗ ପ୍ରତିରୋପଣ ନିମନ୍ତେ ପଞ୍ଜିକୃତ କରାଯାଇଛି । ଅଦ୍ୟାବଧି ୨୯ ଜଣ ମୃତକ ଅଙ୍ଗଦାନ କରିଛନ୍ତି ଏବଂ ୧୫୪୦ ଗୋଟି ବୃକକ ଓ ୯ ଗୋଟି ଯକୃତ ପ୍ରତିରୋପଣ ସୂଚାରୁରୂପେ କରାଯାଇଅଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି । ଅଙ୍ଗଦାନ ଏକ ମହତ ଦାନ ଅଙ୍ଗଦାନ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସେମାନଙ୍କର ଅଙ୍ଗଦାନ କରିବାକୁ ଉତ୍ସାହିତ କରିବା ଯାହା ଦ୍ୱାରା କି ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିପାରିବେ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ସ୍ୱର୍ଗତ କ୍ରୀଷ୍ଣା ପଣ୍ଡା, କେନ୍ଦୁଝର ଜିଲ୍ଲା ବରେଗୋଡିଆ, ରାବଣପଳାସପାଲର ସ୍ୱର୍ଗତ ଦମୟନ୍ତୀ ମହାନ୍ତ, ବାଲେଶ୍ୱର ଜିଲ୍ଲା ତଳକିଆର ସ୍ୱର୍ଗତ ଅଜିତ କୁମାର ଚୌଧୁରୀ, କେନ୍ଦ୍ରାପଡା ଜିଲ୍ଲା ବଡପଡାର ସ୍ୱର୍ଗତ ଓମ୍‌ ସିବୁ, ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ସ୍ୱର୍ଗତ ସୁବୋଜୀତ ସାହୁ, ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାଭୋଇ, କେନ୍ଦୁଝର ଜିଲ୍ଲା ସାଧା, ହାଟଡିହର ସ୍ୱର୍ଗତ ସଞ୍ଜୁକ୍ତା ପାତ୍ର, ବାଲେଶ୍ୱର ଜିଲ୍ଲା ଦେବେନ୍ଦ୍ରପୁର, ଅଭଣାର ସ୍ୱର୍ଗତ ପ୍ରତୁ୍ୟଷ ପାଣିଗ୍ରାହୀ, ଖୋର୍ଦ୍ଧା ଜିଲ୍ଲା ଚକ୍ରପଡା, ରାଧାକାନ୍ତପୁରର ସ୍ୱର୍ଗତ କାହ୍ନୁ ନାୟକ ଏବଂ ଜଗତସିଂହପୁର ଜିଲ୍ଲା ରେଢୁଆ, ରଘୁନାଥପୁରର ସ୍ୱର୍ଗତ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କ ପରିବାରବର୍ଗଙ୍କୁ ସେମାନଙ୍କର ମହତ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ‘ସୂରଜ ପୁରସ୍କାର’ ରେ ସମ୍ମାନିତ କରିବା ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ସ୍ୱର୍ଗତ ସୂରଜ ବେହେରାଙ୍କ ପିତାମାତା ଯିଏକି ଅନ୍ୟ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ୱଇଚ୍ଛାରେ ନିଜ ମୃତ ପୁତ୍ରର ଅଙ୍ଗ ଦାନ କରିଥିଲେ ଏବଂ ରାଜ୍ୟରେ ସେ୍ୱଚ୍ଛାକୃତ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିଥିଲେ । ସେମାନଙ୍କ ପ୍ରେରଣାଦାୟକ ତଥା ମାନବିକ କାର୍ଯ୍ୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ରାଜ୍ୟର ଅଙ୍ଗ ଦାତା ମାନଙ୍କୁ ଏବଂ ଅଙ୍ଗଦାନକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନଗୁଡିକୁ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୩ ରେ ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ସ୍ୱର୍ଗତ ସୂରଜ ବେହେରାଙ୍କ ସମ୍ମାନରେ ବାର୍ଷିକ ସୂରଜ ପୁରସ୍କାର ପ୍ରଦାନ କରାଯାଉଛି । ହୃତପିଣ୍ଡ, ବୃକକ ଏବଂ ଯକୃତ ମଧ୍ୟରୁ କୌଣସି ଗୋଟିଏ ଅଙ୍ଗ କିମ୍ବା ତତୋଧିକ ଅଙ୍ଗ ଦାନ କରିଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଉଅଛି ଏବଂ ମୃତକ ମାନଙ୍କର ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ସମ୍ପନ୍ନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଅଙ୍ଗଦାତାମାନଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ ଶାସନ ସଚିବ ଶ୍ରୀମତୀ ଅରୁଣା ତି୍ରପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର ଓ ସୌରଭ ପ୍ରଧାନ, ସୂଚନା ଅଧିକାରୀ