ବିଶ୍ୱ ‘ମାତୃ ଦିବସ’ : ମାତୃ ଶକ୍ତିର ଏକ ଜ୍ଵଳନ୍ତ ଦୃଷ୍ଟାନ୍ତ…

‘ମାତୃ ଦିବସ’ ମାତୃ ଏବଂ ଦିବସ ଶବ୍ଦର ମିଶ୍ରଣରେ ହୋଇଥାଏ । ଯେଉଁଥିରେ ମାତୃର ଅର୍ଥ ମାଆ ଏବଂ ଦିବସର ଅର୍ଥ ଦିନ । ଏହିପରି ଭାବେ ମାତୃ ଦିବସର ଅର୍ଥ ମାଆର ଦିନ ହୋଇଥାଏ । ପ୍ରତି ବର୍ଷ ମଇ ମାସର ଦ୍ଵିତୀୟ ରବିବାରରେ ଏହି ଦିବସକୁ ପାଳନ କରାଯାଏ । ମାତୃ ଦିବସ ପାଳନ କରିବାର ଅର୍ଥ ମାଆ ପ୍ରତି ଆମର ସମ୍ମାନ ଏବଂ ଭଲ ପାଇବାକୁ ପ୍ରଦର୍ଶନ କରିବା । ଏ ଜୀବନ ଆମ ମାଆଙ୍କର ଏକ ବଡ଼ ଆଶିର୍ବାଦ ଅଟେ । ଯେତେବେଳେ ଗୋଟିଏ ଶିଶୁ ଜନ୍ମ ଗ୍ରହଣ କରିଥାଏ ସେତେବେଳେ ତା’ର ପ୍ରଥମ ସମ୍ବନ୍ଧ ତାର ମାଆ ସହିତ ରହିଥାଏ । ତାପରେ ପିଲାର ଜନ୍ମରୁ ଆରମ୍ଭ କରି ତାର ବାକି ଜୀବନ ଯାଏଁ ମାଆ ଓ ତାର ଏକ ଅଦୃଶ୍ୟ ପ୍ରେମ ଭରା କାହାଣୀ ରହିଥାଏ । ପିଲା ଟିକିଏ ଝୁଣ୍ଟି ପଡ଼ିଲେ କିମ୍ବା କଷ୍ଟ ପାଇଲେ ସବୁଠାରୁ ଅଧିକ କଷ୍ଟ ମାଆକୁ ହୋଇଥାଏ । ସତରେ ମାଆର ସ୍ନେହ ଏବଂ ମମତା ଆଗରେ ସବୁ କିଛି ଫିକା ପଡ଼ିଯାଏ । ଭଗବାନ ସୁଖ ଦୁଃଖ ଉଭୟ ଦିଅନ୍ତି, କିନ୍ତୁ ମାଆ ସବୁବେଳେ ତା’ର ପିଲାମାନଙ୍କ ସୁଖ ହଁ ଚାହେଁ । ତା ପିଲାର ଭୋକ ମେଣ୍ଟେଇବାକୁ ଯାଇ ବେଳେ ବେଳେ ସେ ନିଜେ ଭୋକରେ ରହିଯାଏ । ଯେତେ ଦୁଃଖ କଷ୍ଟ ହେଲେ ବି ଆମର ଅଳି ଅନ୍ଦଳି ସହି ଆମର ସବୁ ଆଶା ଆକାଂକ୍ଷାକୁ ପୁରଣ କରିଥାଏ । ଦୁନିଆ ବା ସମାଜରେ ବଞ୍ଚିବା ପାଇଁ ଯାହାସବୁ ଆବଶ୍ୟକ ହୋଇଥାଏ ତାହା ପ୍ରଥମେ ମାଆ ଆମକୁ ଶିଖାଇଥାଏ । ମାଆର ଖୁସିରେ ପିଲାମାନଙ୍କୁ ସାରା ଦୁନିଆର ଖୁସି ମିଳିଗଲା ଭଳି ଅନୁଭବ ହୁଏ । ପ୍ରତ୍ୟେକ ମାଆର ଜୀବନ ତା ପିଲାଙ୍କ ପ୍ରତି ସମର୍ପିତ ହୋଇଥାଏ । ମାଆର ତ୍ୟାଗର ଗଭିରତା ମାପିବା ଯେତେ ଅସମ୍ଭବ ସେତେ ଅସମ୍ଭବ ହୋଇଥାଏ ତାର ରୂଣ ସୁଝିବା । ମାତୃ ଦିବସରେ ମାଆ ପ୍ରତି ସବୁ ଦିନ ଭଲ ପାଇବା, କୃତଜ୍ଞତା ଓ ସମ୍ମାନ ଜଣାଇବା ସହ ତାର ତ୍ୟାଗ ବା ସମର୍ପଣକୁ ବୁଝିବା ଏହି ପବିତ୍ର ଦିବସର ମୁଳ ଉଦେଶ୍ୟ ଅଟେ ।

ବିଶ୍ଵଜିତ୍ ଦାସ୍
ସ୍ଵୟଂସାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା